ସମସ୍ତେ ତାଂକୁ ଜାଣନ୍ତି କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଲଢେଇ କରୁଥିବା ଜଣେ ସଂଗ୍ରାମୀ ବୋଲି । ସେ କେବେ ନିଜ ଗାଁରେ ସତ୍ୟାଗ୍ରହରେ ବସିପଡନ୍ତି ତ କେବେ ଜନ୍ତର ମନ୍ତରରେ ଧାରଣା ଦିଅନ୍ତି । କୋସଲି ଭାଷାର ସ୍ୱୀକୃତି ପାଇଁ ଜାତିୟ ସ୍ତରରେ ସକ୍ରିୟ ରହୁଥିବା ଭାଷାକର୍ମୀ ସାକେତ ଶ୍ରୀଭୂଷଣ ସାହୁଂକୁ ଖୁବ କମ ଲୋକ ଜାଣନ୍ତି ସେ ଜଣେ କବି ବୋଲି । ନିକଟରେ ତାଂକର କବିତା ସଂକଳନ “ତିନ ପଦ” ପ୍ରକାଶିତ ହୋଇଛି । ତାଂକର ସହିତ ଏକ ଅନ୍ତରଂଗ ସାକ୍ଷାତକାର ।
ପ୍ରଶ୍ନ – ଆମେ ଆପଣଂକୁ ଜଣେ ଭାଷାକର୍ମୀ ଭାବେ ଜାଣୁ, ଆପଣ ଏ କବିତା ସବୁ କେବେ ଲେଖିଲେ ?
ସାକେତ – ମୁଁ ସ୍କୁଲ ସମୟରୁ କବିତା ଲେଖୁଥିଲି ମାତ୍ର ସେ ସବୁ ପାରଂପାରିକ ଛନ୍ଦବଦ୍ଧ କବିତା ଥିଲା । କଲେଜ ସମୟରେ ଲେଖୁଥିଲି ହେଲେ ପ୍ରକାଶ କରୁ ନ ଥିଲି । ପରେ ସେ ସବୁ ଚିରି ଦେଇଥିଲି । ୨୦୦୩ ପରେ ପୁଣି କବିତା ଲେଖିବା ଆରମ୍ଭ କଲି ଏବଂ ସେ ସବୁ ଛୋଟ ଛୋଟ ନୋଟକୁ ନେଇ ନ ବର୍ଷ ପରେ ପ୍ରଥମ କବିତା “ପଦମ କହଁଡୋ ର ସପନ”୨୦୧୨ରେ ପ୍ରକାଶ କଲି । ୨୦୧୫ରେ ଦ୍ୱିତୀୟ କବିତା “ମେରିଆ” ଓ ୨୦୧୬ ରେ “ଜୁ” ଲେଖିଥିଲି । ସେ ତିନୋଟି କବିତାକୁ ନେଇ ତିନ ପଦ ସଂକଳନ ।
ପ୍ରଶ୍ନ -ବତର୍୍ମାନ କୋସଲି/ସମ୍ବଲପୁରିରେ ଯେଉଁ ଧାରାରେ କବିତା ଲେଖା ଚାଲିଛି ସେ ସମୟରେ ତିନ ପଦ ର ସ୍ଥାନ କେଉଁଠି?
ସାକେତ – ସ୍ଥାନ ପାଠକ ନିରୂପଣ କରିବେ । ଆମ ସାହିତ୍ୟରେ କବିତାର ଧାରା ଲୋକଗୀତରୁ ଆରମ୍ଭ । ସେ ପରଂପରା ଏବେ ବି ଚାଲିଛି ଓ ଆଗକୁ ବି ରହିବ । କବିତା ହେଉଛି କିଛି ଶବ୍ଦକୁ ନେଇ ପାଠକ ସାମନାରେ ଏକ ଚିତ୍ର ପ୍ରସ୍ତୁତ କରିବା ତଥା ତା ମନରେ ଏକ ବିଶେଷ ଭାବନା ଉଦ୍ରେକ କରିବା । ଭାବନା ଉଦ୍ରେକ କରିପାରିଲେ କୃତି ସଫଲ ଏବଂ ଆପଣ ସେ ଭାବନା ଉଦ୍ରେକ କରିବା ପାଇଁ ଯେଉଁ ଶୈ÷ଳୀରେ ବି ଉପସ୍ଥାପନା କରିପାରନ୍ତି ।
ପ୍ରଶ୍ନ – ତିନ ପଦରେ ସମାଜ ପାଇଁ କଣ ବାର୍ତା ରହିଛିି ?
ସାକେତ – ମୁଁ ସମାଜକୁ ବାର୍ତା ଦେବା ପାଇଁ ବା ସମାଜ ସୁଧାର ପାଇଁ କବିତା ଲେଖିନି । ବର୍ତମାନ ସମାଜରେ ଅଣନିଶ୍ୱାସି ହୋଇପଡିଥିବା ମଣିଷ, ତାର ଦ୍ୱନ୍ଦ, ନିରାଶା, ସ୍ୱପ୍ନ, ସପନ ଆଉ ସତ ଭିତରେ ଥିବା ପାର୍ଥକ୍ୟ, ମଣିଷ ସଂପର୍କ ମଧ୍ୟରେ, ମରଣ ଓ ଜୀବନ ମଧ୍ୟରେ ଥିବା ସତ୍ୟତା, ସହର ଓ ଗାଁ ର ବଦଲୁଥିବା ଚିତ୍ର, ଅବକ୍ଷୟର ସ୍ରୋତରେ ବହିଚାଳିଥିବା ସଂସ୍କୃତି, ଯାନ୍ତ୍ରିକ ହୋଇପଡିଥିବା ସମୟକୁ କେବଳ ଚିତ୍ରଣ କରିବାର ଚେଷ୍ଟା କରିଛି ମାତ୍ର ।
ପ୍ରଶ୍ନ – ତେବେ ଆପଣ କାହିଁକି କବିତା ଲେଖନ୍ତି ?
ସାକେତ – କେବେବି ପାଠକୀୟ ପ୍ରଶଂସା ବା ପୁରସ୍କାର ପାଇଁ କବିତା ଲେଖିନି । ମାତ୍ର କବିତା ଲେଖିବା ସମୟରେ ଏକ ଆତ୍ମସନ୍ତୁଷ୍ଟି ମିଲେ । ମନ ଭିତରେ ଜମାଟ ବାନ୍ଧିଥିବା ଅତୃପ୍ତ ସ୍ୱପ୍ନ ସବୁ ଶବ୍ଦ ଜରିଆରେ ସାକାର ହେଲାପରି ଲାଗେ, ସେଥିପାଇଁ, ନିଜ ପାଇଁ ଲେଖେଁ । ଯେମିତି କହିସାରିଛି, ଅଚାନକ କେବେ କିଛି ଧାଡି ମନକୁ ଆସିଗଲେ ତାକୁ ନୋଟ କରିନିଏ ଓ ପରେ ସେ ସବୁ ନୋଟକୁ ନେଇ କବିତାର ସୃଷ୍ଟି । ସେ ଅଚାନକ ବାହାରି ପଡୁଥିବା ଧାଡି ସବୁ ମନକୁ ହାଲକା କରିପକାଏ ।
ପ୍ରଶ୍ନ – ଯଦି ନିଜ ପାଇଁ କବିତା ଲେଖନ୍ତି, ପ୍ରକାଶ କାହିଁକି କଲେ ?
ସାକେତ – ଦୁନିଆଁର ସବୁ କବିତାରେ କବିର ନିଜି ଜୀବନର ଝଲକ ଥାଏ । ଏଥିରୁ କେହି ବର୍ତି ପାରିନାହାନ୍ତି । ତଥାପି ସେ ନିଜି ଜୀବନ ଆଉ କାହାର ନିଜି ଜୀବନ ସହିତ ମେଳ ଖାଇଜିବ ଓ ସେ ନିଜେ ଲେଖି ଯଦି ନ ପାରୁଛି, ପଢିକରି ହେଲେ ନିଜକୁ ସଂପର୍କିତ କରିପାରିବ । କିଛି ନିଜି ଦୁଃଖ, ନିଜି ସୁଖ, ନିଜି ସ୍ୱପ୍ନ, ନିଜି ଦ୍ୱନ୍ଦ ବାଣ୍ଟି ହୋଇଯିବ ଓ କାଳେ ଜାଗତିକ ହୋଇଜିବ, ସେଇ ଆଶାରେ ପ୍ରକାଶ କରିବାକୁ ମନ କଲି ।
ପ୍ରଶ୍ନ – ବହୁତ ବହୁତ ଧନ୍ୟବାଦ ! ଆପଣ ଆଗକୁ ଆହୁରି ଲେଖନ୍ତୁ, ଯେଉଁ ଭାଷା ପାଇଁ ସଂଗ୍ରାମ କରୁଛନ୍ତି ସେ ଭାଷା ସାହିତ୍ୟ ରୁଦ୍ଧିମନ୍ତ ହେଉ, ଭଗବାନ ଠାରେ ଏହାହିଁ ପ୍ରାର୍ଥନା ।
ସାକେତ – ଧନ୍ୟବାଦ !