ପାଏନ ବସେଇକରି ଚଉଲ ଧୁଇଲାବେଲୁ ଏକସରଲଗ ଘମଡ ଲଗେଇଛେ ନ ତାର ମାଁ ନ ।
“ମାଁ ଗୋ, ଖେଂଜେଡ ଦେଖିଜିମିଁ ହେଁ, ହେଁ ଗୋ ମାଁ । ଆମନିଗା, ଖେଂଜଡ ଦେଖିଜିମିଁ ଗା, ହେଁ, ହେଁ, ଗୋ ।”
“କେଁ ହେଲାରେ, କିଏ ପିଟଲାରେ ଆମର ବାବୁକେ ।” ଉଏଲବାରୁ ଫିରିକରି ମଚାତରାନ କୁଦେଲ ରଖିଦେଇ ପୁଓକେ ସଉକ କଲା ମେଘ ।
“କେନକେ ପରେଜେ ଖେଂଜେଡ ଦେଖିଜିବା ମାଁ ।” ପାଏନ ଘୁଡାକୁ ଦଉନ ଦଉନ କହେଲା ବିଦୁର ମାଁ ।
“ଖେଂଜେଡ ଦେଖିଜିବା, ହଁ ହଁ ତୁମପର ତୁମପର ଜିମାଁ । ଇହାଦେ ଉତ୍ରିଛନ ପାଟିଟେ । ଆମବୁରେଇନ ଡେରାକରିଛନ ।”
ତାର ବା’ ଘୁଡାକୁ ରେତିକରି ଚାହାଭୁଜା ଖଉନ ଖଉନ ବିଦୁ ଆଗତୁରିଆ ଦରପନ ପନିଆଁ ସାଟପେଁଟ ଆନିକରି ତିଆର ହେଇଥାଏନ । ତାର ମାଁ ତ ରିସମି ହଉଛେ, ପଏସା କିଏ ଦେବା ? ଆଇ! ଆଇର କରାଟେ ତାର ଲାଗି ଚାଏରନି, ଆଠନି ଅହରହ ଭରିଛେ ନ ବରଫ, ପା’ରୁଟି, ବମ୍ବେଲଡୁ ଘିନବାର କେ, ଦସରା, ରଥଦୁତିଆ ଦେଖବାରକେ ଆର ଆଏଜ ଖେଂଜେଡ ଦେଖିଜିବା ଜେ ବି । ବିଦୁର ଉସତ ଖୁଓରେ । ତାର ବା’ ପିଠଗୁନା କରି କରି ଖେଂଜେଡ ଦେଖେଇ ନଉଛେ । ବାଟେ ଘାଟେ ଚିହ୍ନାର ଦେଖିକରି ଝନେ-ଅଧେକେ କହି ବି ପକଉଛେ, “ଏ ଦେଖ, ମୁଇଁ ପିଠଗୁନା ହେଇଛେଁ ଗା । ଆମେ ଖେଂଜେଡ ଦେଖି ଜଉଛୁଁ ଗା” ।
ଗାଁ ଖୁଇଲ ପୁରତୁନୁ ହୁଦା ହୁଦା ଛୁଆ । ଗୁଗାତେଲ, ନର୍ଦିତେଲ, ରିଂଗ, ମର୍ଲା କିଂଦ୍ରାତେଲ, ଝୁଲୁମୁନାନୁ ଭୁଜା ଖାଏତେଲ, ଖଂଦ ଧରାଧରି ହେଇ ଚାଲିଛନ ଖେଂଜେଡ ଦେଖି । ଆସର ବନେ ଘଡେ ଜମଲା । ସରଲା କି ଜିଏ ଜେନ୍ତା ତତାପନା ଫିରୁଛନ । କିଏ କେନ୍ତା ଖେଂଜେଡର ଗାଏଲାନୁ ପଦେ ଅଧେ ହୁଁ ହୁଁ ଲାଲା ବି କରୁଥାଏ । ବିଦୁ ତାର ବା’ର ପିଠି ବେତାଲ ବାଗିର ଉଲେଇହେଇ ପଚରଉଥାଏ ।
– କାଏଲକେ ଫେର ଗାଏବେ ଗୋ ?
– ନେଇଁ କାଏଲକେ ଆର ନାଇଁ ଥାନ ନ ।
– କେଁ ହେଲାଜେ ଗୋ ?
– କାଏଲକେ ପଲେଇ ଜିବେ ।
– କେନକେ ପଲେଇ ଜିବେ ଗୋ ?
– ଦୁସରା ଗାଁ ।
– କେନ ଗାଁ ?
– ଜେନ ଗାଁ ନ ବେଲ ବୁଡବା ।
ଖେଂଜେଡମାନେ ସଖାଲୁ ବାହାରବେ, ଦିନ ଜାକର ଚାଲବେ ଆର ଫେର ବେଲବୁଡାକେ ଥାକବେ । ବେଲ ଜେନ ବୁଡବା ସେନ ଡେରା ପକାବେ । ବେଲବୁଡାକେ ଆସର କରବେ । ଗାଁ ଲୁକର ଥାକେନ ମେଟାବେ ଆର ଫେର ସଖାଲ ପାଏଲେ ସେ ଠାନ ଛାଡି ଦେବେ । ବିଦୁ ଝୁମରି ପଡିଥିଲାନ । ବାଟ ଜାକି ଜୁକଜୁକିଆ ପୋକ ସାନିଘାଁଟି ହଉଥିଲେ । ଉଏଲ ବା’ରୁ ଫିରିକରି ଖେଇ ବସଲା ବିଦୁର ବା ।
– ବାବୁଜେ ସୁଇଛେ ?
– ଖୁଓ କେତେ ଫାରସ ଦେଖବ । ସଖାଲୁ କେତେ ଉଠିଛେ କେତେ ନାଇଁ ଆରୁତ ଖେଂଜେଡମାନକର ବାଗିର ଗିତ ଗେଇ ଗେଇ ଉତକିଛେ ଦିନଜାକିର ।
ତାର ଭୁରକୁଟି; ସେ ପିଣାକେ ବଲୁଛ କାଣା ବାଗିର ଜେ ମାଁ, ପେଁ ପେଁ ପେଁ ପେଁ କରି ବଜେ…
– ହାରମନିଅମ ?
– ହଏ ହଏ… ଆର ଗିତ ଗେଇ ଗେଇ ଅମୁଲଡବାକେ ମୁରଦୁଂଗ ବାଗିର ବଜେଜେ ବଜେଜେ କାଣା ଦେଖବ । ଦୁଆର ଜାକିର ହେଟା ଭଉଁର ଭଉଁର କରି କିଂଦ୍ରି କିଂଦ୍ରି କେତେ ନାଚିଛେ । ଗୁଧେଇ ଦେଲିକିଁ ଭାତ ଦୁଇ ଗରସା ଖାଏଲା ଆର ସୁଇଛେ ।
ଖାନାର ସୁଆଦ ଭୁଲିଗଲା ବିଦୁର ବା । ଆଁଚି ଉଁଚାକରି ଗଂଧୁଆ ଖଟେ ପଡୁନ ପଡୁନ ଆଁଏକ ପତା ଲୁମି ହେଲା । ଓଟ ମାନକୁ ଢିଲି, ତମୁ ମାରି ଜିନିସ ପତର ରଖାସଂଗା ସାରୁଥାଏ । ଅଁତରା ଜାଲିକରି ଭାଁ’ରେ ବସଲେ ଖେଂଜେଡମାନେ । ଆମବୁରେଇକେ ଗାଁ ଉଠି ଜେଇଛେ କାଏଁ, ଲୋକ ଗଜଗଜେଇ ଜଉଛନ । ଲୁକେ ତାଲି ମାଏଲେ, ଗାନା ବାଜନା ମୁଲହେଲା । ଲୁକେ ଟଁକା ମାରୁଛନ, ଫରମାଇସ କରୁଛନ, ଭୁଲି ଜଉଛନ ଦିନଜାକିର ଅଥାବିଥା । ତାଲିଜେ ତାଲିଜେ ମାରି ଆନୁଛନ । ଆସର ଚାଲିଛେ ।
– ସୁନୁଛ କାଏଁ, ହଏ ସୁନୁଛ?
ମେଘ ନି ଉଠଲା କି ଟିକେ ହଲେଇଦେଲା ବିଦୁର ମାଁ ।
– ଉଁ,
– ଉଠ, ବାଏରକେ ନି ଜ ନ ?
ପାଏନ ଘୁଡାଖୁ ଆନି ଦେଲା ବିଦୁର ମାଁ ।
ବାଏରକେ ଜିବାରକେ ପଡବା । ଉଏଲ ପଟିକେ ପାଏନ ବଲାବା ଆର ଜାବତ୍ୟକାମ କରବା । ସେ ବିଦୁର ବାଗିର ପିଣାକେ ହାରମନିଅମ କି ଅମୁଲଡବାକେ
ମୁରଦୁଂଗ ବାଗିର ବଜାତା ଜେ ସେ କାଣା ବିଦୁ ଆଏ ?
ଖେଂଜେଡ଼: ସାକେତ
ବଏରାଗି: ସାକେତ
ମଣ୍ଡଲିସାଲ ଆଏଜ ବି ଗହଗହ ଲାଗୁଛେ । ପାଏନ ଭୁରେ ଭୁରେ ବରସିଲେ ବି ଲୁକର ଗହଲି ଲାଗିଛେନ । ଲୋକ ଆସୁଛନ, ମାହପୁରୁ ଦେଖୁଛନ ।
ଛୁଆମାନେ ଗୁଡିଆ ପସରାନୁ ମେନମେନସା ଖଜା ମିଠେଇ ଘିନୁଛନ, ପିଁ ପିଁ ବଜଉଛନ, ଫୁକା ଫୁକୁଛନ । ମାହେଜି-ଟୁକେଲ ହୁଦାହୁଦା ହେଇ କଥା ଲମେଇଛନ । ଠାନ ଠାନ କିର୍ତନ, ସମପରଦାଥି ଲୋକ ଗହମତଉଛନ । ଲେହେଁଟି ଦୁଲିନୁଁ କରିଆ ଫିକାର ଆବାଜ ସୁଭୁଛେ । ସବୁ ବରସର ବାଗିର ଇ ବରସ ବି ଜାତରା ଜମକୁଛେ । ତବବି କାଏଁଜେ ବଏରାଗିର ମଦୁଆ ରଡି ନାଇଁ ସୁଭବାର । ନେହେଲେ ଜଖା ଇହାଦେ ପେଟେ ପି’ଦେଇ ଢୋଲପୋଲ ଖଣିଆ ଖାବରା ହେଇ ଝୁଟେଇ ହେତେଲ ଆଏତା, ମଣ୍ଡଲିସାଲେ ଟଁଟି ଫାଟତେଲ ରଡତା । ଛୁଆ-ପିଲା, ମାଏଝି-ମୁନୁସ, ବୁଢା-ବୁଢି ସବେ ତାରଆଡେ ଦେଖତେ, ଜଖା ଫାରସ କରୁଛେ ବଲତେ ଆର ବଏରାଗି ମଦର ସୁରେ ଗିତ ଗାଏତା, “ପରଦେସି ହେଲା ପିୟା, ମନଝୁରି ହେଲା ବାୟା” ।
ପଲରେ…ଜଖା ଆସୁଛେ ବଏଲେ ଗାଁ ଖୁଲି ଖେଲୁଥିବାର ଛୁଆମାନେ ଟାଏଟ କନେ ସରପଟି ଦିଅନ । ବଏରାଗିର ଫଇଲଛାତି, ଫଡା ଫଡା ଡେନା ବାହା,
ଡଣୁଆମାନକର ବାଗିର ଖଂଦଜାଏକ ବାଲ ଆର କର୍ରା କର୍ରା ମେଛା ଛୁଆମାନକୁ ସୋଜ ହେଲେ ଡରେଇଦିଏ । ଆର ଛୁଆମାନେ ବଏରାଗିକେ ସୋଜସୋଜ ଜଖା
ବଲନ ସିନେ ନେହେଲେ ବଏରାଗି ତ ବଡା ଗହକି ଲୋକ ।
ଏକସରୁଆ ବଏରାଗିର କମାନି କୁଠାନି ଜଜବଜ ହେଇ ଜାଏ । ହାଟ କରବାର ଲୋକ ନି । ଗାଁଖୁଲିର ପିଣାନ ବସି ବସି ତାସ ଖେଲବା କି ନେହେଲେ ଚୁଆଁନିକେ ଉକିଆ ପାଏନ ଆନି ଆଏବା ଜେ ତାହାକେ ଛନେ ଦେଖବାରଲାଗି ଜୁଗି ରହେବ।। ବେଲ ବୁଡଲେ ଭାଗବତଠାନେ ବସବା କି ଗାଁଥି ନିଏପଂଚେତ ହଉଥିଲେ ପଁଚ ଭଲଲୁକର ସାଂଗେ ମିସବା । ଆର ରାତି ଆଖଡା କରୁଥିଲେ ନାଟ କରିଜିବା ନେହେଲେ ମଣ୍ଡଲିସାଲେ କିରତନ କରବା ।
ବଏରାଗି ଉକିଆକେ ଗାଁଥି ସବୁଦିନେ ଦେଖଲେ ବି ସେଥରର ଜାତ୍ରାକେ ଉକିଆ ଅଲଗା ଦିସୁଥିଲା । କିଂଦିରଲା ଲେଁହେଟି ଦୁଲିଥି ଦୁହିଲୁକର ଚାର୍ହିଆଏଁଖ ଠାନେକେ ଥାବେ ରହିଗଲା । ସେଦିନୁ କେତେଥର ବଏରାଗି ସଉକ କରିକରି ଉକିଆର ଲାଗି ଜାତ୍ରାମାନକୁ ଟିକଲି, ଚୁରିଫିତା ଆର କାଣା କାଣା ଘିନି ଦେଇଛେ । ବଛର ଦୁଏ ଜାଏକ ଦୁହେଁ ଦୁହିଁକୁ ଚୁଆଁସାଲେ ଦେଖାଚାହାଁ କରିଛନ । ଗାଁହାରିର ଠାନେ କିରିଆ ଖାଇଛନ । ହେଲେ ଉକିଆର ବିହା ହଠାତ ଠିକ ହେଇଗଲା ।
ବନେ ମାସେ ହେଲା ବଏରାଗି ଆରୁ ଘରୁ ନି ବାହାରଲା । ପରାପାଟକୁଁ କିଏ ଖାଏବାରକେ ନେଇଦେଲେ ଖାଏ ନେହେଲେ ହରଘଡି ହେନ୍ତା ଖଟେ ଉବୁଡହେଇ
ପଡିଥାଏ ନ । ଏଭେ ଭଟାକେ ବାହାରଲେ ଆଘୋର ବାଗିର ଆର କାହାକେ ସୁନାବାର ଲାଗି ରଡି ରଡି ପିଣାନ ତାସ ନି ଖେଲବାରନ କି ବେଲବୁଡାକେ ଭାଗବତ ନେହେଲେ ପଂଚେତ ନ ନି ବସବାର ନ । ଏଭେ ଖାଲି ତୁମପଡି ଖୁଟ ବାଗିର କଲେ କଲେ ବସିକରି ଠଁକଉଥିସି ଚୁଆଁସାଲକେ ଜେ ଦିନେ ଦିନେ ଠଁକେଇ ଠଁକେଇ ବେଲବୁଡେଇ ଦେସି ।
ବଏରାଗି ସୋର ପାଏଲା ସେ ବଛର ଉକିଆ ପରେ ଗାଁକେ ଜାତ୍ରା ଦେଖି ଆଇସଛେ । ଭାବି ନି ପାରଲା କେନ୍ତା କରବା, ଜାତ୍ରା ଦେଖିଜିବା କି ନେଇଁ । ତାର ଆଁଖି ଝିଲମିଲେଇ ଗଲା ଲେହେଁଟି ଦୁଲିର କରିଆଫିକା ଆରୁ ଚୁରିଫିତା, ଟିକଲି ଆର କାଁ’କାଣା ତାପନେ ସଉକେ ଘିନିଦେଇଥିଲା ଉକିଆକେ ଜେ । ଦୁହିହାତେ
ଜାବଡି ଧରଲା ମୁଡକେ ଆର ଟଁଟି ଜାଏକ ପି’କରି ଜତ୍ରାଦେଖିଗଲା । ବଏରାଗି ଜାତ୍ରାର ଭିଡ ଭିତ୍ରେ ହେଲବେଇ ହେତେଲ ଆସୁଛେ । ଭଣାରିିପିଣା କି ବଂଧଘାଟର ଟୁୁର ଫୁସୁରକେ ସତ ନାଇଁକଲା ଲୋଗ ଆଁଖି ଦେଖଲେ ବଏରାଗି ‘ପରଦେସି ହେଲା ପ୍ରିୟା’ ଗାଏତେଲ ଆସୁଛେ ।
ମଂଡଲିସାଲକେ ଆଏଲାକି ଏକେସାରି ଅଚିହ୍ନାର ଛୁଆଗୁଟେକେ ପାଇକଲା । ଛୁଆ କାଂଦଲାକି ଖଜା ଘିନିଦେଲା, ଫୁକା ଘିନିଦେଲା, ପିିଁ ଘିନିଦେଲା ଆର ଫେର ତଲକେ ଉତରେଇଦେଲା । ପାନବିଡେ ଖାଏଲା ଜେ ପାନବାଲା ସାଂଗେ କେତେ ବେଜେର ବେଜେର ହେଲା । ଆଘୋ ନାଟେ ବାହାରୁଥିଲାତ । ଡାଏଲଗ ମାରଲା ବାଗିର ପାନବାଲାକେ କହେଲା, “ମୁଁ ପାନ ଖାଇଲି ତୋର କାଣା ଗଲା ?
ପାନ ଭାଂଗି ଭାଂଗି ପାନବାଲା ହୁଁକାର ଦଉଥାଏ, “ହଏତ, ତୁଇ ପାନ ଖାଏବୁ ତୋର ଟୋର ଟୁଣ ଲାଲ ହେବା” ।
“ବେସ ପାନ ମୁଁ ଖାଇବି, ଟୁଣ ମୋର ଲାଲ ହେବା, ତୋର କଣ ଜିବ” ।
ପାନବାଲା ଖୁଚରା ପଏସା ଫିରଉଥିଲା କି ଥଉ ଆର ଜାତ୍ରାକେ ପାନ ଖାଏମି ବଲି କେନ ଆଡେ ମିଲକି ଦେଲା । ପାନ ଖଉଥେ ଜେ ଟୁଣୁ ଉହଲି କରି ରସ ଦିହିଁ ଜାକର ବୁଟବୁଟେଇ ଗଲାନ ସୋର ନି । ହେଲେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନବାରକେ କେଭେ ନି ଭୁଲେ ।
ବଏରାଗିର ରାଏରକମ ଦେଖିକରି ଆର ସେଦିନୁ କେଭେ ଗାଁକେ ଜାତ୍ରା ଦେଖି ନି ଆଏଲା । ବଏରାଗି ହେନ୍ତା ଫି ବଛର ମଦ ପି’କରି ଗିତ ଗାଏତେଲ ଜାତ୍ରାନିକେ ଆଏସି । ନିହେଲା ଲୋକର ସାଂଗେ ବେଜେର ବେଜେର ହେସି ଆର ଜୁନହା ବଏସ୍ରା ବାଗିର କାଁ କରବାରକେ ଜେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନସି । ଆଏଜକା ଆରୁ ବଏରାଗି ନି ଆସେନ ବଲି ଟାଖଲିଁ ଟାଖଲିଁ ଆର ଫିରି ଆସୁଥିଲିଁ କି ଦୁରୁ ବଏରାଗିକେ ଦେଖି ଠାଡ ହେଇଗଲିଁ । ଜାତ୍ରାକେ ଜାତ୍ରା ଘିନଲା ଚୁରିଫିତା ଆର ଟିକଲି ଆର କାଁ’କାଁଣା ମାନକୁ ଦିହଁମୁଡ ଜାକିର ଲଗେଇ ହେଇଛେ । ବଲିଦେଲା ବୁକା ବାଗିର ମୁହଁ ଭଏର ଭଏର ସିଂଦୁର ମାଖିଛେ; ବେକେଁ, ବାହାଥି ଆର ହାତେ ଫିତା ବାଂଧି ହେଇଛେ; ଚୁରି ମାନକୁ ବି ହାତେ ଗଲେଇ ହେଇଛେ ଆର ଭିଡ ଭିତରେ ବା’ରି ହଉଛେ ।
ଜାତ୍ରାନ ଇଟା ଘିନିଦେ ସେଟା ଘିନିଦେ ବଲି ଅରସ୍ଟି କଲା ଛୁଆମାନକୁ ମାଁମାନେ ବଏରାଗିର ଆଡେ ହାତ ଲମେଇକରି ହାଦେରେ ଦେଖ ବଲି ଦେଲେ ଛୁଆମାନେ
ତାରସୁକେ ତୁମପଡନ । ଆଘୋର ବାଗିର ଇ ଥର ଆରୁ ‘ପରଦେସି ହେଲା ପ୍ରିୟା’ ନି ଗାଏବାରନ । ତୁମପଡି ଲେଡବେଡାତେଲ ମଂଡଲିକେ ଜଉଥେ ଜେ ଜାତରାର ଭିଡ ତାର ସୁକେ ବାଟ ଛାଡି ଦଉଥେ ।
ଜିଏ ଜେନ୍ତା ଭକତମାନେ ଫୁଲ ଚଢଉଛନ, ମାଲ ପିଂଧଉଛନ, ଜୁହାର କରୁଛନ, ମାହାପ୍ରୁ ଦେଖୁଛନ । ବାଭନମାନେ ଗିତ ଗେଇ ଗେଇ ଦୁଲି ଝୁଲାତେଲ ମାହାପ୍ରୁକେ ବେଢାବୁଲଉଛନ ଆର ବଏରାଗି ସିଧା ଜେଇକରି ମଝା-ମଂଡଲିଥି ଠିଆ ହେଲା । ମଚାକେ ଉତରିକରି ଡାଏଲଗ ଭୁଲିଗଲା ନାଟୁଆ ବାଗିର ଇଆଡେ ସେଆଡେ ଦେଖୁଥାଏ କି ଲୋଗ ହଁସୁଥାନ ଆର ସତେକି ଭୁଲିଗଲା ଡାଏଲଗ କିଏ ପ୍ରଂପଟିଂଗ କରିଦେଲା କି ବଏରାଗି କିର୍ଲେଇ ଉଠଲା, “ପ୍ରଜାନୁ ରଂଜନ ରାଜାର କରତବ୍ୟ, ଅକାଲ ମରଣ ପାଇଁ ରାଜା ନୁହେଁ ଦାୟି” । ଆର ଗୁସେଇଁ ତୁମେ ଚଂଦନ ମାଖିଛ, ତିଲକ ମାଖିଛ, ପଁଏତା ପିଂଧିଛ, ମାଲି ପିଂଧିଛ, କାଠର ମାହାପ୍ରୁକେ ଦୁଲି ଝୁଲଉଛ, ମଜା କରୁଛ । କାଣା ଭାବଲା କାଣା ନେଇଁ ଆର ଦୁଲାର ମୁର୍ତିକେ ଘିଚିଆନିକରି ଫିକି ଦେଲାଜେ କାଠରମୁର୍ତି ଛିତରି ପଡଲା ।
ବୁଢା ପଁଚ, ଗଁତିଆର ଭୁଜନିବାହା, ରିସମି ହେଇଗଲା, “ଇଟା କାଏଁ ଫାରସ ଲଗେଇଛେ ବୋ । ଏ ପିଲେ ଧରତ ଧର ଜଖାକେ, ନେଇଜ ହେଆଡକେ” ।
ଠାନ ଠାନ ଘୁଗରି ଛାଲ ଛାଡିକରି ରକତ ବଜବଜଉଥେ । ଦିହଁମୁଡ କାଦୋ ସରସର । ଠେଁଗୁଆ ପିଲାମାନେ ବଏରାଗିକେ ଉଁଚେଇ ନେଇଗଲେ । ଆରଦିନେ ସଖାଲେ ହୁଦେ ମାହେଜି ଏକେସାରି ଘାଟକେ ପାଏନବୁଡ ଦେଇ ଆଏଲେଜେ ଛନେକର ଲାଗି ପାଏନଖିଆଘାଟେ ଟୁୁର ଫୁସୁର ବଂଦ ହେଇଗଲା । କିଏ ଗୁଟେ ପଚରାଲା, “କାହାର ଘରେ କିଏ କାଣା ହେଲାଗୋ”?
– ଆଦେରେ ସେ ବଇ ଜଖା ଗୋ, କାଏଲ ରାଏତ ସୁଲଘଡି ପରେ ଜାଁ’ତାଣା ବଲି ଭମକିଲା ଭମକିଲା ଆର ସଖାଲ ପୁଆକେ ନି ଥିଇନ ।
– ହେଁ କାଏଲ ବେଲହଉ ଜାତରା ଦେଖି ଜେଇଥିଲା ପରେ ।
– ହଏ ଜାତ୍ରା ନ ତ, ମୁଡକାନ ଫାଟତେଲ ପିଟି ଦେଲେ ପରେ ।
ଟାଖେନ: ସାକେତ
ଖବର ପାଏଲିଁ ସେମାନେ ପରେ ଏଗାର ବଜେ ଆଡକେ ଇବାଟୁ ଜିବେ । ବଏଲେ ମତେ ବସସ୍ଟେଣ୍ଡନ ତାହାକୁ ଟାଖବାରକେ ପଡ଼ବା । ସେମାନେ ଆଏଲେ ଆମେ ଏକା ସାଂଗେ ଜିମୁଁ । ମୁଇଁ ସାଂଗେସାଂଗ ଗାଧିାଧି କରି ବସସ୍ଟେଣ୍ଡକେ ଆଏଲିଁ ।
ପାନଦୁକାନର ଘଡିଥି ସାଢେଦସ ବାଜିଥିଲା । ଦୁକାନ ସାମନାର ବେଁଚଥି ଲୋକ ପେକ ବଇସଛନ । କଲବାଜନାନୁ ହିଂଦି ଫିଲିମର ଗାନା ସୁନୁଛନ । ଘାଏ ଘାଏ ଗାନା ନାଇଁ ସୁନିକରି ପ୍ରଧାନମଂତ୍ରି, ମୁଖ୍ୟମଂତ୍ରି କି ଗାଂଗୁଲି ନେହେଲେ ଅମିରକେ ଅଧେ ବାନିଲେ ଅଧେ ବନେ ବଲୁଥାନ ।
ହେତକିବେଲ ଦେଖଲିଁ ମତେ କିହେନି ପଚରାବାର କେହିଁ ବାହାରଲୁ ବଲି । ଭଲଗାନାଟେ ଲାଗିଛେ ତ, ସବେ ଏକବାରି ଝୁମିଡୁଛନ । କିଏ ବସି ବସି ଗୋଡ ହଲଉଛେ ତ କିଏ ବିନା ଆବାଜେ ଥାପଡି ମାରିକରି ଝୁମୁଛନ । ଇମାନେ ଏନ୍ତା ଝୁମୁଥିବେନ; ମତେ ନି ପଚରନ ନ । ସବୁଥିରର ମୁଲ ଦୁକାନି । କୁହା ପାନପତର କାଟି କାଟି କଲଗାନା ସାଂଗେ ଗାଇ ଦେଖୁଛେ । ସୋଜ ସୋଜ ହେଲେ ନୋଟଟେ ଭଂଜା ମାଗଲି । ନୋଟକେ ଟେବୁଲନ ଥୁଇବାର ବେଲ, ଡ୍ରୟରନ ଭରି ଦେଲା । ଠକ ବଗ ଝୁରିକେ ଟାଖିଥିଲାନ । କଲ ଗାନାର ଆବାଜ ଟିକେ କମେଇଦେଲା ।
– କାଣା?
-ଭଂଜା ଦେ ବୋ ।
– ନି ହୁଏ ବୋ ।
– ଦେ ବୋ ଦେ ।
– ନି ହୁଏ ବୋ, ଇଟାତ ଦୁକାନ ଖୁଲୁଛେଁ, କେନ ବିକଲିଁ ନ ଜେ ।
ପାନ ଦୁକାନେ ଟଁକା ଭଂଜେଇ ନି ପାରଲିଁ । ନେଇଁ ଇନ ଆର ନି ରହେଁନ । ନେହେଲେ ଇମାନେ ସୋଜ ସୋଜ ଗୁଂଦଲେଇ ହଉଛେ ବଲବେ । ବୁଢାମାସ୍ଟ୍ରେ ଖରାତାପୁଛନ । ମାସ୍ଟ୍ରେକର ନିକେ ଜିମିଁ ? ଗଲେ କଡା ଗଣ୍ଡା ବିସା ନୁ ମାନସାଂକଟେ ପଚରେଇ ଦେବେ ନେହେଲେ ଗୁଟେ ଅଖାଡୁଆ ଧଂଦା, “ସାଠେଟା ମଇସି ପଂଦରଟା ଖୁଟା, ବିନ ଜୁଲିକରି ବାଂଧରେ ବେଟା” । ଆର ଫେର ସୋଜ ସୋଜ ହେଲେ ମୁଇଁ ଗୁଂଦଲେଇ ହେମିଁ ସେ ଅଖାଡୁଆ ପ୍ରସ୍ନମାନକର ସମାଧାନ କରବାରଥି । ନେଇଁ ଆଏଜ ସମିଆଁ ନେଇଁ । ଦୁଇଟା ସାଂଗକେ ହୋଟେଲ ଆଡେ ଡାଖଲିଁ । ପଏସା ଭଂଜାବାର ବାହାନାଥି ଜଲଖିଆ ଖୁଆଲିଁ ।
– କାହିଁ ବାହାରଲୁ ବୋ ?
– ବାହାରିଛେଁ ଗାଁ ଟେ ।
– ପୁରୁବ ଜିବୁକି ପସ୍ଟିମ ଜିବୁ ?
– ପୁରୁବକେ ଟିକେ ଜିମିଁ ।
– ପୋଗ୍ରାମ ଅଛେ ?
– ହଏ ।
– କେଁ ଥି ଜିବୁ ସେ, ହେଆଡର ସବୁ ବସ ତ ଗଲାନ ।
– ନେଇଁ ଆମର ପାଟିବାଲେ ଇଆଡୁ ଆଏବେ, ତାକର ସାଂଗେ ଜିମିଁ ।
– ଆର କେତେବେଲେ ଆଏବେ ସେ, ବେଲା ହେଲାନ ଆରୁ । ଆମେ ଜାଏସୁଁ ଭେଇ ଗାଧିାଧି ଗଲେନି ।
– ଆସୁଥିବେ ବୋ, ହେମାନକର କଥା ନି ଜାନୁ, ମାହା ଝମେଲିଆ ଲୋକ ।
ହୋଟେଲ ସାମନାର ଖଟେ ଏକଲା ବଇସଛେଁ । ଏଗାରଟା ବାର ହେଲା, ବାର ନୁ ଏକ । ବେଲ ଟିକେ ଟିକେ କରି ମୁଡ ଉପରୁ ଖସିରତେଲ ଜଉଛେ । ହଁ କାଣା ହେଇଥିବା ବଲି ଘାଏ ମନକେ ଭୁର୍ତେଇ ହେଲେ ଆର ଘଡି ମନ କେନସି ଜିନିସଥି ବିସ୍ୱାସ ନି କରବାର । ମନକେ ମନ ନାନା କିସମର ଚିନ୍ତା ଦୁସଚିନ୍ତା ପସୁଛେ; ମନ ଘବରେଇ ହଉଛେ, ଗୁଲିଘାଁଟି ହଉଛେ । ନେଇଁ ନେଇଁ କେନ୍ତା ନେଇଁ ଆଏବେ? ଜେନ୍ତା କଲେ ଆଏବେ । ଆଏବି ନି, କହିଛନ ଆରୁ କେନ୍ତା ନେଇଁ ଆଏବେ । ମନ ଘାଁଟିସାଁଟି ହେଇ ହେଇ ବେଲ ଲେହେଁଟି ଗଲା । ଧରସାର ସେ ପିଠୁ ହୁଲକେ ତତଲା ପବନ ସୁଖା ଝରଲା ପତର ମାନକୁ କିଂଦ୍ରେଇ କିଂଦ୍ରେଇ ଆନିକରି କେଚେରେଇ ଦଉଥାଏ ସାମନାଥି । ସୁଖା ଝରଲା ପତରମାନେ ଉଡୁଛନ ଇନୁ ସେନକେ ନେହେଲେ ମନକେ ଲାଗଲେ ଅଟକୁଛନ ବାଟେ । ନେହେଲେ ଉଡୁଛନ ଜେ ଗାଏଚରୁଆ ପିଲାମାନେ ପାଚେନ ବାଡି ଧରି ଭୁତ ଭୁତ ବଲି ଦଉଡୁଛନ ପତରମାନକର ପଛେ ।
ବସସ୍ଟେଣ୍ଡର ଲୋକ ମତେ ସଖାଲୁ ଦେଖଲେ ନ, ମୁଇଁ କାହାକେ ଟାଖିଛେଁ । ଚିହ୍ନାର ଲୋକମାନେ ପଚରଉଛନ, ଇବୁଆ ସଖାଲୁ ଜୁଗିଛୁ କାଏଁ ଜେ ବୋ, ନେଇଁ
ଆଏବାର ତାଏଲ ସେମାନେ? ଜା ଘରକେ ଜା, ହେମାନେ ଆର ନି ଆସନ ନ । ବସସ୍ଟେଣ୍ଡର ପାନଦୁକାନି ଘରୁ ଖେଇପିଇକରି ଫେର ଦୁକାନ ଖୁଲଲା ନ । ନେଇଁ ଆର ଟାଖି ନି ହୁଏ । ଟାଖବାର ସବୁ ସିମା ଲହଁକି ଗଲାନ । ଜଦି ବି ଇହାଦେ ଫେର ଟାଖମି ବଏଲେ ବି ଆର କାମ ନି ଦିଏନ । ନିସଚେ କାଣା ଅସବିଧା ହେଇଥିବା ଜେ ପ୍ରୋଗ୍ରାମ କେନସେଲ ବି କରି ଦେଇଥେଇପାରନ । ପାଖର ପେ-ଫୋନ କେ ଜେଇ କରି ପଚରେଇ ଦେଖଲିଁ, ଖବର ପାଏଲିଁ ସେମାନେ ଅଲଗା ଗୁଟେ ବାଟୁ ପଲେଇ ଜେଇଛନ ।
ଇସ୍, ମୁଇଁ କେଡେ ବୁଡବକ । ନି ବୁଝି ନି ସୁଝି କରି ଗୁଡାଦୁ ନି ହେଲା ଲୁକର କଥାକେ ସତ କଲିଁ । ନିଜର ପାଠସାଠ ଛାଡିକରି ଦିନଭଏର ତାହାକୁ ଟାଖି ରହେଲିଁ । ଦିନାଦୁ ଗଲେ ପରିଖ୍ୟା, ‘ମନି ବେଂକିଂ’ନୁ ନମରଟେ ଦେଖିଥିଲେ ସୋଜ ଜେଇଥିତା । ସେମାନକୁ ବହୁତ ରାଗ ଲାଗଲା । ମୁଇଁ ଜାହାକୁ ସତ କରି କରି ଦିନ ଭଏର ଟାଖି ପାରଲିଁ ସେମାନେ ନି ଆସିପାରୁଁ ବଲି ଟିକେ ଖବର ଦେଇ ନି ପାରଲେ । ଦିହଁମୁଡ ଉଜନ ଉଜନ ଲାଗୁଥାଏ । ମନ ବିରକ୍ତ ଲାଗୁଥାଏ । ଟିକେ ଉସାସ ଲାଗବା କାଏଁ ବଲି ବରତଲର ଚଉତରାଥି ବସି ଦେଖଲିଁ । ଗୋଠୁଁ ଗାଏ ବଲଦ ଘରମୁହାଁ ହଉଥିଲେ । ଦିନ ଭଏର ବୁଲି ବୁଲି ଚେରେ ଚିରଗୁଁଲ ବରଗଛେ ଥାକୁଥିଲେ । ଚେରେମାନେ ସଖାଲପୁଆ ଜାଏକ ତୁମ ପଡବାର ଆଘୋନୁ ତାକର ତାକର କଥା ହଉଥିଲେ ଜେ ସେମାନେ ଆଏଜ କେତେ ଧୁର ଉଡିଛନ । କିଏ କେତେ ନୁଆଁ କିସମର ଖାନା ଖେଇଛେ ଆର ତାକର ଛୁଆମାନକର ଲାଗି କିଏ କାଣାଁ ଆନିଛେ । ମୋର ସୋର ନି ବଇସଛେଁ ଜେ ବଇସଛେଁ ନ । ଚେରେମାନେ କେତେବେଲୁ କଲର କାଟର ହେଇ ତୁମପଡଲେନ । ଧୁରିଆର ମଂଦିରର ସଁଖଘଁଟ ବି କେତେବେଲୁ ବାଜି ସାରଲାନ ଜାନି ନି ପାରଲିଁ । ଠକେଇ ହେଲିଁ ବଲି ମନ ଘାଏ ଖୁଟ ଲାଗଲେ ଘାଏ ଭୁରତେଇ ହଉଥାଏ ଆର ଘରକେ ଫିରୁଥେଁ । ଗାଁ ମୁଡସାର ଆଖଡାସାଲୁ କର୍ଣ୍ଣ ପାଟ କରସି ରାଧୁର ଟୁଣ ଢାପିଁ ଆନୁଥାଏ, “ଜନମ ଆର ମରନ ଖାଲି ତମର ହାତର କଥା, ବାକି ସବୁ ମୋର ହାତର କଥା । ମୋର ଭାଗ୍ୟର ବିଧାତା ତମେ ନେଇଁ ସେ, ମୁଇଁ ଆଏଁ ।”
ଛଣିଆ: ସାକେତ
ଧାଏରରେ ………… ଧାଏରରେ ………. ।
ଢନ ଢନ କରି ଟିନଡବା ବଜେଇ ବଜେଇ ଖେତର ଇ ମୁଡସୁ ସେ ମୁଡସା ନର୍ଦି ନର୍ଦି ଜୁଗନୁ ଅଥା ହେଇଗଲା । ଅଁଟାନୁ ଡୁବି ବାହାର କରି ଭାଂଗ ଗଫେ ଖାଏଲା ।
“ମୁନୁସ ବଜେଇ ହେଇଜିବ ମାହାଁ । ସସୁରର ପିଚିପିଚି ଚେରେମାନେ ସାଧିଦଉଛନ । ନି ପାରିହେଲାରେ ବାବୁରେ, କାଣା କରି ହେସି ଜେ?”
ସତେ ଜେନ୍ତା କୁହୁଡିଆ ପାଗେ ହଜଲା ଟଂଗା ନୁରି ପକାଲା । ଜେନ୍ତା ଆର୍କମେଡିସ ସୁତ୍ର ପାଇକରି ଗାଧୁଆଘରୁ ନଂଗଲା ହେଇ ଇଉରେକା ଇଉରେକା ବଲି ନର୍ଦିଥିଲା, ଜୁଗନୁ ବି ଛଣିଆ ଛଣିଆ ବଲି ମିଲକି ଦେଲା କେନଆଡେ । ଆର ସାଂଗେ ଘଡେକେ ଫେର ହାଜର । ବୁହି ଆନଲା କେନୁଜେ ଖଣେ ସାଟ, ଗୁଟେ ମେରା, ବିଡାଦୁ ନଡା, ଅର୍ଛିଲା ପାତଲିଟେ ଆର ଲାଂଗେ ପଟ । ଠୁଲାଲା ସାମାନ କେ ଜେନ ଜେନ ଠାନେ ଖଂଜବାର କଥା ଖଂଜୁଛେ । ମନଫୁଲା ଗିତ ଗଉଛେ:
ହା..ହା..ହା…ହା..ହା…
ଆମେ ଛଣିଆ ବନଉଛୁଁ
ଛଣିଆରେ ଛଣିଆ ତୁଇ ବଡ ଗୁନିଆଁ
ଚେରେମାନେ ଆସିଲେ ମୁର୍କୁଟି ଖାଇବୁ
ଛଣିଆର ପେର୍ରାପେଟ ବରଗଡ ହାଟ
ପେଟର ଉପରେ ତତେ ପିଂଧେଇ ଦେମା ସାଟ ।
ଜେଇନଛୁ ଇଟା ମାହଜନର ପୁଓର ସାଟ ଆଏ । ରଂଗ ଖେଲଲା ବେଲର ରଂଗ ଲାଗିକରି କେନ୍ତା କାବରି ଚିତରି ଭିରଭିରନିଆଁ ଦିସୁଛେ । ଆର ତାଏଲ, ଆର ଗୋ ଚେରେ ମାନେ ଆଏବେ । ବେଟେ କେତେ ଦହସତ କରୁଥିଲେ । ଆଁଖିର ବାଲ ଏଡେ ଏଡେଟା ବଲବ ସାଧି ପକଉଥିଲେ ।
ଛଣିଆର ଦିହେଁ ମାହାଜନର ପୁଓ ବାଗିର ସାଟ । ମୁଡେ କଲା ପାତଲି, ସେଥି ଢେଲା ଢେଲା ଆଏଁଖ, ନାକ, ଚଏଣ ଆର ସବୁବେଲେ ଜିସୁଖ୍ରିସ୍ଟ ବାଗିର ମେଲା କରିଥିବାର ହାତେ ବଂଧା ହେଇଛେ ଡବାଥି ବନାଲା ଘଂଟି । ପବନ ବାଜଲେ କି ଘଂଟି ଢନ ଢନ ବାଜସି, ମୁଡର ପାତଲି ଘଡିର ପେଣ୍ଡୁଲମ ବାଗିର ହଲସି ।
ଜୁଗନୁର ଉସତ କହେଲେ ନି ସରେ । ପାର୍ବତିବି ଗଣେସକେ ଜିବନ ଦେଇକରି ହେତକି ଖୁସ ନି ହେଇଥିବେ । ସତେ ସେ ବୈଜ୍ଞାନିକ ମାନକର ରୋବଟ ଠାନୁ ଆର କାଣା ଗୁଟେ ଅଏଧକା ଭଲ ଜିନିସ ବନେଇ ପକେଇଛେ । ଜୁଗୁନୁ ଛଣିଆଁର ଭଉଁର ଭଉଁର କିଂଦ୍ରି କିଂଦ୍ରି ଦେଖୁଥିଲା ଜେନ୍ତା ସେ ଇତାର ଆଘୋନୁ କେଭେ ଛଣିଆ ନି ଦେଖିଥେଇ ।
ଛଣିଆ ଠାନେ ଜୁଗନୁର ମନଭରି ଆଏଲା । ଛଣିଆକେ ଖେତର ଭାର ସିଁ ଦେଇକରି କୁରମା ନ ଘାଏ ବସଲା । କାନେ ଖୁଚଲା ଖଁଡିଆ ବିଡିକେ ଫିକିଦେଲା
ଆର ନୁଆଁ ବିଡିଟେ ପହଁଟାଲା । ପାଗ ହିଟେଇକରି କରିଆକେ ପକେଇଦେଲା ଆର ଘଡେ ଛାଟହେଇ ସୁଇଲା । ଛଣିଆର କଥା ଭାବି ଭାବି କେତେ ବେଲେ
ସୁଇପଡଲା ଜେ ଜନା ନେଇଁ ।
ଆଏଜ କାଲି ଛଣିଆର ଡରେ ଆର ଚେରେ ମାନେ ବେ’ସା ଖେଇ ନି ଆସବାର ନ । ଆର ଜେନ ମାନେ ବି ଆଏସନ, ରୁଇ ଘୁରେନ ନ ବସସନ, ଛଣିଆକେ ଦେଖସନ ହେଲେ ବେ’ସା ଭିତରକେ ଜିବାରକେ ସାହାସ ନି କରନ । ଆର ଜଦି ପବନ ଭୁରେ ମାରୁଛେ ବଏଲେ ଡବାର ଢନ ଢନ ଆର ଛଣିଆର ମୁଡହଲା ଚେରେ ମାନକୁ ଆର ଡର ଡରନିଆ ଲାଗସି ।
ଜେନ୍ତା ବେଲ ବୁଡିଜାଏସି, ଭୁତଭୁତିଆ ହେସି, ଛଣିଆର ରାଏରକମ ବଦଲି ଜାଏସି । ମାହାଜନର ପୁଓର କାବରି ଚିତିରି ସାଟ କେନ ଜଂଗଲି ଜାନବରର ଛାଲ ବାଗିର ଦିସସି । ମୁଡର ପାତଲି ଭଉଁର ଭଉଁର କିଂଦିରସି । ସତେ ଜେନ୍ତା ତାର ମୁଡେ କେନ ଅନମୁନସିଆର ଭୁତ ପସିଛେ ।
ଛଣିଆ, ଛଣିଆ ନେଇସେ, ସେ ଇ ରାତିର ମାଲିକ ଆଏ । ଇହାଦେ ତାର ହାତର ଡବା ଗୁଟେ ଅଲଗା ସୁରେ ବାଜୁଛେ । ସେ ସବଦ ସୁନିକରି କେନ କେନ ଥିଲା ଚେରେମାନେ ଉଡି ଆଏସନ । ଇ ଚେରେକର ଗତାଗତ ଖାଲି ରାତିର ବେଲିଆ । ସେମାନେ ରୁଇ ଘୁରେନ ନ ନି ବସନ, ବସସନ ଛଣିଆର ଖଂଦେ । ତାକର ଭିତରେ ଫୁସୁର ଫାସର ହେସି, ସେସେ ଛଣିଆ ମୁଡହଲାସି । ସେମାନେ ଉଡି ଜାଏସନ ସାଗୁଆ ବେସା ଭିତରକେ । ସେନ ମନମାନି କରସନ । ମନସୁସ୍ତା ଚରସନ, ବୁଲସନ । ଫେର ପେଟ ପୁରିଗଲେ, ମନଭରି ଗଲେ ଢଲତେଲ ଆସିକରି ସାଗୁଆ ଘାଁସର ସେଜେ ଆରାମ କରସନ ।
ଜୁଗନୁ ଝୁମୁରାନୁ ହଡବଡେଇ କରି ଉଠଲା । ଭମକିଲା ବାଗିର ବେବଲେଇ ଗଲା । ଉଠିକରି ଛଣିଆକେ ଦେଖଲା । ଏକସକଁଟି ଦେଖଲା । ମୁଡର ପାତଲି ଭଉଁର ଭଉଁର କିଂଦରୁଛେ ଆର ହାତର ଡବା ଦମକଲର ଘଂଟି ବାଗିର ବାଜୁଛେ । ମାହାଜନର ପୁଓର କାବରି ଚିତରି ସାଟେ ଛଣିଆ ଅବିକଲ ମାହାଜନର ପୁଓ ବାଗିର ଦିସୁଥିଲା । ଘଂଟି ହେନ୍ତା ବାଜୁଛେ ନ ଦମକଲ ବାଗିର । ମୁଡର ପାତଲି କିଂଦ୍ରି କିଂଦ୍ରି ରାଖ୍ୟାସ ବାଗିର ହଁସୁଛେ । ମାହାଜନର ପୁଓର ଭେସେ ଛଣିଆ ପାହେ ପାହେ କରି ଜୁଗନୁ ଆଡକେ ଆସୁଛେ । ଡରେ ଜୁଗନୁର ଦିହୁଁ ଝାଲ ବୁହିଗଲା । ନର୍ଦିଲା ବିନସୁରିଆ ହେଇ । ବାଟ ଜେନ ଜେନ ଆଡେ ଦିସୁଥାଏ ଖେତେ ଖଲେ ସେସେ ଆଡେ ନରଦୁ ଥାଏ । ବେଲ ବୁଡାର ଅଂଧାର ଚାର୍ହିଆଡକେ ଢାପିଁ ଆନୁଥାଏ ।
ନାଟୁଆ: ସାକେତ
ପାଖାପାଖି ତିରିସଫୁଟ ହେବା ଲମେ ଆର ପଂଦରଫୁଟ ଜାଏକ ଉସାର ହେବା ଇସକୁଲର ଇ ତରାର ବଖ୍ରା । ହେଟା ଆଖଡାସାଲ ଆଏ ସେମାନକର ।
ମାସ୍ଟ୍ରେ ଆଖଡାସାଲର ସିକଲା ଖୁଲିକରି ଲାଇଟ ଜଲେଇଦେଲେ । ସାଠେ-ପାୱରିଆ ବଲ କୁଠାଟାକେ କଁଟକେ କଁଟ ନାପଲା ବାଗିର ଉକିଆ କଲା । ମାସ୍ଟ୍ରେ ବିରକ୍ତ ହେଇ ଜଉଥିଲେ, “କେନ୍ତା କିସମରଟା ଗୁଡାଦୁ ବୋ ଇମାନେ, ଟିକେବି ସମିଆ ଗ୍ୟାନ ଜନାନାଇଁ ଜେ । ଛିସ, କେହିଁ ଏନ୍ତାଟା ଗୁଡାଦୁ କୁ ନେଇକରି ନାଟ କଲିଁ ଜେ” ।
– ହେତାର ଦୁକାନେ ଟିକେ ପାନ…
– ଦେଖ ଆର ଦୁଇଦିନ ଗଲେ ଡ୍ରାମା ସ୍ଟେଜ ହେବା, ଆର କେତେନିଟେ ଜିନିସ ବାକି ଅଛେ ତାଏଲ କରବାର କେ । ସବେ ଆଏଲନ, ନିର ଜେ ?
– ଟିକେ ଛାଡିକରି ଆଏବା ପରେ ତାର କେଁ କାମ ଅଛେ ।
– କେନ୍ତାକରି ରିହେରସେଲ ହେବାସେ, ଜଣେବି ନି ରହେଲେ ଡ୍ରାମା ହେଇନି ପାରେ ନା । ଆଏଜ ଦିନ ଜାଏକ ଜେତକି ରିହେଲସେଲ ହେଲାନ, କେଭେବି ଥରେ ଠିକସେ ନି ହେବାର ତାଏଲ । ବେଲେ କାଣା କରମା ଇହାଦେ ?
– ଜେତକି ଲୋଗ ଅଛୁଁ ସେମାନକରଟା କରୁଁ, ହେ ଆଏଲେ ଫେର କରମା ।
– କର ।
ମାସ୍ଟ୍ରେକର ମନ ବୁତରି ଗଲା ବାଗିର ଲାଗଲା । ହେନ୍ତା ଅଧାଲୁକେ ରିହେରସେଲ ମୁଲ ହେଲା ।
“ଆସିଥିଲିଁ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି”
– ନାଇଁ ନାଇଁ ହେନ୍ତା ନାଇଁ । ଇ ଆଡେ ଦେଖ । ଆଗକେ ଜା’ନୁ । ଦେଖ ଏନ୍ତା ଆଏବୁ । ତୁଇ ଆସୁଛୁ ଜେ ଅଡିଏନ୍ସକେ ପଛ କରିଦଉଛୁ । ଗୁଟେ କଥା ମନେରଖବ ଜେ, ଆମେ ନାଟ ଲୋକକୁ ଦେଖାବାର ଲାଗି କରୁଛୁଁ, ଲୁକାବାର ଲାଗି ନୁହେଁ । ଆରଥରେ ଆ । ବେସ ବେସ, ହରିଣକେ ନୁରି ନୁରି ତୁଇ ହେ ଗଛତଲ ଜାଏକ ଆଏବୁକି ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଆଏବା । ସକୁନ୍ତଲା ଜେ?
– ହେ ଘାଏ ସକୁନ୍ତଲାରଟା କରିଦଉଥଉ ।
– ସବୁବେଲେ ଗୁଟେ ହେନ୍ତା କରିହେବା । ଘଡେଛନେ ସିନେ । ଇହାଦେ ତାର କେତେଟା ନୁଆଁ ସିଚୁଏସନ ଆର ଡାଏଲଗ କରା ହେଇଛେ । ପ୍ରକ୍ସି କଲେ ସେ ଜାନବା କେନ୍ତା କରି ? କେନ୍ତା ହେଇଛେ ଜାନିଛ । ଇନ ଗଛତଲେ ଦୁସ୍ମନ୍ତ ଠିଆ ହେଇଛେ । ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଗାଧିକରି ଆସୁଛେ । ସବେ ଖାକେ ମଠିଆ ଗୁଟେ ଗୁଟେ ଧରିଛନ ଆର କଥା ହେତେଲ, ହଁସତେଲ ଆସୁଛନ । ଆର୍ଟ ଡାଏରେକ୍ଟର ଟିକେ ଧ୍ୟାନଦିଅ; ସକୁନ୍ତଲା ଆସୁଛେ, ଆକାସର ରଂଗ ବଦଲି ଜଉଛେ । ନିଲିଆଟା ଧିରେ ଧିରେ ଇନ୍ଦ୍ରଧନୁ ବାଗିର ସାତରଂଗିଆ ହେଇଜଉଛେ । ଜଂଗଲଟା ଜାକର ଜିବଜଂତୁ, ଗଛଖୁଟ, ଡଂଗରଝରନା, ଚେରେଚିରଗୁଁଲ ଭୁଲିଜେଇଛନ ନିଜର ନିଜର ରଂଗ ଆର ମାଖିଛନ ରଂଗରଂଗିଆ ଫଗୁ । ମ୍ୟୁଜିକ, ଝୁମେର ଟାଇପର ଏନ୍ତା କାଣା ଗୁଟେ ବଜଜେ ଜେନ୍ତା ସକୁନ୍ତଲାକେ ସବେ ଟାକିଛନ, ଆର ସକୁ ଆସୁଛେ କି ସାରା ଜଂଗଲ ନାଚି ପକଉଛେ । କିହେ କାହାରିର କଥା ସୁନବାରକେ ଆର ନେଇନ । ସତେ ଜେନ୍ତା କାଏଁ ନିସା ଲାଗିଛେ ଜେ, ସବେ ନିଜର ନିଜର ଧୁନଥି ମାତିଛନ । ଲାଇଟ, ସୁନ, ସକୁ ଗୁଟେ କବିର ସପନ; ଆସୁଛେ । ଜେନ୍ତା କଢଟେ ନୁ ଫୁଲଟେ ଫୁଟୁଛେ । ସକୁର ଆଏବାର ଆଘୋନୁ ଚାର୍ହିଆଡ଼ ଅଂଧାର ଥିଲା । ତାପନେ ଆସୁଛେ କି ଚାର୍ହିଆଡ଼େ ଧିରେ ଧିରେ କରି ଉକିଆ ହଉଛେ । ଜେନ୍ତା ସକୁ ସତେ ବେଲ ଆଏ ଉଦୁଛେ । କେତେ କେତେ କଥା ଭାବିଛେଁ ଆର ଏନ୍ତା କଲେ ହେବା ? ମାସ୍ଟ୍ରେ ଗୁଟେ ସାଁସେ ସବୁ କହିଦେଲେ ଆର ଲମା ସାଁସଟେ ନେଇକରି କାଁଥିଥି ଫେରଥରେ ଉଧେଇ ହେଲାବେଲକେ ନିର ଆଖଡାସାଲର ଦୁଆରବଂଧେ ଚପଲ ଖୁଲୁଥିଲା । କିଏ ଗୁଟେ ବଏଲା, ‘ଆଏଲେ ଲାଟସାହେବ’ । ମାସ୍ଟ୍ରେ ନିରକେ କିଛି ନାଇଁ କହେଲେ ହେଲେ ତାର ସୁକେ ସୁକେ ଦୋସିଟେ ବାଗିର ସଫେଇ ଦେଲା ।ତଥାପି ବି ମାସ୍ଟ୍ରେ କିଛି ନାଇ କହେଲେ । ମାସ୍ଟ୍ରେକର ତୁମ ପଡବାରନୁ ସବେ ବୁଝିଗଲେ । ଚୁ ଚାପ ସବେ ନିଜର ନିଜର ପୋଜିସନ ନେଇଗଲେ । ମାସ୍ଟ୍ରେ ସମକୁ ନଜରେ ଦେଖି ନେଇ ସ୍ଟାର୍ଟ ବଏଲେ । ରିହରସେଲ ମୁଲ ହେଲା ।
– ଧର ଧର ଧର ଧର
ମାର ମାର ମାର ମାର
-ମୁନୁସକେ ହଏରାଣ କରୁଛେ ଛାର ହରିଣ ଛୁଆଟେ
– ଧର ଧର ଧର ଧର
ମାର ମାର ମାର ମାର
– ଆସିଥିଲିଁ ଇ ଜଂଗଲକେ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି ।
ସୋଜହେଲେ ମାସ୍ଟ୍ରେ ଠିକଅଛେ, ଏତିକି ଦୁର ଠିକଅଛେ ବଲିକରି ବାକି ଲୋକର ମନ ଭୁରତେଇ ଦେସନ । ହେଲେ ମନ ତାକର ଦାନଛିନୁ ବାଭନ ବାଗିର ଆର ଆର ବଲି ଖୁନଖୁନଉ ଥିସିନ ।
ମାସ୍ଟ୍ରେ ଠିକା ବୁଝସନ ଆର୍ଟିସ୍ଟମାନକର ମନର କଥା । ସେମାନେ ବୋର ହେଇଗଲେ କି ଛୁଟିଆ ବ୍ରେକଟେ କଲେ । ଗୁଟେ ଗୁଟେ କରି ସଭେ ପଲେଇ ଗଲେ ଜିଏ ଜାହାର ମାର୍ଗେ । ଛୁଟିଆ କାମଟେ ନୁ ବି ଟିକେ ଉସ୍ତାର ପାଏଲେ ବଢେଟେ ଉସାସ ଲାଗସି । ହେଲେ ମାସ୍ଟ୍ରେ ହେନ୍ତା ବସି ରହେଲେ ଆଖଡ଼ାସାଲର କାଁଥିଥି ଉଧେଇ ହେଇକରି । ବାକି ମାନକର କାଣା ଜଉଛେ ନାଟ ରିହେରସେଲ ହେଲେ କି ନାଇଁ ହେଲେ । ସେଟା ଡାଏରେକ୍ଟରର ମୁଡ଼ଦୁଖା ।
ମାସ୍ଟ୍ରେକର ଆଁଖି ଆଁଖେ ସପନ । ସେ ନାଟ କରତେ । ଦେଖେଇ ଦେତେ ନାଟଟା ଖାଲି ମନଭୁର୍ତା ଜିନିସ ନୁହେ । ଇଟା ଜିବନର ସତ ଆଏ । ନାଟୁଆ ମାନେ କମ ନୁହନ ଗୁଟେ ଗୁଟେ ଦେବତା ଆର ସବୁ ସ୍କ୍ରି୍ଟ ଗୁଟେ ଗୁଟେ ଗିତା, ବାଇବେଲ କି କୁରାନ । ତାହାକୁ ଲାଗସି, ତାହାକୁ କିହେ ବୁଝିନି ପାରବାର । ରିସେ କେଚରେଇ ହେସନ । ଉକୁବୁକୁ ଲାଗସି ତାହାକୁ । କଲବଲ ହେସନ ଛୁଆକର ବାଗିର । ସତେ କିଏ ତାକର ସପନର କୁଲିହାଘରକେ ଧସକେଇ ବିଦରେଇ ଦଉଛେ । ସେ ସେ କଥାକେ ଅହରହ ଇଁଚରଉଛନ ନ । ଗୁଂଦଲେଇ ହଉଛନ । ମନେ ମନେ ପୁଟପୁଟେଇ ହଉଛନ । ଜାହା ଭାବୁଛନ କାହାକେ କହି ନେଇପାରବାର କି ସେ ଭୁଲି ନି ପାରବାର । ମନେ ଆଉ କିଛି ନେଇଁ ଗୁଟେ ଭାବନା; ସେ ନାଟୁଆ ନାଟ କରବେ । ଆଏଁଖ ଆଗାଡ଼େ ଝଲସି ଜଉଛେ ଗୁଟେ ଗୁଟେ ସିନ ମନେ ଭାବଲାଟା । ଆର ସେ ହଜି ଜଉଛନ ସେ ଭିତରେ । ନିସା ଲାଗିଛେ ନାଟର ନାଟୁଆକେ । ବଜା ତାର ସୁକେ ସୁକେ ବାଜୁଛେ ଭରନି ପାର । ବଜାର ସୁରେ ସୁରେ ବଦଲୁଛନ ମାସ୍ଟ୍ରେ । ମାସ୍ଟ୍ରେକର ଦିହଁର ରଂଗବରନ ବଦଲି ଜଉଥିଲା; ବଦଲି ଜଉଥିଲା କପଡ଼ାଲତାନୁ । ସାଠେ-ପାୱରିଆ ବଲର ଉକିଆଥି ବି ମାସ୍ଟ୍ରେକର ଦିହେଁ ଉବକିଲା ଚିହ୍ନାମାନେ ଫଟିକ ବା’ରି ହଉଥିଲା । କପାଲଫୁଲି ଜେଇଥିଲା, ମେଛା କର୍ରା କର୍ରା ମେଛା, ଚଣେ ରଜାର ହଁସି, ମୁଡେ ମୁକୁଟ, କାନେ କୁଂଡଲ, ବେଁକେ ମାଲି, ବାହାଥି ବାହାଟି, ଛାତିଥି କବଚ, ଅଁଟାଥି ଅଁଟାପଟି ସବୁ ସବୁ ବଦଲି ଜେଇଥିଲା । ମାସ୍ଟ୍ରେ ରଜା ବାଗିର ଦିସୁଥିଲେ । ସ୍ୱଏକାଦ ତାକର ନାଟ ‘ସକୁନ୍ତଲା’ର ଦୁସ୍ମନ୍ତ ରଜା ବାଗିର ।
ବଜାର ସୋର ବଦଲି ଜଉଥିଲା । ଦୁସ୍ମନ୍ତ ହରିଣକେ ନୁରି ନୁରି ଅଥା ହେଇ କରି ଗଛତଲେ ଟିକେ ଥାକିଛେ ବେଲକେ ସକୁନ୍ତଲା ଧିରେ ଧିରେ ତାର ସଖିମାନକର ସାଂଗେ ଆସିଛେ । ସକୁନ୍ତଲା ତାର ଦୁହି ସଖିମାନକର ମଝି ଜୁଡେ କଅଁଲି ପତର ଭିତରେ କଢଟେ ବାଗିର ଦିସୁଛେ । ଖାକେ ମଠିଆ ଧରିଛନ, କଥା ହଉଛନ ଆର ହଁସୁଛନ । ସେମାନେ ଆସୁଛନ । ରଂଗ ବଦଲି ଜଉଛେ ଆକାସର, ଗଛର, ଖୁଟର, ଡଂଗର , ଝରନା ସମକିରର । ଜଂଗଲ ଜାକିର ଝୁମିଡୁଛନ ଇ ଅବେଲର ଫଗୁନଥି । ପି’ଛନ ନିସାକି କେନ୍ତାଜେ ନାଚୁଛନ ବେସୁରିଆ ହେଇ । ରଜା ଦୁସ୍ମନ୍ତ ସକୁନ୍ତଲାକେ ଦେଖିକରି ନିଜକେ ପାସରି ଦଉଥିଲା । ତାହାକେ ସୋସକଲା । ଦୁସ୍ମନ୍ତ ସକୁନ୍ତଲାକେ ପାଏନ ମାଗଲା । ସକୁ ଖାକର ମଠିଆନୁ ପାଏନ ରୁକିଦେଲା । ଦୁସ୍ମନ୍ତ ଆଁଠୁାରିକରି ପାଏନ ପୁଥିଲା, ଦେଖୁଥିଲା । ପାଏନ ପୁଥିଲା ଦେଖୁଥିଲା ସକୁନ୍ତଲାକେ ଜେ ଚାର୍ହିଆଏଁଖ ଗୁଟେ ହେଇଗଲା । ପି’ଲା ଅମୃତ କି ନିସା ଜେ ହଜି ଜାଇଥିଲା ତ ହଜିଜେଇଥିଲା ଜେ ଆର ହଜିଗଲା । ମାସ୍ଟ୍ରେ ଭୁଲି ଜଉଥିଲେ ଘରଦୁଆର ଲୋକବାକ, ବଂଧୁବାଂଧବ ପରାପାଟ ଗାଁସହର ସବୁ ।
ବାଲଝୋଟ: ସାକେତ
ବେଲ ଟିକେ ଉହରି ଥିଲାନ । ହଜହଜିଆ ନାତିମାନେ ଦୁଆରେ ବିସ-ଅମୃତ ଖେଲୁଥାନ । ନାତିମାନକୁ ଦେଖି ଦେଖି ବାରଣ୍ଡାନ ଅଜା ଆରାମି ଚେୟାରଥି
ପେପର ପଢି ବସଲେ । ପେପରଥି ସବୁଦିନିଆ ଏକା ଖବର ଦେଖି ଅଜା ବୁଢା ସୋଜ ଖାଲି ଦୁଇ ତିନ ଥର ଇଆଡ ସିଆଡ ଲେହଁଟେଇ ପୁଲଟେଇ ପେପର ନା’କେ ଧରିଥାନ ପଢୁଛେଁ ବଲି । ହେଲେ ମନ ଥିଲା ଛୁଆକର ବିସ-ଅମୃତଥି ।
ବିସ-ଅମୃତ ବଢା ମଜାକିଆ ଖେଲ । ମାଇ ଜେନ ପିଲାକେ ବିସ ବଲିକରି ଛିଁ ଦେବା, ସେ ପିଲା ଅମୃତ ନାଇଁ ପାଏବାର ତକ ମଲା ବାଗିର ଅଚଲ ହେଇଜିବା ।
ବସି ରହେବା ହେ ଠାନେ ଜେନ ଠାନେ ମାଇ ଛିଁ ଦେଇଥିବା । ନର୍ଦି ନି ପାରେ, ଖେଲି ନି ପାରେ, ମାଇ କେ ଟିହେଇ ନି ପାରେ:
“ମାଇ ତଲର ଧନିଆଁ
ବଏଁସି ବାବୁର କନିଆଁ
ଖିଜିନି ଖିଜିଗଲା
ଅଁଟାରେ ଦାଦୁ ହେଲା
ବଇଦ ଉସୋ ଦେଲା
ନି ଛାଡଲା କାହାର ଗଲା
ଖିଜିନି ଘରର କାଏଁ ତୁନ
କିରା ସରସର ମୁଗ ତୁନ” ।
ଆର ମାଇର ଅଜାନତକେ ଜେତେବେଲେ ତାର ସାଂଗର ପିଲାମାନେ ସେତାକେ ଅମୃତ ଦେବେ; ସେ ଫେର ଜିଁ ଉଠବା, ନାଚବା, କୁଦବା, ଖେଲବା ।
ବିସ ପାଇକରି ବସି ରହେବାରକେ କାହାକେ ଅଏନ ନି ଲାଗେ । ସବେ ଦୁରିଆ ରହେସନ ବିସନୁ । ସକସପିଲା ନର୍ଦିକରି ପଲେଇ ଜାଏସନ ହେଲେ ଦୁର୍ବଲଟାମାନେ, ମାଇ ପାସକେ ଆଏଲେକି ବାଲଝୋଟ କରିକାସନ ଡରେ । ଭାଏଲ ମାଇ ବିସ ଦେଇ ଦେଲେ ଅଚଲ ହେଇଜିବେ; ସେମାନେ ଆର ଉଠି ନି ପାରନ । ଫେର ଅମୃତ ପାଏବେ ନାଇଁ ପାଏବି କିଏ ଜାନିଛେ । ବାଲଝୋଟ ମାଫ ଆଏ ସବୁଥିରର । ବାଲଝୋଟ କରିକାଲେ ଜେତେବେଲ ଚାହେଁଲେ ସେତେବେଲ ଥାକି ପାରବ ।
ଅଜା ଭେକା ଛାଡନୁ ଦେଖୁଥିଲେ ଛୁଆମାନକର ବିସ-ଅମୃତ ଆରୁ ବାଲଝୋଟ କରା ଖେଲ । ଆର ଏକସକଁଟି ଦେଖୁଥିଲେ ନାତିମାନେ ଧିରେ ଧିରେ ତାକର ଛୁଆ ବେଲର ସାଂଗ ହେଇ ଜେଇଛନ ଆର ସେ ବି ତାକର ଭିତରେ ଗୁଟେ ଛୁଆ । ଖେଲୁଛନ ବିସ-ଅମୃତ । ତାକର ସବୁ ସାଂଗ ନର୍ଦୁଛନ, ମାଇକେ ଟିହଉଛନ ।
ହେଲେ ତାପନେ ନାଇାଁରବାର । ମାଇ ବିସ ଦେବାରକେ ଆଏଲେକି ବାଲଝୋଟ କରିକଉଛନ । ଅଜା ବାଲଝୋଟ କରୁଛନ । ତାପନେ ଘାଏ ଥାକବେ, ସାଂଗେ ଥାକି ପଡବେ ଉଡି ଜଉଥିଲା ଚେରେ ଡେନା ଫେରକେଟେଇ କରି, ଥମି ପଡବେ ଖଲଖଲାତେଲ ନର୍ଦୁଥିବାର ନଏଦ ଆର ହରହୁରିଆ ଧୁକା । ଅଜା ଫିରିଜିବେ ବନେ ଦିନାଦୁ ପଛକେ । ମାନସାଂକଟେ କେ ବି କଲାପଟାଥି କସୁନ କସୁନ ଭୁଲକରି ଦେଇଥିଲେ ଜେ ଫେର ମୁଲୁସଟ୍ରୁ ମେଟେଇ ଠିକ କରିଦେବେ । ଆର ଫେର ବାଲଝୋଟ କରବାର ଲାଗି ହାତ ମୁଡକେ ନେଲେ ହେଲେ ମୁଡେ ତାକର ବାଲ ନେଇନ ଧରିକରି ବାଲଝୋଟ କରବାର କେ ।
କୁଲିହାଘର: ସାକେତ
ସେସକେ ସବି ଜିତି ହିଁ ଗଲା । ଆଏଜ ତାର ମନର ମୁନୁସକେ ଭେଟବା । ପାହା ତଲେ ନାଇଁ ଲାଗବାର ।
ଦୁଇ ବଛର ତଲର ଜୁଡେ ମନର ଲୁକାଚୁରା ଭେଟଘାଟ ଜେତେବେଲେ ସବିର ବାପାଠାନେ ଧରାପଡି଼ ଜେଇଥିଲା; ଆର ପାଁଚ ଲୋକରନୁ ପାଁଚଟା କଥା ସୁନିକରି ତାକର ମୁଡ଼ ସରମେ ତଲ ହେଇଜଉ; ତାର ଆଘୋନୁ ଜୁଡ଼େ ଭାବର ଦିଆନିଆଁକେ-ସମକିରର ସାମନେ, ସମାଜର ଆଗାଡେ-ଜୁଡେ ଘରର ଦିଆନିଆଁଥି ବଦଲେଇ ଦେଲେ । ନେହେଲେ ସବିଜେ ତାକର ଗୁଟେବଲି ଝି ।
ଆଏଜ ସବିର ବିହାଘର । ଝୁଟି, ଆମ-ତୁରନ, ବମ-କାଗଜ, ଜରି-କାଗଜଥି ଘରଟା ଝଲକି ଜଉଛେ । ଦୁଲଦୁଲି, ହୁଲହୁଲିଥି ପରାଟା ଗହଗହ ଲାଗୁଛେ ।
“ସବି, ହାଦେ ତୋର ବଉଲ ଘରେ ଆଏଲେ ନ । ଜରେ ମାଁ ଜ, ଭିତରକେ ଜ ।” ରାଂଧନିଆ ମାନକୁ ଜିନିସ ପତର ବାହାର କରେଇ ଦଉନ ଦଉନ କହେଲେ ସବିର ମାଁ ।
ଆଏଜ କାହାରିର ଫୁର୍ସତ ନେଇଁ । ସବକେ ସବ ଲାଗି ପଡିଛନ କେନ ଗୁଟେ ବଢ଼େଟେ ସେତୁବଂଧା କାମେ । ସତେ ଜେନ୍ତା ଇ ସେତୁ ତାହାକୁ ବେଲଉଦବାର ଆଘୋନୁ ବାଂଧବାରକେ ପଡ଼ବା । ଇଟା ରଜାର ଆଦେସ ଆଏ ।
ସବିକେ ତାର ବଉଲ, ମକର, ସାଂଗ, ସଏରତା ସଜେଇ ଦଉଛନ । ମେହେଂଦି, ଅଏଲତା, କଜଲ, କୁମକୁମ ଜେନ ଜେନଟା ଜେନଜେନ ଠାନେ ମଖାବାର କଥା ମଖେଇ ଦଉଥାନ । ସଜାଲା ବେଲକେ ମଝି ମଝି ତାକର ତାକର ଭିତ୍ରେ କାଏଁ କାଏଁ କଥା ହେଇକରି ସୋଜ ସୋଜ ହଁସି ପକଉଥାନ । ସବିର ସାଂଗମାନେ ଜେତିକି ହଁସନ, ସବି ସେତିକି ଲାଜେ ହୁଏ ।
ବାରଣ୍ଡାନ ଛୁଆମାନେ ଗୁଗାଲେ, “ସେମାନେ ଆଏଲେନ, ଆଏଲେନ, ଇସକୁଲନ ଅଛନ, ଚାଲଦେଖିଜିମା” ।
ସବିର ମାଁ ନରଦି ଆଏଲେ, “ଏ ନୁନି ମାନେ ଟିକେ ଝଟକରି ସାର ସେମାନେ ଆଏଲେନ ପରେ” ।
ସବିକେ ସଜେଇ ସାରିଥିଲେନ, ଖାଲି ସେସଥରର ଲାଗି ଦେଖି ନଉଥିଲେ ଜେ ଜେନଜେନଟା ଜେନ ଜେନ ଠାନେ ଲାଗବାର କଥା ଲାଗିଛେ କି ନେଇଁ । ସତେ ଜେନ୍ତା ଗୁର୍ଦୁ ଦିନର ଅସଫଲ କାରିଗରଟେ ଆଏଜ ତାର ମାସ୍ଟରପିସର ଫିନିସିଂଗ ଟଚ ଦଉଛେ । ଆଏଜ ସେ ସଫଲ ହେବା ।
ସବି କେନ ପୁରାଣର, ଗୁର୍ଦୁଦିନୁ ବାପ ହେବାର ଇଛାଥି ଜଗ୍ୟଁ କରିକରି ଝିଟେ ପାଇଥିବାର, ରଜାର ଝି ବାଗିର ଦିସୁଥାଏ ।
ଉପର ମହଲାନୁ ବରାତ ଦେଖୁଥିବାର ଛୁଆମାନେ ‘ହୋ’କରି ନର୍ଦିି ଆଏଲେ । ଘରର ଭୁଆସେନମାନେ ଜାଗର ବଏଠା ଧରି ନର୍ଦି ଆଏଲେ । ବଜା ବାଜୁଛେ, ବରତିଏ ନାଚୁଛନ ଗାଁ ଖୁଇଲ ଦୁଲକି ଜଉଛେ । ଘରର ପୁରଖାମାନେ ବରପିଲାକେ ପର୍ଘେଇ ଆନଲେ । ମାଏଝି ଟୁକେଲ ଗାଲ ସେଁକଲେ, ହାତ ଧରିକରି ବେଦିସାଲକେ କଢେଇନେଲେ । ବାଭନ ମଂତ୍ର ପଢଲା, ବିହା ମୁଲହେଲା ଆର ଠିକ ହାତ ବଂଧନ ପଡଲା ବେଲକେ ବରାତି ପାଟିର ପିଲାଟେ ଆସି ବରପିଲାର କାନେ କାଣା ଫୁସୁର ଫୁସୁର କଲା । ବରପିଲା ଟଂଗ ଟାଂଗ କରି ଉଠଲା ।
“ଇଟା କାଣା ଗୁଟେ ଫାରସ ଲଗେଇଛନ, ନାଇଁ ହୁଏଁ ବିହା ।”
ଟୁକେଲ ଘରର ଜେତେ ସିଆନ ପୁରଖା ବୁଢାଲୋକ ବେଦିନୁ ଉଠି ପଲେଇଜଉଥିବାର ଦୁହି ପିଲାକୁ ଘେରିନେଲେ । ପହେଲା ବୁଢାମାନେ ବୁଝେଇ ଦେଖଲେ ।
“ଦେଖ ବାବୁ, ଜାହାତ ହେଲାନ ହେଲାନ । ଆମେ ନାଇଁ ଜାନି, ଆମର ଭୁଲ ହେଇଗଲା । ଚାଲ, ବେଦି ଛାଡିକରି ଏନ୍ତା ନାଇଁ ଉଠି ଆସନ । ବନେ ନୁହେସେ ଇଟା ।”
ବରପିଲାର ଆଡୁ ଆର ଝନଦୁ ଢୁଁଡି ହେଲେ ସେନ ।
– ଆମେ କାଣା ଇନକେ ଲେଥା ଖାଏବାର ଲାଗି ଏଇଥିଲୁଁ?
– ଦେଖ ବାବୁ ତମେତ ଜାନିଛ ଆମର ଜାତି ମାଂସ ମନା ହେଇଛେ ।
-କିଏ କହେଲା ହୋ, ଏରିଆ ଜାକିର ଲୁକେତ କରୁଛନ, ହେମାନକୁ ତ କେନସି ଜାଏତ ମନା ନି କରବାର ଆର ଖାଲି ତମକୁ ଏକବାରି ଧରୁଛନ । ଜ ଜ, ନି ଦେଇ ପାରୁଁ ବଏଲେ ତ ପଟିଜାଏତା ।
ବୁଢା ମାନକର ଠାନେ ଆର ଉତର ନି ଥେଇ ନ । ସବେ ସବିର ବାପାକେ ଦେଖୁଥିଲେ । ମୁହଁ ତାକର ଲାଲ ଦିସୁଥିଲା, ଆଁଖିର ପାଏଁନ ତରା ତରା ହେଇ ଜଉଥିଲା, ଚଏଣ ଥରି ଜଉଥିଲା କାଣା ପଦେ କହେମି ବଲି ହେଲେ କହି ନି ପାରୁଥେଇ ।
ବରପିଲା ଫିରିଜଉଥିଲା । ମନର ଆଲବମଥି ଲଟକିଲା ଦୁଇ ବଛର ତଲର ଗୁଟେଗୁଟେ ଫଟୁ ଆଲବମନୁ ବାହାରିକରି ଛିଛି ବିଛି ହଉଥିଲା ପବନେ ଆର ଫେର ମିସି ଜଉଥିଲା ଧୁଲି ।
ଜୁଡେନିଜୁଡେ ହେଲା ସଦ୍ୟବନା ସେତୁ ନୁ ଛଁଚା ଘିଚି ନେବାରକେ ସେତୁ ଧସକି ବିଦରି ଜଉଥିଲା ଛୁଆକର କୁଲିହାଘର ବାଗିର ।
ମେହଜି ଆର ଫେସନ
ଦୁନିଆ ର ସବୁ ଆଗ ଧାଡ଼ିଆ ଦେସ ମାନକର ଲେଖେଁ, ଆମର ଦେସ ଭାରତ ନ ବି ଲୋକକର ଇଚ୍ଛା ଆଉ ପ୍ରସିଦ୍ଧି ପେବାର ଭୋକ ଟା ମେଟ୍ରୋ ସିଟି ର ଅଟୋର ମିଟର ଲେଖେଁ ଧେଏଁ ଧେଏଁ ବଢ଼ୁଛେ । ମେହଜି ବି ହେଥୁଁ ବାଦ କେନ୍ତା ପଡତେ ଜେ! ହେ ପ୍ରସିଦ୍ଧି ଲାଗି ସେମାନେ ବି କିଛି ଦାମ ଚୁକାବାର କେ ତିଆର ଅଛନ । ସେ ଘର ର ମେହଜିି ହଉ କି, ନୁଆଁ ପିଢ଼ି ର ଚାକରିଏନ, ସଭେ ନାଁ କରା ହେବାର କେ ଜେନ୍ତା ଦୌଡ଼ି ପଡ଼ଲେ ନ ।
ଏଜ ଦୁନିଆଁ ନ ସବକେ ଗ୍ଲେମର ଦରକାର । ଫେସନ, ସ୍ଟାରଡ଼ମ ଆର ସାମାଜିକ ହକାବାଦି ନ ସଭେ ଜେନ୍ତା କାମଦାମ ଛାଡ଼ି ଲାଗି ପଡ଼ିଛନ । ଗଣମାଧ୍ୟମ ବି ଜାହାକେ ଜାଣା ଆର ଜେନ୍ତେଇ ଦରକାର, ଦେବାରକେ ନେ ପଛେଁ ପଡବାର ।
ଉଦାହରଣ ହିସାବେଁ, ଟୁକେଲକର ଭିତରେଁ ଧେଁ ଧେଁ ବଢୁଥିବାର ଫେସନ ଚିନ୍ତାଧାରା କେ ନିଆଜଉ । ମିଡ଼ିଆ ଭି ଫେସନ ଇଣ୍ଡସ୍ଟ୍ରିକେ ବହୁତ ଦଉଛେ । ଆଜିର ଭାରତ ର ମେହଜିି ଫେସନ, ସାରା ଦୁନିଆଁ ନ ନାଁ କଲା ନ । ସୁନ୍ଦରି ହକାବାଦିମାନେ ବି ତାକେ ହୋମଗାଡ଼େ ଘି ରୁକଲା ଲେଖେଁ ସାଙ୍ଗ ଦଉଛେ । କେଁ ସ୍କୁଲ, କେଁ କଲେଜ ସବୁନୁ ଟୁକେଲମାନେ ଫେସନ ଆଉ ସୋ ବିଜ ଆଡକେ ଘିଚି ହଉଛନ । ସବେ ପତଲି ଆର ଛରହରି ହଇ ନିଜର ମୁଡ଼େଁ ମିସ ମୁକୁଟ ଟେ ଦେଖବାର କେ ଚାହୁଁଛନ । ଛୋଟ ସହର ହଉକି ମେଟ୍ରୋ, ସବେ ହକାବାଦି ଉଜୁକ କରୁଛନ ଆର ସଭେ ସେଥୁଁ ଭାଗନେବାକେ ଚେସ୍ଟା ବି କରୁଛନ । ଗୁଟେ ସାଧାସିଧା ଟୁକେଲ କି ମେହଜି ନୁ ମିସ ମୁକୁଟ ପାଏବାରଟା ଗୁଟେ ଲମା ପ୍ରକ୍ରିୟା ଏ । ଖାଲି ଟୁକେଲ କି ମେହଜି ର ଉଁଚା, ଜେନଟା କି ବଦଲା ଜାଇ ନେ ପାରେ, କେ ଛାଡ଼ି ଦେଲେଁ ଦିହଁ ର ସବୁ ଅଙ୍ଗକେ ଛୋଟ ବଡ, ଇଆଡ ସେଆଡ କରାଜାଇ ପାରୁଛେ । ଆପଣ ଜାନିଥିବେ ସୁନ୍ଦରି ମୁକୁଟ ଲାଗି ସୁସ୍ମିତା ସେନକେ silicon breast implant କରବାକେ ପଡ଼ିଥିଲା । ସିଲିକନ ଇଞ୍ଜେକସନ ତ ଗାଲ, ଚଏଣ, ନାକ କେ ବି ସୁନ୍ଦରିଆ କରବାର ଲାଗି ବେଭାର ହଉଛେ । ସ୍ରିଦେବି, ସିଲ୍ପା ସେଟ୍ଟି, ୟୁକ୍ତା ମୁଖି ଆଦି ଆଗ ଧାଡ଼ିଆ ହିରୋଇନକର କଥା ଅଜନା ନୁହେଁ କାହାକେ । ମାଏଝିକର ଭିତରେଁ ଅସୁନ୍ଦର ଦିସବାର ଡ଼ର, ଆର ସୁନ୍ଦର ଦିସବାର ତହଁକ ହିଁ ହେ ଫେସନ ସାମାନ ବନଉଥିବାର ସଂସ୍ଥା ମାନକୁ ଫାଏଦା ଜୁଗଉଛେ ।
ହେଲେ, ଇତାର ଆର ଫାଲ ବି ଦେଖୁନ । ଗୁଟେ ସତ, ସରଲ, ଆର ଗହଗହ ଭାରତିୟ ମେହଜି, ଜେ କି ଗାଲର ବ୍ରଣ କେ ମେଟାବାର ଥୁଁ ଜହ, କପାଲ ର ସିନ୍ଦୁର ବିନ୍ଦୁ କେ ଜହ ଗାଢ଼ା କରବାରକେ ଚାହେଁସି, ଜେନଟା କି ତାର ବର ର ଲମା ଜିବନ ସାଙ୍ଗେ ଜଡ଼ିତ ଏ । ସେ ଅଧିକାର କାଣା ନେ ଜାନି, ଜାନିଛେ ତାର କର୍ତବ୍ୟ ପାଲନ କରବାର ।
ଏଜ କେନସି ସୁନ୍ଦରି ହକାବାଦି କେ ବିରୋଧ କଲେଁ ଆମର ମିସ ଇଂଡିଆ ଆର ମୁକୁଟଧାରି ମେହଜିମାନେ, ମେହଜି ଅଧିକାର ର କଥା ଉଠାସନ । କିନ୍ତୁ ହେ ସୁନ୍ଦରି କି ସେଲେବ୍ରିଟି ମାନେ କେଭେଁ, ମନ କି ଦିହେ ନ ଟିକେ ବି ଦୁଖ କରସନ କାଏଁ, ଗାଁ ଗହଲି ର ଟୁକେଲ ଛୁଆ ଭ୍ରୁଣ ହତ୍ୟା କଥା ସୁନିକରି? ହଁ ଆମେ ଫେସନ ହକାବାଦି କେ ବିରୋଧ ନେ କରବାର, ହେଲେଁ ନାଁ କରା ହେଲା ଉତରୁଁ ତାକର ସାମାଜିକ ଜିମ୍ମେଦାରି କେ ବି ନେ ଭୁଲବାକେ କହୁଛୁଁ । ଟୁକେଲଟେ ଜନମ ହେଲା ପରେଁ ପିଲାଟେ କରବାର କେ ଜୋର ଦେବାର ଠାନୁ ପିଲାଟେ ଜନମ କଲା ପରେଁ ଆଉ ନେ ଜନମ କରବାର ଜେନ୍ତା ତହଁକ ଲାଗିଛେ । କେ ଜାନେ ଫେର ଟୁକେଲଟେ ନେ ହଇଜାଉ ନ ।
ଆମେ କାହାକେ ପୁରନା ପରମ୍ପରା ଥୁଁ ବାନ୍ଧି ହ ବଲି ନେ କହେବାର । ହଁ ମେହଜି ହିସାବେ ଜେନ ସ୍ୱାଭିମାନ ଟେ ରହେବାର କଥା, ସେଟା ନିସଚେ ସମକିରର ନୁ ଥାଉ, ସେ ଗଅଁଲି ହଉକି ଇ ଜୁଗର ସ୍ମାର୍ଟ ମେହଜି ଟେ ହଉ । ମେହଜିଟେ ସରଲ, ଚାଲୁ କି ଫେସନବାଲି ହେବାର ଠାନୁ ଇଟା ଜହ ଜରୁରି ହଉ କି, ସେ ଦୁନିଆ ର କେନସି କନେ ବି ଥାଉଁ, ନିଜର ଉପସ୍ଥିତି କେ ଦର୍ଜ କରୁ । ଆର ସମାଜ ଥି ଆମେ ବି ସିଖବାର କଥା ଜେ, ଡ଼େଙ୍ଗା, ବୁଠି, ମୁଟା, ପତଲା, କଲା, ଗୁରା, ଜାହାବି ହଉ, ସବୁକେ ସୁନ୍ଦରତା ନଜରେ ଗ୍ରହଣ କରବାଟା ହିଁ ଠିକ ଏ । କାଏଁଜେ ବଏଲେ ସୁନ୍ଦରତା ଦିହେନୁ ନୁହେ ମନୁଁ ଫୁଟସି ତ ଖାଲି ଦିହେ ନୁହେଁ, ଆସୁନ ଜିଇଁବାର ତରିକା କେ ସୁନ୍ଦର କରମା ।
ଜୁଏ: ସରୋଜ ସ୍ରିଭୁସଣ ସାହୁ
ଲୁକେ ମତେ ବେସ୍ୟା ର ପୁଓ ବଲସନ । ସତକଥା । ଅଧେ ବଲସନ ବୁଢା ସରପଁଚ ର ପୁଓ ତ ଅଧେ ହରି ମାହାଜନ ର ପୁଅ । ମୁଁଇ କାହାର ପୁଅ ଆଏଁ ମୁଁଇ ନେଇଁ ଜାନି । ଏବେ ଜାନବାର ଥି ଆଗ୍ରହ ବି ନେଇଁନ । ମାଁ ତ ନେଇଁନ ବାପର ସାର୍ଟିଫିକେଟ ଦେବା କିଏ? ଲୋକକୁ ଗାଲି ଦେଇକରି କି ପିଟି, ଇ କଥାକେ ତ ବଦଲେଇ ନି ହୁଏ । ମୋର ଜନମ ଆର ତାର କାରଣମାନେ ମୋର ଆୟତ ବାହାରିଆ କଥା ଇଟା ଭାବି ମନ ବୁଝାସିଁ । ଏବେ ବଁଚିଛେ ବଲେ ବଁଚିବାକେ ପଡବା ଆର ଇ ଜେନ ବଁଚୁଛେ ଇ ଜିବନ ସାଂଗେ ମୋର ସଂପର୍କ ଅଛେ ଜନମ ର କାରଣ ସାଂଗେ ନେଇଁନ ।
ମୋର ଇ “ମୁଇଁ” ପଦକେ ନେଇକରି ବାହାଦୁରି ମାରବାର କିଛି ନେଇଁନ ଜେନ୍ତା ସରପଁଚ ବୁଢା କଥା-କଥାକେ କହେସି “ମୁଇଁ କିଏ ଆଏଁ… … ଅମକା ଗଁତିଆ ର ପୁଓ । ବାଘ ଆଏଁ… ବାଘ” । କି ହରି ମାହାଜନ ଜେନ୍ତା କହେସି “ଆରେ ମୁଁଇ କାର ପୁଓ ଆଁଏ ଜେ ନେଇ ଜାନି?” ଅମକା ସେଠ କା ବେଟା । ତୁଇ ତ ତୁଇ, କୁଲିହା ବାଗିର ଚାଲାଖଟାମାନେ ବି ନେଇ ଠକି ପାରନ ମତେ । ଏନ୍ତା ବାଘ କି କୁଲିହା ସାଂଗେ କଁଟି ହେବାର ନେଇଁ ନ କି ମୁଇଁ ବଲି କରି ରଡବାର ନେଇଁନ । ମୁଁଇ ମୁନୁସ ଛୁଆ ଏଁ ମୁନୁସ ହେଇକରି ରହେମି । ଅଲଗା ଲୁକର ମୁଇଁ ଆନିକରି ମୋର ଲାଗି ବଢେ ମୁଇଁଟେ ବନାବାର ସୌକ ବି ନେଇନ ।
ବଢା ଚାଲାଖ ବଲସନ ମୋର ମାଁ’କେ । ସେ ସରପଁଚ ବୁଢାର ହଉ, ହରି ମହାଜନ ର ହଉ କି ଆର କାହାର ବି ହଉ ବନେ ଥୁଡେ ଧନ ସଂପତି ରଖିଦେଇଥିଲା ମୋର ଖେବାର ଲାଗି । ମୁଇଁ ଜାନିଛେ ବଏଲେ ମୋର ମାମୁଁକେ । ମାମୁଁ ବଏଲେ ହେନ୍ତା ମାମୁଁ; ଅସଲି ନେଇଁସେ । ମାଁ ବୃନ୍ଦାବନ ଗଲା କି ଏଲା ବଲସନ । ଗୁର୍ଦୁ ପିଉଥିଲା, ପିଇ ପିଇ ମଲା, ଭାଗ୍ୟ ଭଲକେ ଦୁସେର ହେଇଥିଲିନ । ସୁନା ରୁପା ଥୁଡେ ବି ବଁଚିଗଲା ।
ଏବେ ମୁଇଁ ବିଏ ଫାଇନାଲ କରୁଛେଁ । ଚିନ୍ତା ବଏଲେ ସରପଁଚ ବୁଢାର ପୁଓ, ଆର ଅଲେଖ, ହେ ମହାଜନ ର ପୁଓ; ମୋର ବଡ ସାଂଗ ଦୁହିଟା, ଗୁଟେ କିଲାସେ ବି ପଢସୁଁ । ଘର ବଏଲେ ମୋର ଗାଁ ମୁଡସାଥିନ, ତ କୁକରା-ମରା, ସିଗରେଟ-ପିଆ, ମଦ ପିଇକରି ବାଁତିକରା ଇ ସବୁକେ ଟିକେ ସୁବିଧା, ହେଥିର ଲାଗି ବଂଧନଟା ଟିକେ ମଜବୁତ । ଆର ଗୁଟେ କଥା, ପରିଖ୍ୟା ବେଲକେ କୁସଚେନ ସିଲେକ୍ଟ କରି ଟେସ୍ଟ ପେପରନୁ ଚିରିଦେବାର କାମ ବି ତ ମୋର ଏ । ଜେନ ଟୁକେଲ ବାବଦ ଥି ଜାଣା କଥା ହେଲେ ବି କାହାରିର ସୁନବାର ନେଇଁନ, ଇ ସବୁ ସୁବିଧା ଅଛେ ଇନ । ଅଲେଖ ର ବୁଆ ହରି ମହାଜନ ବଢା ଆକଟ କରସି ମତେ, ମତେ ବଏଲେ ମୋର ଇ ଘରକେ । ସାଂଗ ହେଁସି ଜେହେତୁ ପିଇବାର ବି ସିଖଲିଁ, ହେଲେ ଇମାନକର ବାଗି ସବୁଦିନ ନେଇଁ ପିଁଏ । ପି’ କରି ହୁଡାକୁଦା ମାଡପିଟ ନେଇକରେଁ । ପି’ଲେ ତ ଘରୁ ନେଇଁ ବାହାରେଁ । କାଂଦସିଁ ପର୍ସ ଭିତର ର ଫଟୁ ଦେଖି ଚିଠି କେତେଟା ପଢସିଁ । ହେ ନିଲିଆ ଡାଏରି ଭିତର ର ଚିଠି । ଜେତକି ପି’ଥିସିଁ ହେତକି କାଂଦସିଁ । ହେ ଦୁହେଁ ହଁସସନ ମୋର କାଂଦିକେ । ଏତକି ବେଲକେ ତାକର ସୋର ପଡସି କେଭେ କେନ ଫୁଲ କି ଚଁପାର ଲାଗି କେନ୍ତା ବ୍ଲାଉଜ ଘିନିଦେଇଥିଲେ କି କେନ ବଜାର ଦିନ କାଁ ମାଲି ଘିନି ଦେଇ ଥିଲେ କେନ ରଏବାରି କି ସମାରି ର ଲାଗି । ଇ କଥା ଅବସ୍ୟ ସେ ଦେନାବାଲା ଆର ସେ ନେଲାବାଲି ଭିତର ର କଥା, ମୋର କିଛି ମତଲବ ନେଇଁନ ଇଥିନ । ହେଲେ ଇ କଥା କହି ସେସକେ ମୋର କାଂଦିର ଦାମ-ମୁଲ ପଏସା-ପତର ଥିନ କରବେ; ବଡା ବାଧସି ।
ହେ ଫଟୁ ଜେନ ଦେଖିକରି କାଂଦସିଁ ହେଟା ଲିଜାର ଫଟୁ । ହଁ ଲିଜା କେରଲି ଖ୍ରିିସ୍ଟିଆନ ଟୁକେଲ, ନର୍ସର ବୁହେନ । ଗିତ କଂପିଟିସନ ଥିନ ସବୁ ଥର ପହେଲା । ମୋର ସାଙ୍ଗେ ପଢୁଥିଲା । ଇନୁ ବଦଲି ଗଲା ବେଲକେ ଜେନ କାଂଦିଥିଲା ହେ କାଂଦିଟା ମୋର ନିକେ ଡେହେଁକି ଆସିଛେ ।
ପଏସା-ପତର ବଲେ ଚିନ୍ତା ଆର ଅଲେଖ ନ ସଂସାର ଜାକିର ବୁଧି ଅଛେ, କେନ୍ତାକରି ଆଏବା-ଜିବା, ଅଗଲିବା ଇଟା ଭଲ କରି ଜନା ଅଛେ ହେ ଦୁହେଁ କୁ । ଇଥର ପହେଲା କରି ଗାନ୍ଧି-ଜୟନ୍ତି ପାଲନ କଲୁଁ, ଆମର ସଂଘ ବାଲେ, ହେ ଦୁହେଁକର ପ୍ଲାନ ଥିନ । ଭାଟିବାଲା, ଗାଡିବାଲା ଏନ୍ତା ବାଲାମାନକର ନୁ ପଏସା ଅନାହେଲ।। ସଭା ହେଲା ଭାସଣ ଦେବାର ଲାଗି ସଭେ ଘୁଁଚଲେ ଜେ ମତେ କହେବାକେ ପଡଲା । ହେ ଦୁହେଁ ନୁଆଁ ଢିଲା ଖଣେ ଲେଖାଁ ବି ପିନ୍ଧିଥିଲେ । ମୁଇଁ ଜାନିଛେଁ ହେଟା ଭାଟି ର ପଏସା ଥିନର ଟା । ସଫେଇ କାମ ହେଲା କେନସି ନାଲି କି ସଡକ ତରାର ନେଇ । ଆମର ଘର ପାଖେ ବଏଲେ ବେଡି ଘର ତରାର ହେ ଖାଲି ଜାଗା ସଫା କରାହେଲା । ମୁଇଁ ସୁନିଥିଲିଁ ହେଥିନ ପରେ ହରି ମାହାଜନ ଘିନୁଆ ମୁଖଫଲି ସୁଖାବା ଆର ଅଧେକେ ସରପଁଚ ଘର ର ରାଏସ ସୁଖା ହେବା, ଇଟା ଭିତରିଆ କଥା । ଅବସ୍ୟ ମତେ କିଛି କରା ନେଇଁ ଲାଗି ଆମେ ତିନହେଁ ତ ସିଗରେଟ ପିଇତେଲ କାମ ତଦାରଖ କରୁଥିଲୁଁ । ଚିନ୍ତା ଆର ଅଲେଖ ଥର ଦୁଏ ତିନେ ବେଡି ଘରକେ ପେନ ପିଇ ଜେଇଥିଲେ । ମୁଇ ନେଇଁ ଜାଇ । ନାଁ ଖାଲି ବେଡି ନେଇସେ ବିଲକୁଲ କଥାବାର୍ତା ନେଇଁ କହିପାରେ ମାତରକ ଦେଖବାକେ ବଏଲେ ଗୁଟେ ଚାଉଲେ ଗଢା ଏ । ଭାରି ସୁତରଟା । ଘରୁ ବାହରଲେ ଛାତିଥିନ ଥୁକ ଦେସି ।
ଜାହା ହଉ କି ନେଇଁ ରାତି ବନେ ଭୁଜିଟେ ହେଲା ମୋର ଘର ନ ।
ଆମେ ତିନହେଁ ପି’ଲୁଁ । ବନେଟିକେ ଲେଖା ପି’ଲୁଁ । ମର କାଂଦି ମୁଲହେଲା, ହେ ଦୁହେଁ ମତେ ହଁସଲେ । ଦୁହେଁ କାଣା ଟୁପୁର ଫୁସୁର ହେଲେ ଆର ଚିନ୍ତା ବାହାରିଗଲା । ବେଡିର ବୁଆ ସାଙ୍ଗେ ସାଙ୍ଗେ ଫେନ ଆଏଲା । ଅଲେଖ ପଚାସ ଟଙ୍କିଟେ ଧରେଇ ଦେଲା ଆର କହେଲା ବୋବା କୁକୁରା ପଟେ କେନନୁ ଖୁଜି ଆନ ତ । ଚିନ୍ତା ଦସ ଟଙ୍କିଟେ ଧରେଇ ଇଟା ନେ ମଦ ପିଇବୁ ବଏଲା । ଏବେ ତ ଖାଇ ସାରିଛୁଁ ଫେର କାଁ ଭୋକ କଲା ଜେ କୁକୁରା ମଗଉଛନ କିଛି ନେଇଁ ବୁଝି ପାରଲିଁ ମୁଇଁ । ବେଡି ର ବୁଆ ଉସତ ହେଇଗଲା । ଟିକେ ଛାଡି ଦୁହେଁ ବାହାରି ପଡଲେ ।
ସିଗରେଟ ପିଇତେଲ ଲିଜାର ଚିଠି ପଢୁଛେଁ, ଏତକି ବେଲକେ ଢଣନ ଢାଣନ ଖୁରି-ଗିନା ଫିକା ଆବାଜ ଆଏଲା । ବାହାରି ଦେଖଲି, ବେଡି ଘର ଆଡୁ ଆବାଜ ଆସୁଛେ । ପାସକେ ଜାଇ କବାଟ ଠେଲି ଦେଖଲିଁ ଜେ ଭିତର ଆଡୁ ବନ୍ଦ ହେଇଛେ । ଲାତେ ମାରଲିଁ ଜେ ଭିତର ଆଡୁ ସିକଲା ହିଟି ଗଲା । ଗରିବ ଲୁକର କବାଟ ତ । ଦେଖଲା ବେଲକେ ଚିନ୍ତା ଆର ଅଲେଖ ଅଛନ ଭିତରେ । ବେଡି କାଂଦୁଛେ । ମୁଇଁ ଆର କିଛି ନେଇଁ ଭାବି ନ ଘିଚିକରି ଦୁହେଁକୁ ଥାପଡେ ଲେଖା ପିଟଲିଁ । ବେଡି ର ବୁଆ କୁକୁରା ର ବେଁକ ଧରି ଆଉଥିଲା । ଇ ହେପକାବାର ଦେଖି ଏ …ଏ….ବଲି ଦଗା ଦେଲା ମତେ ଆର ଜନାଦୁଏ ଲାଲଟିନଟେ ଲେଖାଁ ଧରି ହାଜର ହେଇଗଲେ । କାଣା ହଉଛେ ବୋ ଇଟା ବଲି ରଡିକରି ମତେ ପଚରାଲା ବେଡିର ବୁଆ । ମୋର କହେବାର ଆଘୋନୁ ଅଲେଖ, “ଜା ତୋର ଘର ଭିତରକେ ଜା ଦେଖବୁ” ବଏଲା । କୁକରା ଛାଡି ଘର ଭିତର କେ ଦଉଡିଲା । ମୋର କାଣା କହେବାର ଆଘନୁ ବରକସ ଠେଙ୍ଗାଟେ ପଡଲା ପିଠି ।
ମନ୍ଦିର ନ ଇ ଗାଁର ସବୁ ନିଏ-ନିସପତି ହେସି । ମୋର ମନ୍ଦିର ବଲସି ସରପଁଚ ବୁଢା ହେଲେ ସାତ ବଛର ତକ ପଟି ପଡିଥିଲା ବଜାର ଦିନ । ତାର ଜେନ ବୈଠକି ଘର ଆରୁ ଇ ମଂଦିର ଏକା ସାଂଗର (ଜଁ’ଲା-ଜିଆ ବଲ ତ) ସିମେନ୍ଟ, ପଥର, ଗେଟି, ବେଲ ସବୁ ଏକାସାଂଗେ ଅନାହେଇଥିଲା । ହେଥିନର ଲାଗି ମୋର ମଂଦିର ବଲସି ବାଗି ଲାଗୁଛେ । ମଂଦିର ପିଣହାଁନ ସରପଁଚ ବୁଢା, ହରି ମାହାଜନ ଆରୁ ନିତେଇ ବାମହନ ବସିଛନ । ଦିପ ର ଉକିଆଥିନ ପିତଲ ର ସିଂହାସନ ଚକଚକଉଛେ ହେଲେ ମହାପୁରୁମାନେ ନେଇଁ ଦିସବାର । ଲିଭିଗଲେନ ବାଗିର ଲାଗୁଛେ । ଇ ସିଂହାସନ ହରି ମାହାଜନ ଦେଇଥିଲା । ଥରେ ତାର ଗଂଜେଇ ଧରା ପଡିଥିଲାତ, କଥାଟା କୋର୍ଟ-କଚରି ନେଇ ଜାଇ ଥାନାଥିନ ଛିଡିଗଲା । ସେଟା ସ୍ୱୟଂ ମାହାପୁରୁ ରଖ୍ୟାକଲେ, ତାର ବଦଲା ଥିନ ଇ ସିଂହାସନଟେ ପାଏଲେ । ମହାପୁରୁର ଭାଗ୍ୟ, ତେତକର ପିତଲ ସିଂହାସନେ ବସଲେ ।
ବାକି ଲୋକମାନେ ତଲେ ବସିଛନ ହେଲେ ବେଡି କି ଚିନ୍ତା କି ଅଲେଖ କିହେ ନେଇ ଦିସବାର । ବେଡିର ବୁଆ ଅଛେ । ମଦର ଗଂଧି ବାରି ହଉଛେ ।
– “ଇତାକେ, ଇ ସଲାକେ ଟୁରା ପିଲା ବଲି ଆହା କରି ଗାଁ ଥିନ ରଖଲା ବେଲକେ କେନ୍ତା କାମ କରୁଛେ । ପସୁ ଚଲନ ନେଇଁଗଲା । କେନ୍ତା କରି ହେଲେ ଜିବା ? ସଲା କାହାର ପୁଓ ଆଏ ଜେ?” ନିତେଇ ବାମହନ ଟାଁଚି ଟାଁଚି ଇ କଥା କହେଲା ।
ଏତକି ବେଲକେ ଗାଁ ମୁଡସାନୁ ଉକିଆ ଦିସୁଛେ ଆର କୁହୁଁଲା ବାହାରୁଛେ । ଆର କାହାରିର କଥା ନାଇଁ ସୁନି ନ ସିଧା ନରଦିଲିଁ ମୋର ଘରନିକେ । ହୁ ହୁ ଜଲୁଛେ । କାଣା କରମି କିଛି ଭାବି ନେଇ ପାରଲିଁ, ଭିତରକେ ପସଲିଁ । ନଜରଟା ନିଲିଆ ଡାଏରି ଆର ପର୍ସ ଉପରେ ପଡଲା । ଧରିକରି ବାହାରିଗଲିଁ ।
ସଡକ ର ଆର ଫାଲେ ତାକର ଘର ଆଗମୁଡେ ବେଡି ଠିଆ ହେଇଛେ । ପାଖକେ ଗଲିଁ । ସାମନାଥି ମଠିଆଟେ ଭାଂଗି ତଲ ଉଦା ହେଇଛେ । ଖପରି ଖେଲେଇ ହେଇ ପଡିଛେ । ବେଡି ର ଆଁଖୁ ଲହ ଧାର ଧାର ବାହାରୁଛେ, ଜୁଏର ଧାଜଥିନ ମୁଁହ ଚକଚକେଇ ଜଉଛେ ସତେ ଜେନତା ଗୁଟେ ଦେବି, ପ୍ରତକ୍ଷ ଦେବି । ରାଗିଛେ କିଏ ତାର ଏଡେ ସୁଂଦର ମଠିଆ ଭାଂଗି ଦେଲା ବଲି । ତଥାପି ହେ ଛିଛିବିଛି ହେଇ ଥିବାର ଖପରି ସବୁ ବହୁତ ସୁଂଦର ଦିସୁଛେ; ଆମର ଗାଁର ମଂଦିର ନୁ ସୁଂଦର ଦିସୁଛେ, ନେଇଁ, ସବୁ ମଂଦିରନୁ ସୁଂଦର ଦିସୁଛେ ପୁରି ନୁ କୋଣାର୍କ ନୁ । ଖାଲି ରାଗଲେ କାଁ ହେବା, ଦେବି ନିସଚଲ କାଁ ହେଲାଜେ ? ମଠିଆ ଜୁଡବାର କେନସି ମଂତ୍ର ନେଇଜାନି କି ଅଭିସାପ ଦେବାର ପାସରି ଦେଇଛନ । ନେଇଁ ମୁଇଁ ପାସରି ଦେଇଛେଁ, ସେ ବେଡି ଆଏ, ବେଡି ।
ଡାଏରି ଫାରି ଚିଠି ଅଛେ କି ନେଇ ଦେଖଲିଁ; ଅଛେ । ଜୁଏ ନେଇ ପୁଡେଇପାରି । ଲେହେଁଟି ଦେଖଲି ଘରୁ ହୁ ହୁ ଜଲୁଛେ ଜେନ୍ତା ମୁଇଁ ବଁଚୁଛେଁ, ଜେନ୍ତା ମୋର ଜିବନ ଏ ।
କାଣିି ବଗ: ସାସ୍ୱତ ସାହୁ
କଲେଜ ଛାଡ଼ଲା ଉତାରୁଁ ସିରବଛ ଗୁଟେ ନାମକରା ଫଟୋଗ୍ରାଫର ହେବାର ସପନ ଦେଖସି । ପାଁଚ ହଜାର୍ ଟଁକାର୍ କେମ୍ରାଟେ ଧରିକରି ଝାର-ଜଂଗଲ, ମାଲେ-ବାହାଲେ, ବଝା-ବାତଲିଆ ବାଗିର ବୁଲୁଥିସି । ଜିବ-ଜଁତୁକର ଫଟୁ ଥି ତାର ଜହ ମନ । ଥରେ ଗୁଟେ ଜାତିଅ ସ୍ତରର ଫଟୁ ଉଠା ପ୍ରତିଜୋଗିତା ଲାଗି ଘୁସନା ହେଲା । ନୁଆଁ ପ୍ରତିଭା ଖୁଜବାର ଆରୁ ତହଁକ ଦେବାର ଲାଗି ଥିଲା ପ୍ରତିଜୋଗିତା । ପୁରୁସ୍କାର ପଏସା ପଚାସ ହଜାର ଟଁକା । ସିରବଛ ଲାଗି ଜେତେତେ ଆଏ । ଆଲମାଲ ପାଇଗଲେଁ ଦାମକିଆ କେମରା ଟେ ଘିନମି ବଲି ମନେ ମନେ ଭାବି ନେଲା । ଫଟୁ ଇଂଟରନେଟ ରେ ପଠା ହେବା । ଦୁଇ ଦିନ ସମିଆ ଅଛେ । ଜେତକି ଉଠେଇ ଥିଲା ଉଲଟେଇ ପୁଲଟେଇ ଦୁଇ ଚାଁପ ଦେଖିନେଲା । କେନସିଟା ମନକେ ନାଇଁ ପାଏଲା । ହଠାତ ତାର ମନକେ ଉପେଟେ ଢୁକଲା – ବଁଗଟେ ଝୁରି ଟାକେ ଖପକରି ଠଁଟେଁ ଧରୁଥିବା ବେଲେଁ ଲକଠକ ଫଟୁ ଘିଚା ହେବା ।
ବାଏର ପଛ ଆଡ଼ର ଡୁଲି ଥି ପାଏନ ଚପା ହଇଛେ । କାଣି ବଁଗ ଟେ ସବୁଦିନ ଆଏସି । ସଖାଲ ଧରମୁ ସିରବଛ ଡୁଲି ନ ହାଜର । ଦେଖଲା ତାର ଆଘୋନୁ ବଁଗ ଟା ଅମରି ଜାଇଛେ । ବଁଗ ଜୁଗିଛେ ଝୁରିକେ ସିରବଛ ଜୁଗିଛେ ଫଟୁ ଘିଚବାର ମଉକା କେ । ସଖାଲ ଟା ମଏଧାନ ହେଲା, ମଏଧାନ ବେଲ୍ବୁଡ଼ା । କାହିର୍ ଝୁରି କାହିର ଫଟୁ । ମୁହୁଁ ଉଲମେଇ କରି ସିରବଛ ଫିରି ଆଏଲା । ସେଦିନ ରାତିଁ ସିରବଛ ଖାଇ ବସଲା ବେଲେଁ – ଆରୁ ଗୁଟେ ରୁଟି ଦେ ଗୋ – ବଲି ମାଁ କେ କହେଲା । ତାର ମାଁ ଥାଲି କେ ରୁଟି ଟେ ଫିକି କରି କହେଲେ – କାମ ଧଂଧା କିଛି ବଲି କିଛି ନାଇଁ ଖାଲି ଖାଇ ମରୁଥା । ସିରବଛ ଦୁଖମନା ନାଇଁ ହେଲା । ଉଲଟା ଆରୁ ଗୁଟେ କଥା ତାର ମନକେ ଜୁଟଲା ।
ତାର ଆର ଦିନ ଝାଇଁ ଝୁରି ଟେ ଧରିକରି ଡୁଲି କେ ଗଲା । କେମରା ସଜବଜ କରି ବଁଗ ପାସ କେ ଝୁରିଟା ଫିକି ଦେଲା । ବଁଗ ଜେନ୍ତା ଟପକରି ବେଁଟଲା ସିରବଛ ସେନ୍ତା ଖଚକରି ଫଟୁ ଘିଚିନେଲା । ଲେକିନ ଗୁଟେ ଆବାଜ ସୁନିକରି ସେ ହିଟି ପଡ଼ିଥିଲା ନ । ଝୁରି କେ ଥୁକିକରି ବଁଗ କହୁଥିଲା – ତୁଇ ଫଟୁ କରବାର ଅଛେ ବଲି ଝୁରି ଟୁଡ଼େଁ ଧରିଥିଲିଁ । ନେହେଲେଁ ଫିକଲା ଜିନିସ ଖାଏବାର ଟା ମୋର ଧରମେ ନାଇଁ ନ । ମୁଇଁ ପଛେ ଆରୁ ଦୁଇ ଦିନ ଭୁଖେଁ ରହେମି ନିଜେ ଧରଲା ଝୁରି ଖାଏମି । ତୋର ଫଟୁ ଦୁସରା ଝନେ ଚୁରେଇ କରି ପୁରୁସ୍କାର ପାଏଲେ ତତେ କେନ୍ତା ଲାଗବା?
ସେଦିନ ରାଏତ ତକ ସତ ଆରୁ ସପନ ସିରବଛ ର ମୁଡ଼େଁ ଗୁଲେଇ-ଘାଁଟି ହେଇ ଜାଉଥାଏ । ଫଟୁ ପଠାତିଁ ନାଇଁ ପଠାତିଁ ହଇ ହଇ ସେସକେ ପଠେଇ ଦେଲା । ତାର ଆର ଦିନ ୱେବ୍ସାଇଟ ରେ ପୁରୁସ୍କାର ତାଲିକା ଥି ନିଜର ନାଁ ଦେଖି କରି ଡେଢ଼ ପୁରୁସ ଡେହେଁକି ପକାଲା ସିରବଛ । ତଲେଁ ପଡ଼ଲା ବେଲେଁ ଏକା ତାର ମୁହୁଁ ତାର ସୁଖେଁ ବାହାରି ପଡ଼ଲା – ଇ ପୁରୁସ୍କାର ତୋର ଆଏରେ କାଣି ବଁଗ !
ପାହାଡସ୍ରିଗିଡା, ବରଗଡ


