Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(5): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

Spread the love

ତ୍ରିମୁଖୀ ଆକ୍ରମଣ
ଏଯାବତ୍ କୋଶଲର ଉଚ୍ଚସ୍ତରର ଲୋକେ ନିଜର କଥନ ବ୍ୟତିରେକେ ପ୍ରାୟଃ ସର୍ବବିଧ କାମ ଚଲାଇବା ପାଇଁ ଅଳ୍ପ ବିସ୍ତର ଓଡ଼ିଆ ଲେଖା ପଢ଼ା ଶିଖୁଥିଲେ । ଅଧିକ ପଢିପାରିଲା ଲୋକେ ଛାନ୍ଦ, ଚଉପଦୀ ବି ବୋଲୁଥିଲେ ଓ ପ୍ରତିଭା ଥିଲା ଲୋକେ ନିଜ ସାମର୍ଥ୍ୟ ଅନୁଯାୟୀ ଛାନ୍ଦ, ଗୀତ, ଜଣାଣ, ଭଜନ ଆଦି ବି ରଚନା କରୁଥିଲେ । ସାଧାରଣ ଗ୍ରାମୀଣ ମାନେ ମଧ୍ୟ ଅଧିକାଂଶ ଖରା ଦିନେ ଗୁରୁ ବା ଗୀତ କୋଡ଼ିଆ ଠାରୁ ଓଡ଼ିଆ ଅକ୍ଷର ଶିକ୍ଷା କରୁଥିଲେ, ମୁଖ୍ୟତଃ ଗୀତ ପୁରାଣ ଆଦି ପଢ଼ିବା ସଉକରେ । ଏପରି ହେଲେ ହେଁ, ଏ ଉଭୟ ଭାଷା କୋଶଲୀ ଓ ଓଡ଼ିଆ ଟାଙ୍ଗୀ ଓ ଟାଙ୍ଗିଆ (କୁଢ଼ାରି) ପରି ଏକତ୍ର ଥାଇ ମଧ୍ୟ ଭିନ୍ନ କାମରେ ଲାଗୁଥିଲେ । ଶିକ୍ଷା, ଦୀକ୍ଷା ଆଦି ଯାବତୀୟ ଲେଖା ପଢ଼ା କାମ ଓଡ଼ିଆରେ ଚାଲୁଥିଲେ ମଧ୍ୟ ଘରେ ବାହାରେ ସର୍ବବିଧ ସାଧାରଣ ବ୍ୟବହାରରେ ରାଜା ଠାରୁ ସମାଜର ନିମ୍ନତମ ବ୍ୟକ୍ତିଯାଏଁ ସ୍ୱ ମାତୃଭାଷା କୋଶଲୀ ର ହିଁ ବ୍ୟବହାର କରୁଥିଲେ । ଜଣେ ପୁରାଣ କି ଗୀତ ପଢ଼ି ଗାଇ ଜାଣୁଥିବା କିମ୍ବା ଓଡ଼ିଆରେ ଭଜନ, ଜଣାଣ ଆଦି ଲେଖି ପାରୁଥିବା ଲୋକ ମଧ୍ୟ ଜାତୀୟ ସମାରୋହ ବା ପର୍ବ ଆଦିରେ କୋଶଲୀ ଭାଷାରେ ହିଁ ଗୀତ ବୋଲୁଥିଲା, ହେଲେ ହେଁ ଓଡ଼ିଆ ସାଂସ୍କୃତିକ ମାଧ୍ୟମ ହୋଇ ଥିବାରୁ ତାର ଯତ୍ ସାମାନ୍ୟ ପ୍ରଭାବ ସାଧାରଣ ଭାବେ ବା ଛନ୍ଦାନୁରୋଧରେ ପଡ଼ି ଯାଉଥିଲା ଯଥା- ବୋରିଆ ଗୀତରେ :
(୧) ଗିନା ଥି ରଖିଲି ଘିଅ
ଆମର୍ ଘରେ ଅଛେ ଦୁର୍ପତି ଝିଅ
ବାଛି ନିଛି କରି ନିଅ
(୨) ଖ ଗଛ ବାଙ୍ଗରୀ
ଖ ଗଛୁଁ ହିଟି ପର୍ଲା
ସୁନା ମନି ଧାଙ୍ଗରୀ… ଆଦିରେ
ବଡ଼ ଅକ୍ଷରାଙ୍କିତ ଶବ୍ଦ ମାନ ଓଡ୍ରାୟିତ ହୋଇ ଯାଇଛନ୍ତି ଏବଂ ଗୋଟିଏ ହ୍ରସ୍ୱ ଓ ଗୋଟିଏ ଦୀର୍ଘ ଦୁଇଟି ସମାନ୍ତର ଲେଖା ତୁଲ୍ୟ ଯାହା ନିଜ ସ୍ଥାନରେ ଯଥାବତ୍ ରହୁଥିଲେ ଏବେ ପ୍ରାଥମିକ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଓଡ଼ିଆରେ ଚଲୁଥିଲେ ମଧ୍ୟ ଏ ଅବସ୍ଥା ପ୍ରାୟଃ ସ୍ୱ ଭାଷାରେ ଯଥା ପୂର୍ବ ରହିଅଛି ।
ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାମାନଙ୍କ ଉଦ୍ଭବ କାଳ ନବମ ଦଶମ ଶତାବ୍ଦୀ ଓ ସାହିତ୍ୟିକ ବିକାଶ କାଳ ତ୍ରୟୋଦଶ କି ଚତୁର୍ଦ୍ଦଶ ଶତାବ୍ଦୀ ଠାରୁ ସାଧାରଣତଃ ଧରାଯାଏ । ଏହି ସାହିତ୍ୟିକ ବିକାଶ କାଳରୁ କୋଶଳ ବାସୀଙ୍କର ଓଡ଼ିଆ ଭାଷାକୁ ସାହିତ୍ୟିକ ଓ ସାଂସ୍କୃତିକ ମାଧ୍ୟମ ରୂପେ ଗ୍ରହଣ କରିନେବାର ସମୟ ବୋଲି ଧରି ନିଆଗଲେ ମଧ୍ୟ, ଏହି ଗତ ଛଅ ଶତାବ୍ଦୀ ଧରି କୋଶଲୀ ଓ ଓଡ଼ିଆ ଭାଷା ଏକତ୍ର ପରସ୍ପରକୁ ପ୍ରଭାବିତ ନକରି ରହିଆସିଛନ୍ତି କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ଏପରି ହେଲେ ହେଁ, ସ୍ୱେତର ଭାଷାକୁ ସମାଜରେ ଉଚ୍ଚତର ସ୍ଥାନ ଦେବା ଦ୍ୱାରା ନିଜ ଭାଷା ପ୍ରତି ସ୍ୱାଭାବିକ ଭାବେ ଯେଉଁ ତୁଚ୍ଛ ଭାବନା ରୂତ ହେଲା ତାହା ସମୂହ ଭାବେ କୋଶଳ ବାସୀଙ୍କୁ ଗୋଟିଏ ହୀନମନ୍ୟ ଭାବନାରେ ପକାଇ ଦେଲା, ଯାହା ଭାଷା କ୍ଷେତ୍ରରୁ ସଂକ୍ରମିତ ହୋଇ ଜୀବନର ସବୁ ବିଭବକୁ କବଳିତ କରିଦେଲା । ଫଳତଃ, କୋଶଲ ବାସୀ ନିଜକୁ ସବୁ ଦିଗରେ ସବୁ ବିଭବକୁ କବଳିତ କରିଦେଲା । ଫଳତଃ, କୋଶଲ ବାସୀ ନିଜକୁ ସବୁ ଦିଗରେ ସବୁ କାର୍ଯ୍ୟରେ ଉପକୂଳ ବାସୀଙ୍କ ଠାରୁ କେବଳ ନୁହେଁ ଅନ୍ୟ ପ୍ରଦେଶ ବାସୀଙ୍କ ଠାରୁ ବି ନ୍ୟୁନ ମନେକଲେ । ଗୌରବ ହାନି ବା ନିଜକୁ ନ୍ୟୁନ ପ୍ରତିପନ୍ନ କରିବା ଭୟ ବା ଲଜ୍ଜା ବଶତଃ ଏହା କେହି ସ୍ୱୀକାର ନକଲେ ମଧ୍ୟ ଉଚ୍ଚତର ଶିକ୍ଷିତ ବ୍ୟକ୍ତି ସୁଦ୍ଧା ଏପର୍ଯ୍ୟନ୍ତ ଏଥିରୁ ଉଧୁରି ପାରି ନାହାନ୍ତି ।
ବର୍ତ୍ତମାନ ଭାରତରେ ସର୍ବତ୍ର ଭାଷା ସଚେତନା ର ଉଦ୍ରେକ ଦେଖା ଦେଇଛି ଓ କ୍ଷୁଦ୍ରକ୍ଷୁଦ୍ର ଗୋଷ୍ଠୀମାନେ ମଧ୍ୟ ନିଜ ନିଜ ମାତୃଭାଷାର ସଂପୂର୍ଣ୍ଣ ସମ୍ମାନ ଦାବୀ କରୁଛନ୍ତି । ବହୁ ପୂର୍ବରୁ ସ୍ୱର୍ଗତ ଶ୍ରୀ ସୁନୀତି କୁମାର ଚାଟ୍ଟାର୍ଜି ଏହାର ସୂଚନା ଦେଇଛନ୍ତି- With the new renaissance of our time, this situation is changing and there are signs that the people of these linguistic regions too are beginning to assert themselves in their own mother tongue. (Cultural Heritage of India ୧୯୫୮ , ପୃଷ୍ଠା, ୫୨. Ramkrishan Mission, Institute of Cultural Publication) କୋଶଲରେ ମଧ୍ୟ ଚେତନା ଜାଗ୍ରତ ହୋଇଛି ଓ ଅନେକ ବିଦ୍ୱାନ ଏହାର ମୌଳିକତା ଓ ସ୍ୱତନ୍ତ୍ରତା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ବି ପ୍ରତିପାଦନ କରୁଛନ୍ତି । ଡକ୍ଟର ବିଶୀଙ୍କର ‘କୋଶଲୀ ଭାଷା ସୁନ୍ଦ୍ରୀ’ ନାମକ ଏ ଭାଷାର ବ୍ୟାକରଣ ପୁସ୍ତକ କିଛି ବର୍ଷ ଆଗରୁ ପ୍ରକାଶ ପାଇ ସାରିଛି । ଏଥିରୁ ଉପକୂଳ ଅଂଚଳରେ ଉଦ୍ବେଗ ଓ ଅସୂୟା ଦେଖାଦେଇଛି । ତାହା ନିମ୍ନ ଉଦ୍ଧୃତିରୂ ସ୍ପଷ୍ଟ
“ଏ ଉଦ୍ୟମ ପରିବର୍ତ୍ତେ ଯଦି ଉଦ୍ୟମ କରାହୁଏ, ସମ୍ବଲପୁରୀ ଭାଷା ଏକ ସ୍ୱତନ୍ତ୍ର ଭାଷା ରୂପେ ଗୃହୀତ ହେଉ, ତେବେ ଏହା ଅବାସ୍ତବ ଏବଂ ବିଚ୍ଛନ୍ନତା ଭାବ ବ୍ୟଂଜକ ଏଥିରେ ସନ୍ଦେହ ନାହିଁ ।” (ଝଙ୍କାର, ସଂପାଦକୀୟ, July ୧୯୮୨)
“ସମ୍ବଲପୁରୀ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା କରିବାର ଉଦ୍ୟମକୁ ଆମେ ମାନେ କୌଣସି ପ୍ରକାରେ ସାହାଯ୍ୟ କରିବାରେ ଅସମର୍ଥ (ଝଙ୍କାର, ସଂପାଦକୀୟ Julyଚ ୧୯୮୩)”
ସମାଜର ଜ୍ୟେଷ୍ଠ ଶ୍ରେଷ୍ଠ ବ୍ୟକ୍ତି ଯାହା କହନ୍ତି ତାହା ସେହି ଗୋଷ୍ଠୀ ବା ସମାଜର ଆନ୍ତରିକ ଭାବର ପ୍ରତିଫଳନ ମାତ୍ର ହେବାରୁ ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟ ଜନକ ବୋଲିବାକୁ ହେବ, ଏଥିରେ ସୌହାର୍ଦ୍ଦ ବା ସୌଜନ୍ୟର ମାତ୍ରା ସହଜେ ଅନୁମେୟ ।
ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ସଂବିଧାନର ପରିସର ଭିତରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ଅନ୍ୟର ସ୍ୱତ୍ତ୍ୱ ବା ସମ୍ମାନରେ ବାଧା ନଦେଇ ସ୍ୱୀୟତାରେ ଊଦ୍ବୁଦ୍ଧ ହୋଇ ନିଜର ନାଗରୀକ ଅଧିକାରର ଦାବୀ କିମ୍ବା ଉପଭୋଗ କାହାରି ଆକ୍ଷେପ ଆଲୋଚନା ବା ଗର୍ହଣାର ବିଷୟ ହୋଇ ନ ପାରେ । ଶତାବ୍ଦୀ ଶତାବ୍ଦୀ ଧରି ଭ୍ରାନ୍ତ ହେଲେ ହେଁ ଗୋଟିଏ ରୁଢ଼ ଭାବନାରେ ଅଭିନିବିଷ୍ଟ ସ୍ୱ ବା ସ୍ୱଭିନ୍ନ ଗୋଷ୍ଠୀର ବାସ୍ତବତାର ଉଦ୍ଘାଟନରେ ଚକିତ ଶଙ୍କିତ ବିକ୍ଲବିତ ବା ବିଚଳିତ ହେବା ସାଧାରଣ କଥା ହେଲେ ହେଁ, ଧିରସ୍ଥିର ଭାବେ ପରୀକ୍ଷା ନିରୀକ୍ଷା ଦ୍ୱାରା ତଥ୍ୟର ଉପଲବ୍ଧି ବା ପରିହାର ନ କରି ବିହ୍ୱଳିତ, ଉଚ୍ଚାଟିତ ବା ଉତ୍କ୍ଷିପ୍ତ ହେବା ସୁସ୍ଥତା ନୁହେଁ ।
ଶତାବ୍ଦୀ ଶତାବ୍ଦୀର ସୁସୁପ୍ତି ରେ ବା ଆତ୍ମବିଭୋର ରହିବା ପରେ କୋଶଲ ଆଜି ଭାଷା ବିଷୟରେ ସଚେତ ହୋଇଛି ନିଶ୍ଚୟ । ଏ ଚେତନାକୁ ଗଜାମରୁଡିଆ ନୀତିରେ ଆଗରୁ ହିଁ ଚାପି ଦେବାପାଇଁ ତ୍ରିମୁଖୀ ଆକ୍ରମଣ ହେଉଛି । ସରକାର ତରଫରୁ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟକଳାପରେ ମାନକୀ ଓଡ଼ିଆ ଭାଷା ପ୍ରଚଳନର ଯେଉଁ ପ୍ରୟାସ ହେଉଛି ତାହା ସଂବିଧାନ ସମ୍ମତ ହୋଇଥିବାରୁ ଟୀକା ଟିପ୍ପଣୀର ବାହାରେ ଓ ତାର ଘୋଷଣା ଅନାବଶ୍ୟକ । ତଥାପି କୋଶଳ ପ୍ରାନ୍ତରେ ହିଁ ତାର ଶହୀଦବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁନଃ ଉଦ୍ଘୋଷ- ଏହି ଆଭିମୁଖ୍ୟର ଦିଗ୍ଦର୍ଶନ କରୁ ନାହିଁ କି ? ଦ୍ୱିତୀୟତଃ ସାହିତ୍ୟକ ବର୍ଗ ଏ ଭାଷାକୁ ଅଦ୍ୟାବଧି ଅବହେଳିତ କରି ରଖିଅଛନ୍ତି । ଏ ଜଘନ୍ୟ ବା ଆତ୍ମଘାତୀ ଅପରାଧରେ ସ୍ୱୟଂ କୋଶଲବାସୀ ହିଁ ଅଭିଯୁକ୍ତ । ସେ ଗ୍ରାମ୍ୟ ଅଭିନେତା ପରି ନିଜ ଛିଣ୍ଡା କତରାକୁ ପୋଟଲି ବାନ୍ଧି, ଗୋଟିଏ କୋଣରେ ରଖି, ରାଜାର ଜରି ପୋଷାକ ପିନ୍ଧି ଗ୍ରାମ୍ୟ ରଙ୍ଗାଙ୍ଗଣରେ କୁହାଟ ଛାଡ଼ିଲା ତୁଲ୍ୟ ନିଜ ମାତୃଭାଷାକୁ ଉପେକ୍ଷାକରି ପରିଗୃହୀତ ଭାଷାରେ ସର୍ବବିଧ ସାହିତ୍ୟ ସାଧନା କରି ଆସୁଅଛି । ବାଗେବ ବ୍ରହ୍ମା ପୃଥିବୀରେ ଯେ କୌଣସି ଭାଷାର ଶିକ୍ଷା ଓ ସାଧନା କିଞ୍ôଚଦପି ଦୋଷାବହ ନ ହେଲେ ହେଁ, ସ୍ୱକୀୟା ଜନ୍ମଦାତ୍ରୀକୁ ଘରର ଅସନା କୋଣରେ କତରା ଘୋଡ଼ାଇ ପକାଇରଖି ବାହାରେ ମାତୃମଙ୍ଗଳ କେନ୍ଦ୍ର ଖୋଲି ଯଶସ୍ୱୀ ହେବାରେ କି ସ୍ୱାରସ୍ୟ ଅଛି ତାହା ଚିନ୍ତନୀୟ । ତୃତୀୟ ଆଭିମୁଖ୍ୟ ହେଉଛି ଶିକ୍ଷା କ୍ଷେତ୍ର । ସମସ୍ତ ଶିକ୍ଷାବିତ୍ ଓ ମନସ୍ତାତ୍ତ୍ୱିକଙ୍କ ମତରେ “ଅନ୍ତତଃ ପ୍ରାଥମିକ ଶିକ୍ଷା ଶିଶୁର ନିଜ ଭାଷାରେ ହେବା ଉଚିତ” ଥିବା ସତ୍ତେ୍ୱ ଓଡିଆ ଭାଷାରେ ହିଁ ପ୍ରଚଳିତ ହେଉଛି । ଏଥିରେ ଶିଶୁର ମସ୍ତିଷ୍କ ଉପରେ ଯେ ଅନାବଶ୍ୟକ ଚାପ ପଡୁଛି, ତାହା ଅନସ୍ୱୀକାର୍ଯ୍ୟ । ତଦୁପରି ନିଜ ଭାଷା ମାତୃଭଷା ପ୍ରତି ଅନୁରକ୍ତି କି ଆଦର ଭାବ ଆଦୌ ରହୁନାହିଁ । ଯେଉଁମାନେ ଓଡିଆ ଭାଷାରେ ଲେଖକ ଅଥବା କବି ଭାବରେ କିଛି ନାମ କରି ନେଲେଣି, ସେମାନେ ନିଜ ନାମ, ଯଶ କି ସମ୍ମାନ ହାନୀର ଆଶଙ୍କାରେ ନିଜ ଭାଷାରେ ପ୍ରତିଭା ପ୍ରକାଶରେ ପରାଙ୍ମୁଖ । ସରକାର ଅତି କ୍ଷୁଦ୍ର ଗୋଷ୍ଠୀମାନଙ୍କ ପାଇଁ ମଧ୍ୟ ସେମାନଙ୍କ ଭାଷାର ଉନ୍ନତି ପାଇଁ ଲିପି ଉଦ୍ଭାବନ, ବ୍ୟାକରଣ ପ୍ରଣୟନ ଓ ସେହି ଭାଷାରେ ଶିକ୍ଷାଦାନରେ ତତ୍ପର ଥିବା ସ୍ଥଳେ, ରାଜ୍ୟର ଅନ୍ତତଃ ଚାଳିଶ ପ୍ରତିଶତ କ୍ଷେତ୍ର ଓ କୋଟିଏ ସରିକି ଲୋକଙ୍କ ଭାଷା ପ୍ରତି ଏ ଅବହେଳା ‘ବହୁତ୍ତ୍ୱରେ ଏକତ୍ତ୍ୱ ଓ ସହାବସ୍ଥାନ’ ନୀତିରେ ବିଶ୍ୱାସ କରୁଥିବା କୌଣସି ରାଷ୍ଟ୍ର ବା ରାଜ୍ୟ ପାଇଁ ଶୋଭନୀୟ କି ? ରାଷ୍ଟ୍ରର ତ୍ରିଭାଷା ଶିକ୍ଷା ନୀତିରେ ବି ଏହାର ସ୍ଥାନ ନାହିଁ । ଏପରି ପ୍ରଶାସନିକ ସାମାଜିକ ଓ ମନୋବୈଜ୍ଞାନିକ ଆଦି ନାନା କାରଣରୁ ଏ ଭାଷାର ଅବକ୍ଷୟ ହେଉଛି । ଫଳରେ, ପ୍ରତ୍ୟକ୍ଷ ତିରିଶ କି ଚାଳିଶ ବର୍ଷ ପୂର୍ବେ ଗାଁ ଗହଳରେ ଶୁଣା ଯାଉଥିବା ଅନେକ ଶବ୍ଦ- ଶୁଦ୍ଧ ସଂସ୍କୃତ କି ପ୍ରାକୃତରୁ ବ୍ୟୁତପନ୍ନ ହୋଇଥିଲେ ହେଁ ଅଜ୍ଞାନ ଓ ଅନାଦର ଭାବ ଯୋଗୁଁ ଆଉ ଶୁଣା ଯାଉନାହିଁ ।
ଏ ସବୁ ଯାହା ବି ହେଉ, କୋଶଳର ଚେତନା ଜାଗିଛି ଓ ଦିନେ କୋଶଲୀ ଭାଷା ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଗୋଷ୍ଠୀରେ ତାର ନ୍ୟାଯ୍ୟ ସ୍ଥାନ ଓ ସମ୍ମାନ ପ୍ରାପ୍ତ କରିବ, ଏଥିରେ ଏ ବୁଢ଼ା ଲେଖନୀ ସଂପୂର୍ଣ୍ଣ ଆଶା ଓ ଆସ୍ଥା ରଖୁଛି ।
ଓଡ଼ିଆ ଭାଷା ଉପରେ ମଧ୍ୟ ‘ଏକଟି ସ୍ୱତନ୍ତ୍ର ଭାଷାନୟ’ ରୂପେ ଆକ୍ରମଣ ହୋଇଥିଲା । ବାସ୍ତବତା ବଳରେ ସେ ନିଜକୁ ପରିପନ୍ଥୀ ଠାରୁ ଉଦ୍ଧାର କରି ପାରିଛି । କୋଶଲୀ ଭାଷା ମଧ୍ୟ ଦିନେ ସ୍ୱୀୟ ବାସ୍ତବତା ବଳରେ ଏ ଉପଭାଷା ଆଖ୍ୟା, ଅନାଦର ଓ ଅବଧାରଣାରୁ ନିଜକୁ ମୁକୁଳାଇ ସହାବସ୍ଥାୟୀ ଠାରୁ ହକ୍ ହାସଲ କରିବ ।

Previous ArticleNext Article