Thursday, December 19, 2024
HomeArt & Cultureକୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୪):ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୪):ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

ଦୁର୍ଭାଗ୍ୟ
କୋଶଲର ଏହା ବଡ଼ ଦୁର୍ଭାଗ୍ୟ ଯେ ତାର ଭୌଗୋଳିକ ସ୍ଥିତି ହିଁ ତାର ବହୁ ନିର୍ଯ୍ୟାତନାର କାରଣ ହୋଇ ଆସିଅଛି । ପୂର୍ବ ଉପକୂଳ ଓ ମଧ୍ୟଦେଶ ମଝିରେ ଡୁଡୁ ଖେଳର ମଧ୍ୟରେଖା ପରି ଏହାକୁ ଉଭୟ ଆଡ଼ର ସାମରୀକ ଖେଳାଳୀଙ୍କ ପାଦପ୍ରହାର ଓ ମୃଦଙ୍ଗ ତୁଲ୍ୟ ଉଭୟ ଦିଗର କର ତାଡ଼ନ ସହିବାକୁ ପଡି଼ ଆସିଅଛି । ଏପରି ପରିସ୍ଥିତିରେ ନିଜର ପ୍ରାଚୀନ ସଂସ୍କୃତି ଓ ଭାଷାକୁ ରକ୍ଷା କରିବା କେତେଦୂର ସମ୍ଭବ ତାହା ବିଚାର୍ଯ୍ୟ । କୌଣସି ଐତିହାସିକ ପରିସ୍ଥିତିର ବାଧ୍ୟବାଧକତାରେ ଦକ୍ଷିଣ କୋଶଳର ପଶ୍ଚିମ ପଟ ହିନ୍ଦୀକୁ ଓ ପୂର୍ବପଟ ଓଡି଼ଆକୁ ନିଜ ସାହିତ୍ୟ ଓ ସଂସ୍କୃତିର ମାଧ୍ୟମ ରୂପେ ଗ୍ରହଣ କରି ନେବାର ଯେଉଁ ଜଘନ୍ୟତା ସଂଘଟିତ ହେଲା ତାହା ଉଭୟ- ଏ ପ୍ରଦେଶକୁ ଅଭିଶାପ ତୁଲ୍ୟ ହିଁ ହୋଇଛି । ଏତଦ୍ୱାରା ସ୍ୱକୀୟତାର ଏତେ ସଂକଟ ହେଲା ଯେ, ବର୍ତ୍ତମାନ ନିଜର କହିବାକୁ କେବଳ ଭାଷା ମାତ୍ର କଥିତ ରୂପରେ ରହିଯାଇଛି । ବ୍ରିଟିଶ ଅଧିକୃତି ପରେ ମଧ୍ୟ କନ୍ଦୁକ ବତ୍ ଥରେ ବେଙ୍ଗଲ, ଥରେ ମଧ୍ୟ ପ୍ରଦେଶ ପୁନଃ ବେଙ୍ଗଲ ପରେ ବିହାର-ଓଡି଼ଶା ଓ ପରିଶେଷରେ ଓଡି଼ଶାରୁ ପରିଚାଳିତ ହୋଇ ଏ ଅଂଚଳ କଣ ଭୋଗିଛି ତାହା କାହାରିକୁ ଅଜଣା ନାହିଁ । କେବଳ ନିଜ ଭାଷାର ସ୍ୱାତନ୍ତ୍ର‌୍ୟ ରଖିପାରି ନ ଥିବାରୁ ଏ ଦୁର୍ଦ୍ଦଶା ଭୋଗ କରିବାକୁ ହୋଇଛି, ଯାହା ଏବେ ମଧ୍ୟ ଶେଷ ହୋଇନାହିଁ ।

ଆପଣା ହସ୍ତେ ଜିହ୍ୱା ଛେଦି
ସମସ୍ତ ଓଡି଼ଶା ଭାଷୀ ଅଂଚଳକୁ ଏକତ୍ର ରଖିବା ପାଇଁ ଉତ୍କଳ ସମ୍ମିଳନୀ ଆଦି ଦ୍ୱାରା ଯେଉଁ ଆନ୍ଦୋଳନ ହେଲା ତହିଁରେ ସମ୍ବଲପୁର ଅଂଚଳ ମଧ୍ୟ ଯୋଗ ଦେଲା । ଏଥିରେ ଉପକୂଳବାସୀ ଯେ କେତେ ଯୋଗ ଦେଇଛନ୍ତି, ତାହାର କୌଣସି ବିବରଣୀ ନାହିଁ । କେବଳ କାଗଜୀ ଆସ୍ଫାଳନ ମାତ୍ର କରାଯାଉଥିଲା ଓ ଶେଷରେ ଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀକୁ ମଧ୍ୟ ବଚନ ଦେଇ ଧୋଖା ଦିଆ ହେଲା । ଯାହାହେଉ, ସମ୍ବଲପୁର ଅଂଚଳ ନିଜ ଭରସାରେ ହିଁ ଓଡ଼ିଶାକୁ ଆସିଲା । ନୂତନ ଓଡି଼ଶା ପ୍ରଦେଶ ଗଠନ ସମୟରେ ମଧ୍ୟ ଖଡ଼ିଆଳକୁ କେହି ପ୍ରଚାର ବା ଉଦ୍ବୋଧନ ପାଇଁ ଆସିନାହିଁ । ଅତ୍ରତ୍ୟ କେତେଜଣ ଓଡ଼ିଆ ବିରୋଧିଙ୍କ ଅପପ୍ରଚାର ସତ୍ତେ୍ୱ ଖଡି଼ଆଳ, କେବଳ ନିଜ ସାହିତ୍ୟିକ ପରଂପରା, ରାଜା ଆର୍ତ୍ତତ୍ରାଣ ଦେବଙ୍କ ସ୍ୱୀକୃତି ଓ ଜନ ସାଧାରଣଙ୍କ ମୂକ ସମର୍ଥନ କ୍ରମେ ଓଡି଼ଶାରେ ମିଶିଲା । ସେ ସମୟରେ ଯଥେଷ୍ଟ ସଜ୍ଞାନ ଥିବା ଆମେ ବହୁ ଲୋକ ବଂଚିଛୁ । ପ୍ରମାଣର ଆବଶ୍ୟକତା ନାହିଁ । ସ୍ୱାଧୀନତା ପ୍ରାପ୍ତି ପରେ ରାଜ୍ୟ ପୁନର୍ଗଠନ ସମୟରେ ମଧ୍ୟ ସୀମାନ୍ତରେ ପ୍ରଚାର ପାଇଁ ସରକାର କିଛି ବ୍ୟୟ ବରାଦକରିଥିଲେ । ଲେଖକ ସ୍ୱୟଂ ଜଣେ କର୍ମୀ ଥିବାରୁ ସେ ସମୟର କଥା ପ୍ରମାଣ ପୂର୍ବକ କହିପାରେ । ଉଦ୍ଦେଶ୍ୟ କେବଳ ଏତିକି ଯେ, ଏ ଅଂଚଳମାନ ପୁନଃ ଯେପରି ମଧ୍ୟପ୍ରଦେଶକୁ ଚାଲି ନଯାନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ରହି ଯାଇଥିବା ବହୁ ଅଂଚଳର ଚିନ୍ତା କେହି କରି ନଥିଲେ ।
ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ରହି ଯାଇଥିବା ବହୁ ଅଂଚଳର ଚିନ୍ତା କେହି କରି ନଥିଲେ । ଏ ଅଂଚଳ ମାନଙ୍କରେ ଚେତନା ଜାଗ୍ରତ କରାଇ ସବଳ ନେତୃତ୍ୱ ଦେଇ ପାରିଥିଲେ ଏସବୁ ଅଂଚଳ ଆସି ପାରିଥାନ୍ତା । ନିମିତ୍ତ ମାତ୍ର ଖାଲି କାଗଜରେ ହୁ..ହା କରିଦେଇ ଅଳ୍ପକେ ବହୁତ ସନ୍ତୋଷ ହୋଇ ରହିଲେ । ଲାଭ କେବଳ ‘ବେଙ୍ଗ ପାଣିଆର ହତ୍ୟା କରାଇବାର ପାପ’ ମୁଣ୍ଡାଇଲେ । ଏତତ୍ ସତ୍ତେ୍ୱ କୃତଜ୍ଞତାର ନିଦର୍ଶନ ସ୍ୱରୂପ ‘ଶତାବ୍ଦୀର ସୂର୍ଯ୍ୟ’ (ଯାହା ଉତ୍କଳରେ ଉଦୟ ହୋଇଥିଲା) ପୁୁସ୍ତକର ପୃଷ୍ଠା ୫୫୫ରେ ଶ୍ରୀ ସୁରେନ୍ଦ୍ର ମହାନ୍ତି “ସମ୍ବଲପୁରରେ କିନ୍ତୁ ଓଡ଼ିଆ ଭାଷା ବିଲୋପ ଘେନି ଯେଉଁ ପରିମାଣରେ ଆଲୋଡ଼ନ ବିଲୋଡ଼ନ ପ୍ରକାଶ ପାଇବାର କଥା ତାହାର କୌଣସି ସଙ୍କେତ ନଥିଲା” (ସପ୍ତର୍ଷି ଅଗଷ୍ଟ ୭୨ ପୃଷ୍ଠା ୧୪ । ସମ୍ବଲପୁର ର ଭାଷା ଆନ୍ଦୋଳନ,ଲେ: ଶ୍ରୀ ଶଙ୍କର ପ୍ରସାଦପାଢ଼ୀ ଓ ଶ୍ରୀ ଶ୍ରଦ୍ଧାକର ସୂପକାର) ଏପରି ଲେଖି ଯେଉଁ ଜୁଏ ଲୁଠା ଚେଇଁ ଦେଲେ, ସେଥିରେ ମାନ୍ୟବର ମହତାବଙ୍କ ମତ “ଭାଷା ଆନ୍ଦୋଳନ ବସ୍ତୁତଃ ପ୍ରଥମେ ତୀବ୍ର ଆକାର ଧାରଣ କରିଥିଲା, ସମ୍ବଲପୁର ରେ । ତତ୍କାଳୀନ ସମ୍ବଲପୁର ବାସୀ ବାସ୍ତବିକ ଅନ୍ୟ ଅଂଚଳର ସାହାଯ୍ୟ ବିନା ଏକାକୀ ଯେପରି ସଂଗ୍ରାମରେ ବିଜୟୀ ହେଲେ ଏବଂ ଶେଷରେ ସମ୍ବଲପୁର ମଧ୍ୟପ୍ରଦେଶରୁ ବାହାରି ଆସି ଓଡି଼ଶାରେ ମିଶିଲା, ଏହା ଓଡ଼ିଶା ସାହିତ୍ୟ ଇତିହାସରେ ଏକ ଚାଂଚଲ୍ୟକର ଅଧ୍ୟାୟ” (ଝଙ୍କାର, ଡିସେମ୍ବର ୧୯୮୨ ସଂପାଦକୀୟ ।) ଆଦି କୋଶଲ ବାସୀଙ୍କ ହୃଦୟରେ ‘ବୋଲି ଦେଲା ପ୍ରାଏ ଗୋଳି ଚନ୍ଦନକୁ’ର କାମ କେତେଦୂର କରିବ ତାହା ସ୍ପଷ୍ଟ । ଫଳରେ ଯାହା ହେଉଛି ତାହା ମଧ୍ୟ ସ୍ପଷ୍ଟ । ଥରେ ଲୋକସଭା ସଦସ୍ୟ ଶ୍ରୀ ବନମାଳୀ ବାବୁ ଦେଇଥିବା ଗୋଟିଏ ବିବୃତି ଯାର ସାରାଂଶ “କୋଶଲର୍ କେହି ବୁଆ, ମା ନାଇଁ ନ” କେବଳ ଅଳିକ କଳ୍ପନା ପ୍ରସୂତ ଅଭିଯୋଗର ଅତିରଂଜନ ମାତ୍ର ନୁହେଁ, ନିଷ୍ଠୁର ବାସ୍ତବତା ।

RELATED ARTICLES

Most Popular

Recent Comments