ଲିପି ସମସ୍ୟା
ଏ ଭାଷାର ସ୍ୱାତନ୍ତ୍ର୍ୟ ବିଷୟ ଚର୍ଚ୍ଚା ଆରମ୍ଭ ମାତ୍ରେ କି ବିଦ୍ୱାନ ଲେଖକ କି ସାଧାରଣ ବ୍ୟକ୍ତି କହି ଉଠନ୍ତି ଯେ, ସ୍ୱତନ୍ତ୍ର ଭାଷା ହେଲେ ଏହାର ଲିପି କାହିଁ? ସେମାନେ କୁଣ୍ଠ ଦୁଷ୍ଟିରେ ଏହା ବିଚାର କରି ପାରନ୍ତି ନାହିଁ ଯେ, ଏକ ମୂଳିକ ବିଭିନ୍ନ ଭାଷା ପାଇଁ ଭିନ୍ନ ଭିନ୍ନ ଲିପି ଆବଶ୍ୟକ ନୁହେଁ । ଇୟୁରୋପ ର ସବୁଭାଷା ଏକ ମାତ୍ର ରୋମାନ ଲିପିରେ ଲେଖାଯାନ୍ତି । ପରସ୍ପରକୁ ବୁଝିବାକୁ ସୁବିଧା ହେବ ବୋଲି ଅନ୍ତତଃ ସବୁ ଆଧୁନିକ ଆର୍ଯ୍ୟ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଅନେକ ବିଦ୍ୱାନ ପରାମର୍ଶ ଦେଉଛନ୍ତି ।
ବଙ୍ଗାଳୀ ଓ ଅସମିୟା ଏକା ଲିପିରେ ଓ ହିନ୍ଦୀର ସବୁ ଶାଖା ଓ ମହାରାଷ୍ଟ୍ରୀ ମଧ୍ୟ ଏକମାତ୍ର ଦେବନାଗରୀ ଲିପିରେ ଲେଖାଯାନ୍ତି । ସମସ୍ତ ଭାରତୀୟ ଆର୍ଯ୍ୟ ଭାଷା ଦୂର ବା ଆସନ୍ନ ସଂସ୍କୃତରୁ ହିଁ ଆସି ଥିବାରୁ ସମସ୍ତଙ୍କ ବର୍ଣ୍ଣମାଳାର ଆକୃତି ଦେଶ କାଳାନୁଯାୟୀ କିଛି କିଛି ପରିବର୍ତ୍ତିତ ହୋଇ ଆସିଥିଲେ ମଧ୍ୟ ଧ୍ୱନି ସଂଖ୍ୟା ଏକା ହୋଇଥିବାରୁ ଯେ କୌଣସି ଆର୍ଯ୍ୟଭାଷାକୁ ଯେ କୌଣସି ଲିପିରେ ଲେଖା ଯାଇପାରେ । ମୂଳ ଦେବନାଗରୀ ତ ଅଛି ହିଁ । ଗୋଟିଏ ଭିନ୍ନ ଲିପି ନୂଆକରି ସୃଷ୍ଟି କରିବା ଆବଶ୍ୟକ ନାହିଁ । ଏହା ରାଷ୍ଟ୍ରର ମୂଖ୍ୟ ସ୍ରୋତ ବା ସାମୂହିକତା ଠାରୁ ପୃଥକତା ଭାବ ଓ କ୍ଷୁଦ୍ର ଅହଂତାର ପରିଚାୟକ ହେବ । ଇଚ୍ଛା କଲେ ଗୋଟିଏ ନୂତନ ଲିପି ଗଢ଼ିବା-କୌଣସି ପ୍ରକାର ଶ୍ରମସାଧ୍ୟ ନୁହଁ, ଆଧୁନିକ ଉନ୍ନତ ମୁଦ୍ରଣ ଶୀଳ୍ପର ସବୁ ସୁବିଧା ମଧ୍ୟ ତହିଁରେ ରଖାଯାଇପାରେ ଓ ତାହା ସର୍ବଭାରତୀୟ ଆର୍ଯ୍ୟ ଭାଷା ପାଇଁ ଉପଯୋଗୀ ହୋଇପାରେ, ହେଲେ ସେହି ପୁରୁଣା ମଦକୁ ନୂଆ ବୋତଲରେ ଭରିବା କିମ୍ବା ସରୁ ଚକୁଳିକୁ ଦୋସା କହି ଅଧିକ ରୁଚିସହ ଖାଇବା ପରିହେବ । ଶ୍ରୀମୁର୍ମୁଂକ ଦ୍ୱାରା ସାନ୍ତାଲୀ ଭାଷାର ଲିପି ଉଦ୍ଭାବିତ ହୋଇ ଟାଇପ୍ ନିର୍ମାଣକରି ବର୍ତ୍ତମାନ ସାହିତ୍ୟ ମୁଦ୍ରଣ ହେଉଥିବା ଜଣାଯାଏ । ମୂଳଧ୍ୱନି ଓ ବର୍ଣ୍ଣ ବା ଲିପି ଏକା ହେଲେ ହେଁ ଦେଶ କାଳାନୁଯାୟୀ ଉଚ୍ଚାରଣରେ କିଞ୍ôଚତ ପ୍ରଭେଦରହିବା ତ ସ୍ୱାଭାବିକ । ଅନ୍ୟ ଭାଷାର କଥା କାହିଁକି ସ୍ୱୟଂ ସଂସ୍କୃତରେ ମଧ୍ୟ ପାଣିନୀୟ ଶିକ୍ଷା ଅନୁଯାୟୀ ଉଚ୍ଚାରଣ ହେଉନାହିଁ । ଅ କାରକୁ ଉତ୍ତର ପ୍ରଦେଶରେ ଅର୍ଦ୍ଧ ଆକାର ରୂପେ ଉଚ୍ଚାରଣ କଲେ ବଙ୍ଗ ପହଂଚୁ ପହଂଚୁ ତାହା ଓ କାର ର ସୀମା ଭିତରକୁ ଆସିଯାଏ ଓ ଓଡି଼ଆ ରେ ଶୁଦ୍ଧ ଆ କାର ଭାବେ ହିଁ ଉଚ୍ଚାରଣ କରାଯାଏ । “ଜ୍ଞ” କୁ ସମସ୍ତ ଉତ୍ତର ଭାରତରେ “ଗ୍ୟଁ” ଭାବେ ଉଚ୍ଚାରଣ କଲେ ମହାରାଷ୍ଟ୍ରରେ “ଦ୍ନ୍ୟଁ” ଭାବେ ଓ ବଙ୍ଗଳାରେ “ଗ୍ନଁ” ଭାବେ ଉଚ୍ଚାରଣ କରିଥାନ୍ତି । ଅଥଚ ବର୍ଣ୍ଣ ସେଇୟା ହିଁ ଥାଏ । ଅତଏବ ମୂଳଧ୍ୱନି ର ପ୍ରତୀକ ଦେବନାଗରୀକୁ କୋଶଲୀ ଭାଷା ପାଇଁ ଗ୍ରହଣ କରି ସ୍ୱୀୟ ପ୍ରାଦେଶିକ ଉଚ୍ଚାରଣ କରାଯାଉ କିମ୍ବା ପରିଗ୍ରହ ଯୋଗୁଁ ତଥାକଥିତ େଓøଡ୍ରୀ ଲିପି କୁ ଚାଲୁ ରଖାଯାଉ, ଏଥିରେ କିଛି ନ୍ୟୁନତା ଆସିବ ନାହିଁ । ନୂତନ ଆତ୍ମଚେତନାର ଉତ୍ଥାନ ରେ ପୁରାତନ ପ୍ରତି ବିରାଗ କିମ୍ବା ବିଦ୍ୱେଷ ଆସିବା ସ୍ୱାଭାବିକ । ଆଜି ପର୍ଯ୍ୟନ୍ତ କୋଶଳର ସବୁ ସାହିତ୍ୟ ଓଡି଼ଆ ହେଉ ବା କୋଶଲୀ ହେଉ ଏହି ଲିପିରେ ହିଁ ଲେଖା ହୋଇ ଆସିଛି ଓ ସମସ୍ତ ଗ୍ରନ୍ଥ ସଂଗ୍ରହ ତଥା ସଂସ୍କୃତ ଲିଖନ ମଧ୍ୟ ଏହି ଲିପିରେ ଅଛି । ଐତିହ୍ୟକୁ ଏକା ବେଳକେ ପୋଛି ଦିଆଯାଇ ନ ପାରେ । ଯଦି ତହିଁରେ କିଛି ଦୋଷ ତୃଟି ନ ଥାଏ ତ ଅନ୍ୟ ପ୍ରଶ୍ନ ନାହିଁ । ବହୁ ଦଶାବ୍ଦୀ ଧରି ‘ଇଂଗ୍ଳିଶ ହଟାଓ’ ଧ୍ୱନି ଛାଡୁଥିଲେ ମଧ୍ୟ ଆଜି ସ୍ୱାତନ୍ତ୍ର୍ୟ ପ୍ରାପ୍ତିର ୪୪ ବର୍ଷ ପରେ ବି ବରଂ ଇଂଗ୍ରେଜୀ ଶିକ୍ଷାର ଅଧିକ ପ୍ରଚାର ପ୍ରସାର କରାଯାଇଛି । ତେବେ ସର୍ବ ସାଧାରଣଙ୍କ ସାମାନ୍ୟ ମନୋଭାବ ଯୋଗୁଁ ହେଉ କି ମୁଖିଆ ଓ ବିଦ୍ୱାନମାନଙ୍କ ସୁଚିନ୍ତିତ ନିର୍ଣ୍ଣୟ ଯୋଗୁଁ ହେଉ, ଯେକୌଣସି ଲିପି ଅଶୋଭନୀୟ ବା ଅନୁପଯୁକ୍ତ ହେବନାହିଁ । ଲିପିର ଦ୍ୱାହି ଦେଇ ଆମକୁ ଡରାଉଥିବା ବ୍ୟକ୍ତିମାନଙ୍କୁ ଉତ୍ତର ଦେଇ ଡକ୍ଟର ଦୋଳଗୋବିନ୍ଦ ବିଶୀ କିଛି ଦିନ ତଲେ ସାପ୍ତାହିକୀ ରୁଦ୍ର ଆହ୍ୱାନରେ ଉପାଦେୟ ଲେଖାଟିଏ ପ୍ରକାଶ କରିଥିଲେ ତାହା ଏ ପରିପେକ୍ଷୀରେ ପଠନୀୟ । ବେଶ ମାର୍ମିକ ଲେଖାଟିଏା
ବର୍ତ୍ତମାନ ପ୍ରାପ୍ତ ବିଭିନ୍ନ ଶିଳାଲେଖ, ମନ୍ଦିର ଗାତ୍ରର ଅଭିଲେଖ ଓ ତାମ୍ରପତ୍ର ଲେଖମାନଙ୍କରୁ ଜଣାଯାଏ ଯେ ସାଂପ୍ରତିକ ଓଡି଼ଆ ଲିପିର ବିକାଶ ସମଗ୍ର କୋଶଲୋତ୍କଳ-କଳିଙ୍ଗରେ ଏକ କାଳୀନ ହୋଇଥିଲା ଓ ଦେବନାଗରୀର ପରିବର୍ତ୍ତିତ ରୂପ ମାତ୍ର ହୋଇଥିବାରୁ ଏହା ପଶ୍ଚିମ ଦିଗରୁ କୋଶଳ ଖଣ୍ଡ ଦେଇ ହିଁ ଯାଇଥିବାର ପରିକଳ୍ପନା ଅମୂଳକ ନୁହେଁ ।
ଗ୍ରିଅରସନଙ୍କ “The Maithili and Bengali alphabets are derived from Bhuler’s proto Bengali. The Oriya alphabets on the contrary derived from Nagari and probably reached Orissa directly from the West (Indian Antiquary Supplement-1932)” ଏ ମତର ଗୁରୁତ୍ୱ କୌଣସି ମତେ ନ୍ୟୁନ କରାଯାଇ ନ ପାରେ । ସ୍ୱର୍ଗୀୟ ପଣ୍ଡିତ ଗୋପୀନାଥ ନନ୍ଦ ମଧ୍ୟ ତାଙ୍କ ‘ଓଡି଼ଆ ଭାଷା ତତ୍ତ୍ୱ’ ଗ୍ରନ୍ଥରେ ଏହି ମତର ହିଁ ସମର୍ଥନ କରିଛନ୍ତି । ଓଡି଼ଶାର ପ୍ରତ୍ନଲିପିବିଦ୍ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ଏ ପ୍ରକାର ସହମତ ସହ ଲେଖିଛନ୍ତି । ତେବେ ମୋଟା ମୋଟି ଭାବରେ କହିବାକୁ ଗଲେ ଖ୍ରୀଷ୍ଟୀୟ ଦଶମ ଏବଂ ଏକାଦଶ ଶତାବ୍ଦୀରେ ଏ ଦେଶରେ ଯେଉଁ ଉତ୍ତର ଭାରତୀୟ ଲିପି ଅନୁରୂପ ଅକ୍ଷର ପ୍ରଚଳନ ଥିଲା, ତହିଁରୁ ଆଧୁନିକ ଓଡି଼ଆ ବର୍ଣ୍ଣମାଳାର ଅଧିକାଂଶ ସୃଷ୍ଟି ହୋଇଛି ବୋଲି ଗ୍ରହଣ କରାଯାଇଛି । (ଓଡି଼ଆ ଲିପିର କ୍ରମବିକାଶ, ଓଡି଼ଆ ସାହିତ୍ୟ ଏକାଡ଼େମୀ, ୧୯୬୦ ପୃ.୨୨)
ନିମ୍ନ ଉଦ୍ଧୃତି ମଧ୍ୟ ପ୍ରକାରାନ୍ତରେ ବା ବ୍ୟାପକ ଦୃଷ୍ଟିକୋଣରୁ ଏହି ତଥ୍ୟକୁ ହିଁ ସମର୍ଥନ କରୁଛି । ଯଥା: “It may be suggested that civilization progressed through the course of this river (Mahanadi) to the Coastal regions of Orissa from the far away hinter land of Madhya Bharat” (The Cult of Jagannath, K. C. Mishra, M. A. D. Phil. (cal) Revenshaw College Cuttack, Page 23) ପୂର୍ବେ ଉତ୍ତର ଭାରତରେ ସମସ୍ତ ଲେଖା ଭୂର୍ଜ ପତ୍ରରେ ମସୀ ଲେଖନୀ ଦ୍ୱାରା ଲେଖା ହେଉଥିଲା । ଏହା ହିମାଳୟରୁ ପ୍ରାପ୍ତ ହେଉଥିଲା । ଦୂର ମଧ୍ୟ ବା ଉପକୂଳ ପ୍ରଦେଶ ମାନଙ୍କରେ ତାହା ଅପ୍ରାପ୍ୟ ହେବାରୁ ସୁଲଭ ତାଳ ପତ୍ରରେ ଲୌହ ଲେଖନୀ ଦ୍ୱାରା ଅକ୍ଷର ଖୋଲା ହୋଇ କାର୍ଯ୍ୟ ସଂପାଦନ କରା ହେଲା । ଅନୁପ୍ରସ୍ଥ ବା ବାମ ଦକ୍ଷିଣ ଗାର ଦ୍ୱାରା ପତ୍ର ଚିରି ଯାଉଥିବାରୁ ଶୀର୍ଷସ୍ଥ ରେଖା ଓ ମାତ୍ରା ଆଦିକୁ ବକ୍ର ବା ବୃତ୍ତାକୃତି କରିବାକୁ ହେଲା । ପ୍ରତ୍ୟେକ ଅକ୍ଷର ର ଲେଖା କେଉଁଠାରୁ ଆରମ୍ଭ କରାଯାଏ, କେତେ ଲେଖି ଲେଖନୀ ଉଠାଇ ଆଉ କେଉଁ ଠାରୁ ଆରମ୍ଭ କରାଯାଏ ଓ ଏପରି କେତେଥର ରେ ବର୍ଣ୍ଣ ପୁରା କରାଯାଏ, ତାହା ବିଚାର୍ଯ୍ୟ । ଏକ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ଲେଖନୀ ନେବା ପାଇଁ ବାରମ୍ବାର ନ ଉଠାଇ ଲେଖନୀକୁ ଘୋଷାରି ନେଲେ ଦୁଇବିନ୍ଦୁ ମଧ୍ୟରେ ଗାର ପଡି଼ଯାଏ ଓ କ୍ରମେ ଏହି ଗାର ବର୍ଣ୍ଣର ଅଙ୍ଗ ହୋଇଯାଏ । ତାଳପତ୍ରରେ ବର୍ଣ୍ଣର ଖୋଦନ ପାଇଁ ଯଥେଷ୍ଟ ଚାପ ଦରକାର ହେଉଥିବାରୁ ଏପରି ହେବା ସ୍ୱାଭାବିକ । ଭୂର୍ଜ ପତ୍ରରେ ଲେଖାଯାଇଥିବା ଦେବ ନାଗରୀ ବର୍ଣ୍ଣ ଯେଉଁଠାରୁ ଆରମ୍ଭ କରାଯାଏ, ତାଳପତ୍ର ଲେଖନ ରେ ଲେଖନୀ ନ ଅଟକିବା ପାଇଁ ଅନ୍ୟ ସ୍ଥାନରୁ ଆରମ୍ଭ କରାଯାଏ । ଏପରି ଲେଖନୀ ବୁଲା ରେ ବର୍ଣ୍ଣର ଆକୃତି ପରିବର୍ତ୍ତିତ ହୋଇଯାଏ । ଏଣୁ ଓଡି଼ଆ ଲିପି ଦେବନାଗରୀରୁ ପ୍ରାରମ୍ଭ ହୋଇ ବିକାଶ କାଳରେ ହୁଏତ ଅନେକ ପ୍ରଭାବରେ ପ୍ରଭାବିତ ହୋଇ ଥାଇପାରେ, କିନ୍ତୁ ଅବଚେତନ ସ୍ଥିତ ଗଭୀର ସଂସ୍କାରର ଅଜ୍ଞାତସାର ପ୍ରରଣାରେ ଶେଷରେ ନିଜତ୍ତ୍ୱକୁ ଫେରି ଆସିଛି । ସକାଳେ ବାଟ ହୁଡି଼ଲା ଲୋକ ସନ୍ଧ୍ୟାକୁ ଘରକୁ ଫେରି ଆସିଲେ ତାକୁ ବାଟହୁଡ଼ା କୁହାଯାଏ ନାହିଁ । ଏ ଲେଖକ ଦ୍ୱାରା ପ୍ରଦର୍ଶିତ ଏକ ‘ବିବରଣ ପଟ୍ଟ’ରେ ଦେବନାଗରୀର ଲେଖନ ସାମଗ୍ରୀ ଓ ଲେଖନ କ୍ରମ ପରିବର୍ତ୍ତନ ଯୋଗୁଁ କିପରି ରୂପ ପରିବର୍ତ୍ତନ କରିଛି, ତାର ଗୋଟିଏ ସଂକ୍ଷିପ୍ତ କ୍ରମ ଦର୍ଶାଇ ଦିଆଯାଇଛି । ଡ: ଖଗେଶ୍ୱର ମହାପାତ୍ର ତାଙ୍କ ଓଡି଼ଆ ଲିପି ଓ ଭାଷା, ପୁସ୍ତକରେ ଲିପିର ବିପାଟନ ବିବିଧ ପାଟନ (vivisection) କରିଛନ୍ତି, ତାହା ତାଙ୍କ ବଦ୍ୱତ୍ତା ଓ ପରିଶ୍ରମର ନିଦର୍ଶନ ଓ ପ୍ରଶଂସ୍ୟ ଅଟେ । ଏ ଦୂର୍ବଳ ବ୍ୟକ୍ତି ଏହି କାର୍ତ୍ତିକେୟ ପରିକ୍ରମା କରି ନ ପାରି ଗଣେଶ ପରିକ୍ରମା ରୁ ଯାହା ପାଇଛି ତାହାକୁ ପଟ୍ଟ ବା ଚାର୍ଟରେ ଲେଖାଇ ରଖିଛି ।
ଉପରିସ୍ଥ ସମସ୍ତ ଉପସ୍ଥାପନାକୁ ଦୃଷ୍ଟିରେ ରଖି ବିଚାର କଲେ, କୁଟିଳ ବ୍ରାହ୍ମୀ ରୁ ଉଦ୍ଭୁତ ଦେବନାଗରୀର ବିବର୍ତ୍ତିତ ରୂପ ବର୍ତ୍ତୁଳ ଶୀର୍ଷକ ଓଡି଼ଆ ଲିପିର ଉଦ୍ଭବ ଓ ବିକାଶରେ ଏହି କୋଶଲ ପ୍ରଦେଶର ମଧ୍ୟ ସମ ଅଂଶ ଓ ଅଧିକାର ଅଛି ଓ ଏହାକୁ ଉପକୂଳ ପ୍ରଦେଶର ଅବଦାନ କହିବା ଉଚିତ୍ ନୁହେଁ । ଏହା କୋଶଳର ମଧ୍ୟ ନିଜସ୍ୱ । ଏହି ଦୃଷ୍ଟିରୁ ଏହାକୁ ବରଂ କୋଶଲୋଡ୍ରୀ କହିବା ଅଧିକ ଯୁକ୍ତି ସଂଗତ ହେବ । ଡ. ବିଶୀ ମଧ୍ୟ ତାଙ୍କ ଲେଖାରେ ଏ ମତ ହିଁ ଦେଇଛନ୍ତି । ଆକୃତି ପରକ ବା ବିବର୍ତ୍ତିତ ରୂପ ଭାବେ ଏହାକୁ ‘ବର୍ତ୍ତୁଳ ଦେବନାଗରୀ’ କହିବା ମଧ୍ୟ ପୂର୍ଣ୍ଣ ଯୁକ୍ତି ସଂଗତ ହେବ ।