ସାକେତ ଶ୍ରୀଭୁଷଣ ସାହୁ
ବରଗଡ ଓ ବଲାଙ୍ଗିର ଜିଲ୍ଲାର ପ୍ରାୟ ୧୯ ହଜାର ହେକ୍ଟର ଏକଡରେ ବିସ୍ୃତ ଭାବେ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗନ୍ଧମାର୍ଦ୍ଦନ ପର୍ବତ ମୁଣ୍ଡଟେକି ଛିଡାହୋଇଛି । ଏହ କୌଣସି ସାଧାରଣ ପର୍ବତ ନୁହେଁ । ଏହା ପଶ୍ଚିମ ଓଡିଶାର ପବିତ୍ର ଧାର୍ମିକ ପୀଠ, ଜୈବବିବିଧତାର କେନ୍ଦ୍ରସ୍ଥଲୀ, ଓ ପଶ୍ଚିମ ଓଡିଶାର ସାଂସ୍କୃତିକ ଧରୋହର ଭାବେ ସାଧାରଣରେ ମାନ୍ୟତା ପାଇଛି । ଏହାର ପାଦଦେଶରେ ପବିତ୍ର ଧାର୍ମିକ ପୀଠ, ପଶ୍ଚିମ ଓଡିଶାର ଆସ୍ଥାବିଶ୍ୱାସର ପ୍ରତୀକ ନରସିଂନାଥ ଓ ହରିଶଙ୍କର ମନ୍ଦିରରେ ପ୍ରଭୁ ମାର୍ଜାରକେଶରୀ ଓ ଦେବ ଦେବ ମହାଦେବ ପୂଜା ପାଉଛନ୍ତି । ଆଜି ଏଇ ମହାନ ପ୍ରାଚୀନ ଐତିହାସିକ ସ୍ଥାନର ପରିବେଶ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।
ଗତ ବର୍ଷ ଅଦାନୀ କଂପାନୀ ଖପ୍ରାଖୋଲ ଓ ପାଇକମାଲ ଅଂଚଲର ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣିଥିବାକୁ ନେଇ ସାଧାରଣରେ ଆବେଗ ଉଦବେଗ ପ୍ରକାଶ ପାଇ ସାରା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା । ଚର୍ଚା ଧରିଥିଲା କି କୁଆଡେ ରାଜ୍ୟ ସରକାର ଅଦାନୀ କଂପାନୀକୁ ଗନ୍ଧମାର୍ଦ୍ଦନ ପାହାଡରେ ଗଚ୍ଛିତ ବକସାଇଟ ଉତ୍ତୋଲନ କରିବାକୁ ଅନୁମତି ଦେଇଦେଇଛନ୍ତି ଏବଂ କଂପାନୀ ସେଥିପାଇଁ ପ୍ରସ୍ତୁତି କରୁଛି । ପରିବେଶବିତ ଓ ପରିବେଶ ବିଗ୍ୟାନି ମାନେ କହୁଛନ୍ତି ଯେ ବକ୍ସାଇଟ ମାଇନିଂ ଦ୍ୱାରା ପରିବେଶର ସନ୍ତୁଳନ ପ୍ରଭାବିତ ହେବ । ମୃତ୍ତିକାର ଉପରଭାଗର ବର୍ଷା ଜଳକୁ ସ୍ପଂଜପରି ବକସାଇଟ ଧରିରଖେ ଓ ଏହା ସ୍ଥାନୀୟ ଅଂଚଳର ଭୂତଳ ଜଳସ୍ଥରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଜଳଧାରା ସବୁ ଅଙ୍ଗ ଏବଂ ସୁକତେଲ ନଦୀକୁ ପାଣି ଯୋଗାଇଥାନ୍ତି । ଏକଦା ୧୫୪ଟା ଜଲସ୍ରୋତ ୨୨ଟି ଝରଣାକୁ ପାଣି ଯୋଗାଉଥିଲେ । ୧୯୮୦ ମସିହାରେ ପ୍ରଥମଥର ଗନ୍ଧମାର୍ଦ୍ଦନ ପାହାଡରେ ବ୍ଲାଷ୍ଟିଂ ଯୋଗୁଁ ବହୁତ ପରିମାଣରେ ପାଣିଧାର ସବୁ ଶୁଖି ଯାଇଥିଲା । ବର୍ତ୍ତମାନ ୧୫୪ରୁ ମାତ୍ର ୨୨ଟି ଜଲସ୍ରୋତ ପ୍ରବାହମାନ । କେବଳ ଶୁଷ୍କ ଜଳଧାରା ଓ ଜଳସ୍ଥର କମିଜିବା ଦ୍ୱାରା ଅତି କମରେ ୩୫କିମି ବ୍ୟାସାର୍ଦ୍ଦ ଅଂଚଳ ମରୁଭୂମିରେ ପରିଣତ ହେବାର ଆଶଙ୍କା ଅଛି । କେବଳ ଭୂମିଗର୍ଭସ୍ଥ ଜଳଧାରା ପ୍ରଭାବିତ ହେବ ସେତିକି ନୁହେଁ । ଏଠି ଥିବା ୧୦୫୫ଠୁ ଅଧିକ ପ୍ରକାରର ଔଷଧୀୟ ଗୁଳ୍ମ ଓ ବନସ୍ପତି, ୫୦୦ରୁ ଅଧିକ ପ୍ରକାରର ଜୀବଯନ୍ତୁ, ସରୀସୃପ ଓ ପକ୍ଷୀଙ୍କ ଆବାସସ୍ଥଳୀ ଉଜୁଡିଯିବ । ଏକ ସମୃଦ୍ଧ ଜୈବବିବିଧସ୍ଥଲୀ ଲୋପ ପାଇବାର ଆଶଙ୍କା ଅଛି ।
ପାଇକମାଲ-ଖପ୍ରାଖୋଲ ଅଂଚଳରେ ରହୁଥିବା ପ୍ରାୟ ୬୦ ଗାଁର ୫୦ ହଜାରରୁ ଅଧିକ ଜନଜାତିର ଜୀବନଧାରା ହେଉଛି ଗନ୍ଧମାର୍ଦ୍ଦନ ଜଙ୍ଗଳ । ସେମାନେ ଗନ୍ଧମାର୍ଦ୍ଦନ ଜଙ୍ଗଳରୁ ଚାର୍, ମହୁଲ୍, କେନ୍ଦୁପତର୍, ଆଦି ଜଂଗଳଜାତ ଦ୍ରବ୍ୟ ସଂଗ୍ରହକରି ଗୁଜୁରାଣ ମେଣ୍ଟାଇଥାନ୍ତି । ଗନ୍ଧମାର୍ଦ୍ଦନରେ ଖଣିଖନନ ହେଲେ ଜନଜାତିର ଏହି ଜୀବନଧାରା ସମ୍ପୂର୍ଣ୍ଣ ଠପ ହୋଇଯିବ ।
“ଡଙ୍ଗର୍ ଦେବ୍ତା” ଭାବରେ ସ୍ଥାନୀୟ ଲୋକଙ୍କ ମାନ୍ୟତା ପାଇଥିବା ଗନ୍ଧମାର୍ଦ୍ଦନ ପର୍ବତକୁ ବଂଚେଇ ରଖିବା ଏକ ସାମୁହିକ କର୍ତ୍ତବ୍ୟ । ସ୍ଥାନୀୟ ଲୋକମାନେ ନରସିଂନାଥ ପୀଠକୁ “କୋସଲ୍ର ଗଂଗା” କହିଥାନ୍ତି । ଛତିଶଗଡ ଓ ପଶ୍ଚିମ ଓଡିଶାର ଲୋକମାନେ ଆତ୍ମୀୟ ସ୍ୱଜନଙ୍କ ଅସ୍ଥି ବିସର୍ଜନ କରିଥାନ୍ତି । ପବିତ୍ର କପିଲ ସଂହିତାରେ ବର୍ଣ୍ଣିତ, “ପୂଣ୍ୟ ସ୍ୱର୍ଣ୍ଣପୂରୀ ପ୍ରୌକ୍ତା ପୂଣ୍ୟ ଚିତ୍ରୋତ୍ପଲା ନଦୀ, କୋସଲେସୁ ତ୍ରୟ ପୂଣ୍ୟ ପୂଣ୍ୟୋ ମାର୍ଜାରକେଶରୀ” । ପବିତ୍ର ଧର୍ମଗ୍ରନ୍ଥ ବିକ୍ରମ ବିଳାସରେ ମଧ୍ୟ ଉଲ୍ଲେଖ ଅଛି, “ପାବନ ଦଚ୍ଚୀନ କୋସଲ ଦେଶା
ଜହିଁ ହରିଓତୁ କେଶରୀ ଭେଷା” । କେବଳ ସେତିକି ନୁହେଁ ରାମାୟଣରେ ଲକ୍ଷ୍ମଣ ଶକ୍ତିଭେଦ ସମୟରେ ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ହନୁମାନ ଏହି ଗନ୍ଧମାର୍ଦ୍ଦନରୁ ଔଷଧ ନେଇଥିବା ବଣ୍ଣିତ ଅଛି । ଖ୍ରୀଷ୍ଟାଦ୍ଦ ୬୩୯ରେ ଦକ୍ଷୀଣ କୋସଲ ଅଂଚଳକୁ ଆସି ଚିନି ପରିବ୍ରାଜକ ହୁଏନସାଂ ତାଙ୍କର ଭ୍ରମଣ ପୁସ୍ତକ ସି-ୟୁ-କିରେ ଉଲ୍ଲେଖ କରିଛନ୍ତି ପୋ-ଲୋ-ମୋ-ଲୋ-କି-ଲି ବିଷୟରେ ଯାହାକି ଗନ୍ଧମାର୍ଦ୍ଦନର ପ୍ରାଚୀନ ନାମ ପରିମଲଗିରି । ସେ ସମୟରେ ବୌଦ୍ଧଧର୍ମର ମହାନ ଦାର୍ଶନିକ ନାଗାର୍ଜ୍ଜୁନ ଗନ୍ଧମାର୍ଦ୍ଦନରେ ଅବସ୍ଥାନ କରି ଶିକ୍ଷାଦାନ କରୁଥିବା ମଧ୍ୟ ଉଲ୍ଲେଖ କରିଛନ୍ତି ।
ଯଦି ଗନ୍ଧମାର୍ଦ୍ଦନ ଖଣି ଖନନ କରାଯାଏ ତେବେ ପଶ୍ଚିମ ଓଡିଶାର ଐତିହ୍ୟଭରା ମହାନ ସାଂସ୍କୃତିକ, ଧାର୍ମିକ ପୀଠ ଏବଂ ପ୍ରାକୃତିକ ପରିବେଶର ଧରୋହର ସମୂଲେ ଧ୍ୱଂସ ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ସାମାଜିକ କର୍ମୀ, ବରଗଡ
(ସଂସ୍କୃତି ଓ ରାଜନୀତି ବିଷୟରେ ଲେଖନ୍ତି)


