ଯୂୟଂ ଯୂୟଂ ବୟଂ ବୟମ୍
ସ୍ୱାତ୍ମାବମାନନା ବା ଅନ୍ୟ ଯେ କୌଣସି କାରଣରୁ ହେଉ କୋଶଳ ବାସୀ ଓଡିଆ ଭାଷାକୁ ନିଜର ସାହିତ୍ୟ ଓ ସଂସ୍କୃତିର ମାଧ୍ୟମ ରୂପେ ଗ୍ରହଣ କରି ନେଇଥିବା କଥା କୁହାଯାଇଛି ଗୋଟିଏ ଅନ୍ୟ ଭାଷା କ୍ଷେତ୍ରରେ ଅନ୍ୟ ଗୋଟିଏ ଭାଷା ଏପରି ସର୍ବବ୍ୟାପକ ପ୍ରଭାବ ବିସ୍ତାର କରିଥିବା ଦୃଷ୍ଟାନ୍ତ ଅନ୍ୟତ୍ର ମିଳେ ନାହିଁ । ଭାରତରେ ଇଂଗ୍ରେଜୀର ସର୍ବମୟ ପ୍ରଭାବ ସ୍ୱୀକାର କଲେ ହେଁ, ଏହି ଇଂଗ୍ରେଜୀ ଯୁଗରେ ହିଁ ଭାରତୀୟ ଭାଷା ଓ ସାହିତ୍ୟ ନୂତନ ଯୁଗୀନ ଏତେ ଉନ୍ନତି କରି ପାରିଛନ୍ତି, ଏହା ପ୍ରତ୍ୟକ୍ଷ । କିନ୍ତୁ ‘ଖରା ଘରେ ବର୍ହା ଅଁର୍ରା’ ନୀତିରେ କୋଶଳରେ ଓଡିଆ ହିଁ ସର୍ବମୟ କର୍ତ୍ତା ହୋଇ ଉଠିଛି ଓ କଥିତ ହେବା ବ୍ୟତିରେକେ କୋଶଲୀ ପାଇଁ ସବୁ ବାଟ ଅବରୁଦ୍ଧ କରିଦେଇଛି ତାର ଗତି କି ପ୍ରଗତି ସମସ୍ତ ସ୍ତବ୍ଧ, କେବଳ ସ୍ଥିତି ମାତ୍ର ଅଛି । ସୁଦୂର ମୂଳ ଏକ ହୋଇଥିବା, ଆସନ୍ନ ପଡୋଶୀ ହୋଇ ଶତାବ୍ଦୀ ଧରି ପରିପ୍ଳାବିତ କରି ଆସି ଯେତେ ପ୍ରଭାବିତ କରି, ଅନୁ ପ୍ରବେଶ କରି ଥାଉନା କାହିଁକି, ବାହ୍ୟାଭ୍ୟନ୍ତରତଃ ସୂକ୍ଷ୍ମ ନିରୀକ୍ଷଣ ଦ୍ୱାରା ଏ ଦୁଇ ଭାଷାର ସ୍ୱତନ୍ତ୍ର ମହତ୍ୱ ସ୍ପଷ୍ଟ ଜଣାପଡିଯାଏ ।
ଭୌଗୋଳିକ ଅବସ୍ଥିତି, ଭୂ ପ୍ରକୃତି, ଜଳବାୟୁ ଓ ଅନ୍ୟାନ୍ୟ ପର୍ଯ୍ୟାବରଣର ପ୍ରଭାବ ତତ୍ରତ୍ୟ ପ୍ରକୃତି, ପରିବେଶ, ବନସ୍ପତି ଓ ପ୍ରାଣୀ ଉପରେ ତ ପଡେ ହିଁ, ନିଜ ବୁଦ୍ଧି ବଳରେ କେଉଁଠି ନିଜକୁ ପ୍ରକୃତିର ଅନୁକୂଳ ଓ କେଉଁଠି ପ୍ରକୃତିକୁ ନିଜର ଅନୁକୂଳ କରି ପାରୁଥିବା ମାନବ ଉପରେ ମଧ୍ୟ ଏସବୁର ପ୍ରଭାବ ଅନିବାର୍ଯ୍ୟ ଓ ଅପ୍ରତିକାର୍ଯ୍ୟ । ଏ ସବୁ କାରଣରୁ ତାର ଜୀବନର ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥାଏ । ଭାଷା କ୍ଷେତ୍ରରେ ତାର ବାକ୍ଯନ୍ତ୍ରର ପରିବର୍ତ୍ତନ ସହ ବିଚାର ଧାରା ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହୁଏ । ତାର ଚିନ୍ତନ (Faney) ଦୃଷ୍ଟିକୋଣ (Angle ରୁ Observation or Viewpoint) ଉଚ୍ଚାରଣ, କଥନ ଭଙ୍ଗୀ, ଭାବପ୍ରକାଶର ରୀତି ଆଦିରେ ବିପୁଳ ପରିବର୍ତ୍ତନ ଘଟେ, ଫଳତଃ ମୂଳ ଧାତୁ ମାନଙ୍କରୁ ନୂତନ ଶବ୍ଦ ସୃଷ୍ଟି, ପୁରୁଣା ଶବ୍ଦମାନଙ୍କ ସ୍ୱର ବ୍ୟଞ୍ଜନାଦି ବ୍ୟତ୍ୟୟ ଦ୍ୱାରା ନୂତନତା ଆପାଦନ ଓ ପୁରୁଣା ଶବ୍ଦ ମାନଙ୍କ ଉପରେ ନୂତନ ଅର୍ଥ ଆରୋପ ଆଦି ଘଟିଥାଏ ଓ ମୂଳ ଭାଷା ଗୋଟିଏ ହେଲେ ହେଁ କ୍ଷେତ୍ର ଅନୁସାରେ ଭାଷା ଭିନ୍ନ ହୋଇଯାଏ ଓ ପରସ୍ପରକୁ ଅବୋଧ୍ୟ ମଧ୍ୟ ହୋଇ ଯାଇପାରେ ।
ସ୍ଥୁଳତଃ କହିଲେ, ଆର୍ଯ୍ୟମାନଙ୍କ ସହ ଭାଷା ମଧ୍ୟ ପୂର୍ବ-ପୂର୍ବକୁ ଗତି କରିଛି । ମୂଳ ପ୍ରାକୃତ ଶୌରସେନୀ ପୂର୍ବକୁ ଗତିକରି ମାଗଧୀରେ ପରିଣତ ହେବା ପୂର୍ବରୁ ଅଧା ବାଟରେ କୋଶଳ ଖଣ୍ଡରେ ଗୋଟିଏ ରୂପରେ ସ୍ଥିର ହୋଇଗଲା । ଏକ ପ୍ରାକୃତ ମାନଙ୍କ ଠାରୁ ଯେଉଁ ଯେଉଁ ଭାଷା ମାନ ଉଦ୍ଭୁତ ହେଲେ, ସେମାନଙ୍କୁ ନିଜ ପ୍ରାକୃତ ଅନୁଯାୟୀ ଗୋଟିଏ ଗୋଷ୍ଠୀରେ ଗଣାଯାଏ । ଓଡ଼ିଶାକୁ ପ୍ରାକୃତ ମଗଧ ଦେଇ ଓ କୋଶଳକୁ ଉତ୍ତର କୋଶଳ ଦେଇ ଆସିଥିବା ଓ ଓଡ୍ର ପୀଠରେ ଏ ଦୁଇ ପ୍ରାକୃତର ମିଳନରେ ଓଡିଆ ଭାଷାର ଉଦ୍ଭବ ହୋଇଥିବା ପୂର୍ବେ କୁହାଯାଇଛି । ଦୁଃଖର କଥା ଓଡିଆ ଆଲୋଚକ ମାନେ ଏ ତଥ୍ୟକୁ ଏଡାଇ ଦେଇ, ଓଲଟଗଙ୍ଗା ବୁହାଇ କୋଶଲୀ ଭାଷାକୁ ଓଡିଆରୁ ଜାତ ଉପଭାଷା ହୋଇଥିବାର ହିଁ ଘୋଷା ଧରିଥାନ୍ତି । ଏଠାରେ ମାତ୍ର ତିନୋଟି ଉଦାହରଣ ଦ୍ୱାରା ଏହାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରୁଛି ।
ଭାରତରେ ବର୍ଷାକାଳୀନ ଗୋଟିଏ ଶାକାର୍ଥ ଫଳ ହେଉଛି ବୋଇତାଳୁ, ବୋଇତିଆଳୁ ବା ବୋଇତି କଖାରୁ । ଏହାକୁ ସମାନ ଦୁଇ ଫାଳ କଲେ ପ୍ରତ୍ୟେକ ଫାଳ ଗୋଟିଏ ବଡ ଡଙ୍ଗା ବା ବୋଇତ ପରି ଦିଶେ । ସମୂଦ୍ର ଉପକୂଳ ଅଂଚଳରେ ବୋଇତ ଗୋଟିଏ ସାଧାରଣ ଦୃଶ୍ୟ ହେତୁ ଉପମା ବାଚକ ଏହି ନାମ ପଡିଯାଇଛି । ସମୁଦ୍ରରୁ ଦୂର ଅବସ୍ଥିତ ପ୍ରଦେଶ ମାନଙ୍କରେ ବୋଇତ ସାଧାରଣ ଦୃଶ୍ୟ ନ ହୋଇଥିବାରୁ ଉପଯୁକ୍ତ ହେଲେ ହେଁ, ଏ ନାମର ପ୍ରଚାର ନାହିଁ ।
ସେ ଦେଶ ମାନଙ୍କରେ ଏ ଫଳକୁ କୁମ୍ଭଡା, କୁମ୍ହଡା ବା କୁମଡା ବୋଲାଯାଏ । ଯେହେତୁ ଏହାର ଭିତର ବୀଜ ବ୍ୟତିରେକେ ‘କୁମ୍ଭ’ ବା ‘ମାଠିଆ’ ପରି ଶୂନ୍ୟ ବା ଫମ୍ପା ଥାଏ । ଏହା ଶୁଦ୍ଧ ସଂସ୍କୃତ ଜାତ ଶବ୍ଦ ଅଟେ । କୁମ୍ଭଂ-କୁମ୍ଭାକାରଂ ଲାତି-ଆଦତ୍ତୋକୁମ୍ଭଂ + ଲା ଆଦାନେ + କଃ + ଟାପ୍ଚ, (ଇତି, ଶବ୍ଦ କଳ୍ପଦ୍ରମଃ) କୁମ୍ଭଳା-ଳ = ଡ, ଅତଃ କୁମ୍ଭଡା । ଏହା ସିଝିଗଲେ ମାଖନ (ମ୍ରକ୍ଷଣ > ମକ୍ଖନ > ମାଖନ) ବା ନବନୀତ ତୁଲ୍ୟ କୋମଳ ମେଞ୍ଚା ହୋଇଯାଏ । ଏ ସବୁ ବିଶେଷଣ ସହ ‘ମାଖନ କୁମଡା’ ବୋଲାଯାଏ । ଏ ନାମ ଉତ୍ତର ଭାରତରୁ ବଙ୍ଗ ଯାଏଁ ଚଳୁଛି । ଏ ନାମ ଭାଷା ସହ ଉତ୍ତର କୋଶଳରୁ ଆସିଛି ଯଥା: ରାମଚରିତ ମାନସରେ ଦେଖନ୍ତୁ :
यहां कुम्भड बतिया कोऊ नाहिं ।
जे तरजनी देख मरि जाहिं ॥
ଏହା ଭୌଗୋଳିକ ସ୍ଥିତି ଯୋଗୁଁ ଭାଷା ଭେଦର ଗୋଟିଏ ଉଦାହରଣ । ଭାବନା ଆଦିର ଗୋଟିଏ ପ୍ରକୃଷ୍ଟ ଉଦାହରଣ ହେଉଛି, “ଦହି ମୁଁହାଇବା” । ଓଡିଆରେ କହନ୍ତି- “ଦହି ମୁଁହାଉଛି”, ତାହା କୋଶଲୀରେ ହୁଏ- ‘ମହିବିଲୁଛେ’ । ଏଥିରେ ମନ୍ଥନଦଣ୍ଡ, ଦହି, ମନ୍ଥନ କର୍ମ ଓ ପରିଣାମ ଘୋଲର ବିଚାର କରାଯାଉ ।
ଓଡିଆରେ ମନ୍ଥନ ଦଣ୍ଡକୁ ଖୁଆ ଦଣ୍ଡ କହନ୍ତି । ଏହା କ୍ଷୁତ୍ତ ସଂଚଳନେ ଧାତୁରୁଜାତ, କୋଶଲୀରେ ଏହାକୁ ‘ରଇ’ କହନ୍ତି । ଏହା ରୈ ଶବ୍ଦେ ଧାତୁରୁ ଜାତ । ମନ୍ଥନ କାଳରେ ଏହି ଶବ୍ଦ ଉତ୍ପନ୍ନ କରୁଥିବାରୁ ଏହାର ଏପରି ନାମ । ଏହାର ଅତି ମନୋହର ବିବରଣ ଦେଇଛନ୍ତି ଦକ୍ଷିଣ କୋଶଳର ମହାକବି ଭାରବୀ, ତାଙ୍କ କିରାତାର୍ଜ୍ଜୁନୀୟ କାବ୍ୟରେ ଘୋଷ ବର୍ଣ୍ଣନା ବେଳେ । ଯଥା
ब्रजाजिरे स्वम्बुदनाद शंकिनीः शिखण्डिनामुन्मदयत्सु योषितः ।
मुहुः प्रणुन्नेषु मथां विवर्त्त्तनैर्नदत्सु कुमनेषु मृदंग मंथरम् ॥
ଓଡିଆରେ ମନ୍ଥନ ପାଇଁ ‘ମଥ୍ ’ଧାତୁ ଜାତ ‘ମୁଁହାଇବା’ ଶବ୍ଦ ପ୍ରୟୋଗ କରାଯାଏ । କିନ୍ତୁ କୋଶଲୀରେ ବି + ଲୁଡ୍ ବା ବିଲୋଡନ ଶବ୍ଦ ପ୍ରୟୋଗ କରାଯାଏ । ତେଣୁ ବିଲୁଛେ ହୁଏ ।
धृत कि होई पुनि वारि विलाये (रां चं मां)
ଓଡିଆରେ କର୍ମ ଭାବେ ଦହି ହିଁ କହନ୍ତି, କିନ୍ତୁ କୋଶଲୀରେ ନିମିତ୍ତାର୍ଥ ବା ଉଦ୍ଦେଶ୍ୟର ନିର୍ଦ୍ଦେଶରେ ‘ମହି’ ଶବ୍ଦ ପ୍ରୟୋଗ କରାଯାଏ । ସଂସ୍କୃତରେ ଏଥିପାଇଁ ଉଦସ୍ୱିତ, ମଥିତ, ଘୋଲ ଓ ଛଚ୍ଛିକ ଶବ୍ଦ ରହିଛି । ଓଡିଆରେ ଘୋଲ ପ୍ରୟୋଗ କଲେ କୋଶଲୀରେ ମହି (ମଥିତ) ପ୍ରୟୋଗ କରାଯାଏ ।
ଏବେ ବ୍ୟୁତ୍ପତ୍ତିକ ପ୍ରଭେଦଦେଖିବା ପାଇଁ ଗୋଟିଏ ଶବ୍ଦ ‘ବିବାହ’ର ବିଚାର କରାଯାଉା ଓଡିଆରେ ବିଭା ଓ ବାହା ପ୍ରଚଳିତ ଥିଲେ କୋଶଲୀରେ ‘ବିହା’ ଶବ୍ଦ ପ୍ରଚଳିତ ଅଛି । ବିବାହ ଗୋଟିଏ ସିଦ୍ଧ ପଦା ଓଡିଆରେ ସ୍ୱର ବ୍ୟତ୍ୟୟ ଯୋଗୁ ବିବାହ ଓ ପରେ ‘ବ’ ଓ ‘ହ’ ର ଯୋଗରେ ବିଭା ଶବ୍ଦ ନିଷ୍ପନ୍ନ ହୁଏ କିମ୍ବା ସମବର୍ଣ୍ଣ ଯୋଗୁଁ ବି ର ସମୂହ ଲୋପ ପରେ ବା, ର ଆକାରର ଅନୁବର୍ତ୍ତନ ଯୋଗୁ ବାହା ଶବ୍ଦ ସିଦ୍ଧ ହୁଏ । କୋଶଲୀରେ ଦ୍ୱିତୀୟ ବର୍ଣ୍ଣ ‘ବ’ ର ସମବର୍ଣ୍ଣ ଯୋଗୁଁ ଲୋପ ପରେ ଆ କାରର ଅନୁବର୍ତ୍ତନରେ ବିହା ଶବ୍ଦ ସିଦ୍ଧ ହୁଏ । ଏପରି ଭାଷା ଭେଦର ବିବିଧ ଦୃଷ୍ଟିକୋଣର ବିବରଣ ମୋର ଗୋଟିଏ ଲେଖା ‘କୋଶଳୀ ଭାଷା’ ସପ୍ତର୍ଷି ନଭେମ୍ବର ୧୯୮୨ ଅଙ୍କରେ ଦ୍ରଷ୍ଟବ୍ୟ । ବିସ୍ତାର ଭୟରେ ଏଠି ପୁନରୁକ୍ତି କରୁ ନାହିଁ ।
ଏପରି ଶତାବ୍ଦୀ ଶତାବ୍ଦୀ ଧରି ଓଡି଼ଆ ଓ କୋଶଲୀ ଭାଷା ପରିପ୍ଳାବକ ଓ ପରିପ୍ଳାବିତ ଭାବେ ଏକତ୍ର ରହିଥିଲେ ହେଁ, ଯୂୟଂ ଯୂୟଂ ବୟଂ ବୟମ୍ ହୋଇ ରହିଛନ୍ତି ।