Saturday, July 18, 2026
HomeDevelopmentଗନ୍ଧମାର୍ଦ୍ଦନର ପ୍ରକୃତ ସମ୍ପଦ ମାଟି ତଳର ବକ୍ସାଇଟ୍ ନୁହେଁ, ମାଟି ଉପରର ଜୀବନ

ଗନ୍ଧମାର୍ଦ୍ଦନର ପ୍ରକୃତ ସମ୍ପଦ ମାଟି ତଳର ବକ୍ସାଇଟ୍ ନୁହେଁ, ମାଟି ଉପରର ଜୀବନ

ସାକେତ ଶ୍ରୀଭୁଷଣ ସାହୁ

ଓଡ଼ିଶା ସରକାର ନିକଟରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ସହ ଆବୁଧାବିର *ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)*ର ସହଭାଗିତାରେ .୦୮ ଲକ୍ଷ କୋଟି ଟଙ୍କାର ଏକ ଗ୍ରୀନଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ସ୍ୱାକ୍ଷର କରିଥିବା ବୁଝାମଣାପତ୍ର (MoU) ନିଶ୍ଚିତ ଭାବରେ ରାଜ୍ୟର ଔଦ୍ୟୋଗିକ ଇତିହାସର ଏକ ବୃହତ୍ ନିବେଶ ଘୋଷଣା। ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ଏହାର ଗୁରୁତ୍ୱ ଅସ୍ୱୀକାର କରାଯାଇପାରେ ନାହିଁ। କିନ୍ତୁ ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତମାଳା ପାଦଦେଶରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ଘୋଷଣା ଆଉ ଏକ ଭୟଙ୍କର ଆଶଙ୍କାକୁ ଜୀବନ୍ତ କରିଦେଇଛି—ପୁଣି ଗନ୍ଧମାର୍ଦ୍ଦନରେ ବକ୍ସାଇଟ୍ ଖଣି ଖୋଲିବାର ଉଦ୍ୟମ ଆରମ୍ଭ ହେବ କି ?

ଏହି ଆଶଙ୍କା କେବଳ କଳ୍ପନା ନୁହେଁ। ଗତବର୍ଷ ଆଦାନୀ ଗ୍ରୁପ୍‌ର ସହାୟକ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଲିମିଟେଡ୍ (MMML) ଗନ୍ଧମାର୍ଦ୍ଦନ ପର୍ବତମାଳା ସଂଲଗ୍ନ ଗ୍ରାମଗୁଡ଼ିକରେ ୪୫ ହେକ୍ଟରରୁ ଅଧିକ ଜମି କ୍ରୟ କରିଥିଲା। କମ୍ପାନୀର ଦାବି ହେଉଛି, ଏହି ଜମି କ୍ଷତିପୂରଣମୂଳକ ବନୀକରଣ’ (Compensatory Afforestation) ପାଇଁ କିଣାଯାଇଛି। କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିକୁ ବିଶ୍ୱାସ କରୁନାହାନ୍ତି। ସେମାନଙ୍କ ମତରେ, ଏହା ଗନ୍ଧମାର୍ଦ୍ଦନରେ ପୁନର୍ବାର ଖଣି ଖନନ ଆରମ୍ଭ କରିବାର ପ୍ରଥମ ପଦକ୍ଷେପ।

ଓଡ଼ିଶା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମ୍ମୁଖୀନ।

ପ୍ରଶ୍ନ ଏହା ନୁହେଁ ଯେ ଆଲୁମିନିୟମ୍ ଶିଳ୍ପ ଦେଶର ଉନ୍ନତି ପାଇଁ ଆବଶ୍ୟକ କି ନୁହେଁ। ନିଶ୍ଚିତ ଭାବେ ଆବଶ୍ୟକ। ନବୀକରଣଯୋଗ୍ୟ ଶକ୍ତି, ବୈଦ୍ୟୁତିକ ଯାନ, ଭିତ୍ତିଭୂମି ନିର୍ମାଣ ଓ ଆଧୁନିକ ଶିଳ୍ପାୟନରେ ଆଲୁମିନିୟମ୍‌ର ଭୂମିକା ଅପରିହାର୍ଯ୍ୟ।

ପ୍ରକୃତ ପ୍ରଶ୍ନ ହେଉଛି—ପ୍ରତ୍ୟେକ ଖଣିଜ ଭଣ୍ଡାରକୁ କି ଖନନ କରାଯିବା ଉଚିତ, ସେଥିପାଇଁ ମାଟି ଉପରେ କେତେ ମୂଲ୍ୟବାନ ଜୀବନ ପରିବେଶ ନଷ୍ଟ ହେଉନା କାହିଁକି?

ଗନ୍ଧମାର୍ଦ୍ଦନ କୌଣସି ସାଧାରଣ ପାହାଡ଼ ନୁହେଁ।

ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବିସ୍ତୃତ ଏହି ପର୍ବତମାଳାକୁ ୨୦୨୩ ମସିହାରେ ଓଡ଼ିଶା ସରକାର ପ୍ରାୟ ୧୯ ହଜାର ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟ କ୍ଷେତ୍ର (Biodiversity Heritage Site) ଭାବେ ଘୋଷଣା କରିଥିଲେ। ଏହା କେବଳ ଘନ ଜଙ୍ଗଲର ସମାହାର ନୁହେଁ; ଏହା ଶତାଧିକ ଔଷଧୀୟ ଉଦ୍ଭିଦର ଭଣ୍ଡାର, ଅସଂଖ୍ୟ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଏବଂ ପଶ୍ଚିମ ଓଡ଼ିଶାର ଜଳଜୀବନର ପ୍ରମୁଖ ଉତ୍ସ।

ଏଠାରୁ ୨୨ଟି ଚିରସ୍ରୋତା ଏବଂ ୫୪ଟି ଋତୁକାଳୀନ ଝରଣା ଉତ୍ପନ୍ନ ହୋଇଥାଏ। ଅଙ୍ଗ ଓ ସୁକତେଲ ଭଳି ମହାନଦୀର ପ୍ରମୁଖ ଉପନଦୀଗୁଡ଼ିକର ଉତ୍ସ ମଧ୍ୟ ଏହି ପର୍ବତମାଳା। ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ଜଳ ସୁରକ୍ଷାରେ ଏହି ପାହାଡ଼ର ଭୂମିକା ଅପରିସୀମ।

କିନ୍ତୁ ଗନ୍ଧମାର୍ଦ୍ଦନର ସବୁଠାରୁ ବଡ଼ ପରିଚୟ ହେଉଛି—ଏହା ଲକ୍ଷାଧିକ ଲୋକଙ୍କ ଜୀବିକାର ଆଧାର।

ଏହି ଜଙ୍ଗଲ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଦଶ ଲକ୍ଷରୁ ଅଧିକ ଲୋକ ନିର୍ଭରଶୀଳ। ମହୁଲ ଫୁଲ, ମହୁ, ବାଉଁଶ, ଚାର, କେନ୍ଦୁପତ୍ର, ବନଔଷଧି, ଛତୁ, ଫଳ ଓ ଅନ୍ୟାନ୍ୟ ଅଣକାଠ ବନଜାତ ଦ୍ରବ୍ୟ (NTFP) ଆଜି ହଜାର ହଜାର ଆଦିବାସୀ ପରିବାରର ଅର୍ଥନୀତିର ମୂଳ ଆଧାର ପାଲଟିଛି।

୨୦୧୩ ପରଠାରୁ ସ୍ଥାନୀୟ ସମୁଦାୟ ଏହି ବନଜାତ ଦ୍ରବ୍ୟକୁ ଆଧାର କରି ଏକ ସୁଦୃଢ଼ ଗ୍ରାମୀଣ ଅର୍ଥନୀତି ଗଢ଼ି ତୋଳିଛନ୍ତି। ଅନେକ ଆଦିବାସୀ ପରିବାର ଆଜି କେବଳ ଏହି ବନଜାତ ଉତ୍ପାଦରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି।

ଏହା କୌଣସି କଳ୍ପିତ ଅର୍ଥନୀତି ନୁହେଁ। ଏହା ଏକ ସଜୀବ, ସ୍ଥାୟୀ ଏବଂ ପ୍ରକୃତି ସହ ସହାବସ୍ଥାନର ଅର୍ଥନୀତି।

ଗନ୍ଧମାର୍ଦ୍ଦନ କେବଳ ଜୀବିକାର ଉତ୍ସ ନୁହେଁ, ଏହା ଏକ ଜୀବନ୍ତ ଖାଦ୍ୟ ଭଣ୍ଡାର ମଧ୍ୟ।

ଏଠାର ଆଦିବାସୀ ସମୁଦାୟ ପିଢ଼ି ପରେ ପିଢ଼ି ଜଙ୍ଗଲ ଓ କୃଷିକୁ ପରସ୍ପରର ପରିପୂରକ ଭାବେ ଗଢ଼ି ତୋଳିଛନ୍ତି। ଆଜି ମଧ୍ୟ ଏଠାରେ ଶହେରୁ ଅଧିକ ଦେଶୀ ଧାନ କିସମ ଚାଷ କରାଯାଉଛି। ଭୋଦା କାକେର, ମୁଗ୍ଧି, କୁସୁମ କଳି, କଳାବତୀ ଏବଂ ସୁନାହରିଣା ପରି ଧାନ କେବଳ ଫସଲ ନୁହେଁ, ବରଂ ସ୍ଥାନୀୟ କୃଷି ଐତିହ୍ୟର ଅମୂଲ୍ୟ ସମ୍ପଦ।

ଏହି ଅଞ୍ଚଳର ଖାଦ୍ୟ ସଂସ୍କୃତିରେ ବନ୍ୟ କନ୍ଦମୂଳର ଗୁରୁତ୍ୱ ଅତୁଳନୀୟ। ଚେଲ୍ କନି କନ୍ଦା, ପିଟ୍ କନ୍ଦା, ଝୁଲକା କନ୍ଦା, କାସା କନ୍ଦା ସମେତ ପନ୍ଦରରୁ ଅଧିକ ପ୍ରକାରର କନ୍ଦମୂଳ ଆଜି ମଧ୍ୟ ପରିବାରମାନଙ୍କର ଖାଦ୍ୟ ସୁରକ୍ଷାର ଭରସା। ବର୍ଷା ଋତୁରେ ପୁଟୁ ଛତୁ, ହାତୀ ବିନୁଆ ଛତୁ, ଭୋଦା ମଙ୍ଗଳା ଛତୁ ପରି ଅନେକ ପ୍ରକାରର ବନ୍ୟ ଛତୁ ସଂଗ୍ରହ କରାଯାଏ। ପଚାଶରୁ ଅଧିକ ପ୍ରକାରର ଶାଗ—ଚକଡ଼ା ଶାଗ, ଲାଲ ଶାଗ, ଗଦର ଶାଗ ଇତ୍ୟାଦି—ଆଜି ମଧ୍ୟ ସ୍ଥାନୀୟ ଖାଦ୍ୟର ଅବିଚ୍ଛିନ୍ନ ଅଂଶ।

ଜଙ୍ଗଲର ଫଳ, ମହୁଲ, ଦେଶୀ ଆମ୍ବ, ପଣସ, ବନ୍ୟ କଦଳୀ, ସହିତ ଦେଶୀ ମୁଗ, ବିରି, ରାହାଡ଼ ଓ ରାଶି, ସୋରିଷ ଭଳି ତୈଳବୀଜ ମିଶି ଗନ୍ଧମାର୍ଦ୍ଦନକୁ ଏକ ସ୍ୱାବଲମ୍ବୀ କୃଷି-ପରିବେଶ ବ୍ୟବସ୍ଥାରେ ପରିଣତ କରିଛି। ଜଳବାୟୁ ପରିବର୍ତ୍ତନ ଓ ଅନିଶ୍ଚିତ ବର୍ଷାର ସମୟରେ ଏହି ବିବିଧତା ହିଁ ସ୍ଥାନୀୟ ଲୋକଙ୍କର ସବୁଠାରୁ ବଡ଼ ସୁରକ୍ଷା କବଚ।

କିନ୍ତୁ ଗନ୍ଧମାର୍ଦ୍ଦନର ଆଉ ଏକ ଅମୂଲ୍ୟ ପରିଚୟ ରହିଛି।

ଏହା ଏକ ଜୀବନ୍ତ ଔଷଧାଳୟ

ଭାରତୀୟ ଉଦ୍ଭିଦ ସର୍ବେକ୍ଷଣ (Botanical Survey of India) ଏହି ଅଞ୍ଚଳରେ ପ୍ରାୟ ୨୨୦ ପ୍ରଜାତିର ଔଷଧୀୟ ଉଦ୍ଭିଦର ଉଲ୍ଲେଖ କରିଛି। କିନ୍ତୁ ସ୍ଥାନୀୟ ବୈଦ୍ୟ ଓ ଆଦିବାସୀ ସମୁଦାୟଙ୍କର ମତ ହେଉଛି, ପ୍ରକୃତ ସଂଖ୍ୟା ୫୦୦ରୁ ଅଧିକ।

ଶହ ଶହ ବର୍ଷ ଧରି ଏହି ପାହାଡ଼ର ଗଛ, ଲତା, ପତ୍ର, ମୂଳ, ଛାଲ ଓ କନ୍ଦମୂଳରୁ ପ୍ରସ୍ତୁତ ଔଷଧ ଅନେକ ରୋଗର ଚିକିତ୍ସା କରିଆସୁଛି। ଗତ ପନ୍ଦର ବର୍ଷ ଧରି ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏଠାର ପାରମ୍ପରିକ ବୈଦ୍ୟମାନଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଛନ୍ତି।

ଏହି ଜ୍ଞାନ କୌଣସି ପୁସ୍ତକରୁ ଆସିନାହିଁ। ପ୍ରକୃତି ସହ ଶତାବ୍ଦୀର ସହାବସ୍ଥାନ ଓ ପିଢ଼ି ପରେ ପିଢ଼ିର ଅନୁଭବରୁ ଏହା ଗଢ଼ିଉଠିଛି। କିନ୍ତୁ ଦୁର୍ଭାଗ୍ୟର କଥା, ଏହି ଜ୍ଞାନର ବୈଜ୍ଞାନିକ ଦସ୍ତାବିଜୀକରଣ ଏପର୍ଯ୍ୟନ୍ତ ସଠିକ୍ ଭାବରେ ହୋଇନାହିଁ। ହର୍ବେରିୟମ୍, ଉଦ୍ଭିଦ ମାନଚିତ୍ର, ପ୍ରଜାତିର ତାଲିକା ଓ ପାରମ୍ପରିକ ଚିକିତ୍ସା ପଦ୍ଧତିର ବିସ୍ତୃତ ରେକର୍ଡ ତିଆରି କରିବା ଆଜି ସମୟର ଦାବି। ନଚେତ୍ ଓଡ଼ିଶା ନିଜର ଏକ ଅମୂଲ୍ୟ ଜ୍ଞାନ ପରମ୍ପରାକୁ ଚିରଦିନ ପାଇଁ ହରାଇବ।

ଏଭଳି ପରିସ୍ଥିତିରେ ଖଣି ଖନନକୁ ବିରୋଧ କରୁଥିବା ଲୋକଙ୍କୁ ପ୍ରାୟତଃ “ବିକାଶ ବିରୋଧୀ” ବୋଲି କୁହାଯାଏ। କିନ୍ତୁ ଏହି ଅଭିଯୋଗ ନ ଇତିହାସ ସହ ନ୍ୟାୟ କରେ, ନ ବର୍ତ୍ତମାନର ବାସ୍ତବତା ସହ।

୧୯୮୦ ଦଶକରେ ଭାରତ ଆଲୁମିନିୟମ୍ କମ୍ପାନୀ (BALCO) ଗନ୍ଧମାର୍ଦ୍ଦନରେ ବକ୍ସାଇଟ୍ ଖଣି ଖୋଲିବାକୁ ଉଦ୍ୟମ କରିଥିଲା। ସେତେବେଳେ ପ୍ରାୟ ଦୁଇଶହ ଗ୍ରାମର ଆଦିବାସୀ ଓ ସ୍ଥାନୀୟ ଲୋକ ଗନ୍ଧମାର୍ଦ୍ଦନ ଯୁବ ସୁରକ୍ଷା ପରିଷଦର ନେତୃତ୍ୱରେ ପାଞ୍ଚ ବର୍ଷ ଧରି ଐତିହାସିକ ଗଣଆନ୍ଦୋଳନ କରିଥିଲେ। ଶେଷରେ BALCOକୁ ନିଜ ଯୋଜନା ପ୍ରତ୍ୟାହାର କରିବାକୁ ପଡ଼ିଥିଲା। ଏହି ଆନ୍ଦୋଳନ ଦେଶର ସଫଳ ପରିବେଶ ଆନ୍ଦୋଳନମାନଙ୍କ ମଧ୍ୟରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ।

ଆଜିର ପ୍ରତିବାଦ ସେହି ଇତିହାସର ହିଁ ନୂଆ ଅଧ୍ୟାୟ।

ଗତବର୍ଷ ପାଇକମାଳ ବ୍ଲକ୍ ମୁଖ୍ୟାଳୟରେ ୯୦ ଦିନ ଧରି ଧାରଣା ଓ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୬୦ ଦିନ ଧରି ଚାଲିଥିବା ଆନ୍ଦୋଳନ ଏହା ସ୍ପଷ୍ଟ କରିଛି ଯେ ଗନ୍ଧମାର୍ଦ୍ଦନକୁ ନେଇ ସ୍ଥାନୀୟ ଲୋକଙ୍କର ଆଶଙ୍କା ଓ ପ୍ରତିବାଦ ଆଜି ମଧ୍ୟ ସମାନ ଭାବେ ଜୀବନ୍ତ। ବରଂ ଗତ ଦୁଇ ଦଶନ୍ଧି ଧରି ଜଙ୍ଗଲ ପୁନରୁଦ୍ଧାର ହେବା ଓ ସ୍ଥାନୀୟ ଜୀବିକା ଅଧିକ ସୁଦୃଢ଼ ହେବା ପରେ ଏହି ପ୍ରତିରୋଧ ଆହୁରି ଦୃଢ଼ ହୋଇଛି। କାରଣ ଆଜି ହରାଇବାକୁ ସେମାନଙ୍କ ପାଖରେ ପୂର୍ବ ଅପେକ୍ଷା ଅଧିକ କିଛି ରହିଛି।

ଆଜି ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ବିକାଶର ଅର୍ଥ କ’ଣ?

ଏହି ବିତର୍କକୁ “ଶିଳ୍ପ ବନାମ ଜଙ୍ଗଲ”ର ସରଳ ସମୀକରଣରେ ସୀମିତ କରିଦେବା ଏକ ଭୁଲ। ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ। ଶିଳ୍ପାୟନ ମଧ୍ୟ ଆବଶ୍ୟକ। କିନ୍ତୁ ସେଥିପାଇଁ କି ପ୍ରତ୍ୟେକ ପ୍ରାକୃତିକ ଐତିହ୍ୟକୁ ବଳି ଦିଆଯିବ?

ଏହି ପ୍ରଶ୍ନର ଉତ୍ତର ଗନ୍ଧମାର୍ଦ୍ଦନ ଆମକୁ ନିଜେ ଦେଉଛି।

ଯେଉଁ ଅଞ୍ଚଳକୁ ସରକାର ନିଜେ ଜୈବ ବିବିଧତା ଐତିହ୍ୟ କ୍ଷେତ୍ର” (Biodiversity Heritage Site) ଭାବେ ସ୍ୱୀକୃତି ଦେଇଛନ୍ତି, ସେଠାରେ ପୁଣି ଖଣି ଖନନର ଆଶଙ୍କା ଉପୁଜିବା ଏକ ଗମ୍ଭୀର ବିରୋଧାଭାସ। ଯଦି ଏପରି ସ୍ୱୀକୃତି ମଧ୍ୟ ଗନ୍ଧମାର୍ଦ୍ଦନ ପରି ଏକ ଅସାଧାରଣ ପରିବେଶକୁ ସୁରକ୍ଷା ଦେଇପାରିବ ନାହିଁ, ତେବେ ଏହି ସ୍ୱୀକୃତିର ପ୍ରକୃତ ଅର୍ଥ କ’ଣ?

ବିକାଶକୁ କେବଳ ନିବେଶର ପରିମାଣରେ ମାପାଯାଇପାରିବ ନାହିଁ।

୧.୦୮ ଲକ୍ଷ କୋଟି ଟଙ୍କାର ନିବେଶ ନିଶ୍ଚୟ ଆକର୍ଷଣୀୟ। କିନ୍ତୁ ଜଙ୍ଗଲ ଯେଉଁ ଅର୍ଥନୈତିକ ଓ ସାମାଜିକ ସେବା ଯୋଗାଇଥାଏ, ସେଗୁଡ଼ିକର ମୂଲ୍ୟ କୌଣସି ବଜେଟ୍ କିମ୍ବା କର୍ପୋରେଟ୍ ବାଲାନ୍ସ ସିଟ୍‌ରେ ଦେଖାଯାଏ ନାହିଁ।

ଶୁଦ୍ଧ ପାନୀୟ ଜଳ, ନଦୀର ଉତ୍ସ, ଜୈବ ବିବିଧତା, ଖାଦ୍ୟ ସୁରକ୍ଷା, ପାରମ୍ପରିକ କୃଷି, ଔଷଧୀୟ ଉଦ୍ଭିଦ, ଜଳବାୟୁ ସନ୍ତୁଳନ, ଆଦିବାସୀ ଜ୍ଞାନ, ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ—ଏହାର କୌଣସିଟିର ଆର୍ଥିକ ମୂଲ୍ୟ ସଠିକ୍ ଭାବେ ହିସାବ କରାଯାଏ ନାହିଁ। ତଥାପି ଏହି ସମସ୍ତ ସମ୍ପଦ ହିଁ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ଭିତ୍ତି।

ଏକ ପାହାଡ଼କୁ ଥରେ ଖୋଳି ଦିଆଗଲେ ତାହାର ଜଙ୍ଗଲକୁ ପୁଣି ଗଢ଼ିବା ସମ୍ଭବ ହୋଇପାରେ, କିନ୍ତୁ ସେହି ଜଙ୍ଗଲର ଶତାବ୍ଦୀ ପୁରୁଣା ପରିବେଶ ବ୍ୟବସ୍ଥାକୁ ଫେରାଇ ଆଣିବା ସମ୍ଭବ ନୁହେଁ। କୃତ୍ରିମ ବନୀକରଣ କେବେ ମଧ୍ୟ ପ୍ରାକୃତିକ ଜଙ୍ଗଲର ବିକଳ୍ପ ହୋଇପାରେ ନାହିଁ। ଯେଉଁ ଔଷଧୀୟ ଉଦ୍ଭିଦ, ଜଳସ୍ରୋତ, ବନ୍ୟଜନ୍ତୁ ଏବଂ ପାରମ୍ପରିକ ଜ୍ଞାନ ପିଢ଼ି ପରେ ପିଢ଼ି ଧରି ଗଢ଼ିଉଠିଛି, ତାହାକୁ କୌଣସି “କମ୍ପେନ୍ସେଟରି ଆଫରେଷ୍ଟେସନ୍” ପୁନର୍ଜୀବିତ କରିପାରିବ ନାହିଁ।

ଗନ୍ଧମାର୍ଦ୍ଦନର ଆଦିବାସୀଙ୍କ ପାଇଁ ଏହି ପାହାଡ଼ କେବଳ ଏକ ଜଙ୍ଗଲ ନୁହେଁ।

ଏହା ସେମାନଙ୍କର ହାଟ, ଅନ୍ନଭଣ୍ଡାର, ଔଷଧାଳୟ, ଜଳର ଉତ୍ସ, ଦେବସ୍ଥାନ ଏବଂ ସାଂସ୍କୃତିକ ପରିଚୟ। ସେମାନେ ଏହି ଜଙ୍ଗଲକୁ ସୁରକ୍ଷା କରନ୍ତି କାରଣ ସେମାନଙ୍କ ଜୀବନ, ଜୀବିକା ଓ ଭବିଷ୍ୟତ ଏହା ସହ ଅବିଚ୍ଛିନ୍ନ ଭାବେ ଜଡ଼ିତ।

ଗନ୍ଧମାର୍ଦ୍ଦନର ଦୁଇ ପାର୍ଶ୍ୱରେ ଅବସ୍ଥିତ ନୃସିଂହନାଥହରିଶଙ୍କର ପୀଠ କେବଳ ଧାର୍ମିକ ସ୍ଥଳ ନୁହେଁ; ସେଗୁଡ଼ିକ ଏହି ପର୍ବତମାଳାର ସାଂସ୍କୃତିକ ଆତ୍ମାର ପ୍ରତୀକ। ପ୍ରକୃତି, ଆସ୍ଥା ଓ ଜୀବନ ଏଠାରେ ପରସ୍ପରଠାରୁ ଅଲଗା ନୁହେଁ।

ଆଜି ଓଡ଼ିଶା ଏକ ଐତିହାସିକ ସନ୍ଧିକ୍ଷଣରେ ଠିଆ ହୋଇଛି।

ରାଜ୍ୟ ନିଶ୍ଚିତ ଭାବେ ଶିଳ୍ପାୟନ କରୁ। ନୂଆ ନିବେଶ ଆସୁ। ନିଯୁକ୍ତି ସୃଷ୍ଟି ହେଉ। କିନ୍ତୁ ସେହି ବିକାଶ ଏପରି ହେବା ଉଚିତ, ଯାହା ନିଜର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ଐତିହ୍ୟକୁ ଧ୍ୱଂସ କରି ନୁହେଁ, ବରଂ ସୁରକ୍ଷା କରି ଆଗକୁ ବଢ଼େ।

କାରଣ ପ୍ରକୃତ ପ୍ରଶ୍ନ ଏହା ନୁହେଁ ଯେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍ ବାହାର କରାଯାଇପାରିବ କି ନାହିଁ।

ପ୍ରକୃତ ପ୍ରଶ୍ନ ହେଉଛି—ଯେଉଁ ପର୍ବତମାଳାକୁ ଆମେ ନିଜେ “ଜୈବ ବିବିଧତା ଐତିହ୍ୟ କ୍ଷେତ୍ର” ବୋଲି ସମ୍ମାନ ଦେଇଛୁ, ତାହାର ସୁରକ୍ଷା ପାଇଁ ସେହି ସମ୍ମାନର ମର୍ଯ୍ୟାଦା ରକ୍ଷା କରିବାର ସାହସ ଆମର ଅଛି କି?

ଗନ୍ଧମାର୍ଦ୍ଦନର ପ୍ରକୃତ ସମ୍ପଦ ତା’ର ମାଟି ତଳେ ଥିବା ୧୦୫ ମିଲିୟନ୍ ଟନ୍ ବକ୍ସାଇଟ୍ ନୁହେଁ; ବରଂ ମାଟି ଉପରେ ବଞ୍ଚିଥିବା ତା’ର ଜଙ୍ଗଲ, ନଦୀ, ଜୈବ ବିବିଧତା, ଆଦିବାସୀ ସଂସ୍କୃତି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ।

ଯଦି ଆମେ ଏହି ସତ୍ୟକୁ ବୁଝିବାରେ ବିଫଳ ହେଉ, ତେବେ ଆମେ କେବଳ ଗୋଟିଏ ପାହାଡ଼କୁ ହରାଇବୁ ନାହିଁ; ଆମେ ଓଡ଼ିଶାର ପ୍ରାକୃତିକ ଐତିହ୍ୟ, ଆଦିବାସୀ ଜ୍ଞାନ ଓ ଭବିଷ୍ୟତ ପିଢ଼ିଙ୍କ ଅଧିକାରକୁ ମଧ୍ୟ ବିପଦରେ ପକାଇଦେବୁ।

ଲେଖକ ସଂସ୍କୃତି ରାଜନୀତି ମନ୍ତବ୍ୟ ରଖନ୍ତି

RELATED ARTICLES

Most Popular

Recent Comments