Thursday, July 30, 2026
HomeGovernment & Politicsଅଗଷ୍ଟ ୧ ଓ ୨ରେ ନରସିଂନାଥ ଠାରେ ଦ୍ୱିଦିବସୀୟ 'ଗନ୍ଧମାର୍ଦ୍ଦନ ପାହାଡକେ ବଁଚାମା' ଜାତୀୟ ସମ୍ମିଲନୀ

ଅଗଷ୍ଟ ୧ ଓ ୨ରେ ନରସିଂନାଥ ଠାରେ ଦ୍ୱିଦିବସୀୟ ‘ଗନ୍ଧମାର୍ଦ୍ଦନ ପାହାଡକେ ବଁଚାମା’ ଜାତୀୟ ସମ୍ମିଲନୀ

ଆସନ୍ତା ଅଗଷ୍ଟ ୧ ଓ ୨ ତାରିଖ ବରଗଡ ଜିଲ୍ଲାର ପବିତ୍ର ପୀଠ ନୃସିଂହନାଥ ଠାରେ କୋସଲ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ତରଫରୁ “ଗନ୍ଧମାର୍ଦ୍ଦନ ପାହାଡକେ ବଁଚାମା” ଶୀର୍ଷକରେ ଦୁଇ ଦିନିଆ ଜାତୀୟ ସମ୍ମେଲନ ଆୟୋଯିତ ହେବ ବୋଲି ସମ୍ମେଲନର ଆବାହକ ସାକେତ ଶ୍ରୀଭୁଷଣ ସାହୁ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।


ଗନ୍ଧମାର୍ଦ୍ଦନ ପାହାଡ ପଶ୍ଚିମ ଓଡିଶାର ସବୁଠାରୁୁ ସମୃଦ୍ଧ ପରିବେଶ ଏବଂ ସାଂସ୍କୃତିକ କ୍ଷେତ୍ର ଗୁଡିକ ମଧ୍ୟରୁ ଅନ୍ୟତମ । ଏହାର ବିସ୍ତୃତ ଜୈବବିବିଧତା, ଔଷଧୀୟ ଗଛଲତା, ପ୍ରାଚୀନ ମନ୍ଦିର, ପ୍ରତ୍ନତାତ୍ତିକ କୀର୍ତ୍ତିରାଜି ଏବଂ ଏହା ଉପରେ ନିର୍ଭର କରୁଥିବା ଜୀବିକା ପାଇଁ ପରିଚିତ ଗନ୍ଧମାର୍ଦ୍ଦନ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ । ମାତ୍ର ଆଜି ଖଣି ଖନନ ଯୋଗୁଁ ଏହି ପାହାଡ ପ୍ରତି ବିପଦ ବଢିବାରେ ଲାଗିଛି । ତେଣୁ ଆଗାମୀ ପିଢି ପାଇଁ ଏହି ଅମୂଲ୍ୟ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ସମସ୍ତ ସଚେତନ ନାଗରିକ ଏକାଠୀ ହେବା ଜରୁରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ କୋସଲ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ତରଫରୁ “ଗନ୍ଧମାର୍ଦ୍ଦନ ପାହାଡକେ ବଁଚାମା: ଧର୍ମ, ପ୍ରକୃତି, ଐତିହ୍ୟ ଆର ଜୀବିକା ବଁଚାମା” ଶୀର୍ଷକରେ ଦୁଇ ଦିନିଆ ଜାତୀୟ ସମ୍ମିଲନୀ ଆୟୋଯିତ ହେବାକୁ ଯାଉଛି । ଦୁଇ ଦିନର କାର୍ଯ୍ୟକ୍ରମରେ ଅଗଷ୍ଟ ୧ ତାରିଖ, ଅଶୀ ଦଶକର “ବାଲକୋ ହଟାଓ, ଗନ୍ଧମାର୍ଦ୍ଦନ ବଚାଓ” ଆନ୍ଦୋଲନର ପ୍ରାୟ ଶହେ ସଂଗ୍ରାମୀଙ୍କୁ ସମ୍ମାନିତ କରାହେବ ଏବଂ ସେ ସମୟର ସଂଗ୍ରାମର ଗାଥା ତାଙ୍କ ମୁହଁରୁ ବର୍ଣ୍ଣନା କରିବେ । ପ୍ରଥମ ଦିନର କାର୍ଯ୍ୟକ୍ରମରେ ଅନେକ ପୁରୁଖା ଓ ନୂଆଁ ସଂଗ୍ରାମୀ ଯୋଗଦେବା ପାଇଁ ସହମତି ଜଣାଇଛନ୍ତି । ଦ୍ୱିତୀୟ ଦିନ ଅଗଷ୍ଟ ୨ ତାରିଖ “ଗନ୍ଧମାର୍ଦ୍ଦନ ପାହାଡକେ ବଁଚାମା” ଶୀର୍ଷକର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ଏହି ଆଲୋଚନାରେ ଭାଗନେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପରିବେଶବିତ, ଶିକ୍ଷାବିତ, ଗବେଷକ, ଐତିହାସିକ ପ୍ରମୁଖ ଭାଗନେବା ପାଇଁ ସହମତି ଜଣାଇଛନ୍ତି । ଏହି ସମ୍ମିଲନୀରେ ବହୁମାତ୍ରାରେ ସ୍ଥାନୀୟ ପାଇକମାଲ ଅଂଚଳର ଛାତ୍ରଛାତ୍ରୀ ଓ ଯୁବବର୍ଗ ଯୋଗଦେବାକୁ ଆହ୍ୱାନ କରାଯାଇଛି ।

RELATED ARTICLES

Most Popular

Recent Comments