Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(3): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

Spread the love


ନାମ ନିର୍ବାଚନ

କୌଣସି ଭାଷାର ନାମ ନିର୍ବାଚନ ସମୟରେ ଦୁଇଟି ତଥ୍ୟ ପ୍ରତି ଦୃଷ୍ଟି ଦିଆଯାଇ ଥାଏ । ଯଦି ସେ ଭାଷାଭାଷୀ ନିତାନ୍ତ ଅଳ୍ପସଂଖ୍ୟକ ହୋଇ ଇତସ୍ତତଃ ବିକୀର୍ଣ୍ଣ ହୋଇଥାନ୍ତି ଓ ସେମାନଙ୍କର ନିଜର ବୋଲି କୌଣସି ଦେଶ ନଥାଏ, ତା ହେଲେ ସେମାନଙ୍କ ଭାଷା ତଚ୍ଛ୍ ତତ୍ ଗୋଷ୍ଠୀ ନାମରେ ହିଁ ପରିଚିତ ହୁଅନ୍ତି: କନ୍ଧ, କୋୟା, ପରଜା, ମୁଣ୍ଡା, ଆଦିଙ୍କ ଭାଷା । କିନ୍ତୁ ଯେଉଁ ଭାଷା କହିବାକୁ ଅନେକ ଗୋଷ୍ଟୀ ବା ଜାତି ଥାଆନ୍ତି ଓ ମୁଖ୍ୟତଃ ଗୋଟିଏ ଅଂଚଳ, ଖଣ୍ଡ ବା ଦେଶ ସୀମା ଭିତରେ ଆବଦ୍ଧ ଥାନ୍ତି ତଥା ସେ କ୍ଷେତ୍ରରେ ଅନ୍ୟାନ୍ୟ ଭାଷାଭାଷୀ ଅନେକ କ୍ଷୁଦ୍ର ଗୋଷ୍ଠୀ ଥିଲେ ହେଁ ସେମାନଙ୍କ ସମସ୍ତ ବ୍ୟବହାର ସେହି ମୁଖ୍ୟ ଭାଷାରେ କରନ୍ତି, ସେଠାରେ ଦେଶ ନାମରେ ହିଁ ଭାଷା ମଧ୍ୟ ନାମିତ ହୋଇଥାଏ । ଯଥା : ବଙ୍ଗଲା, ଅସମୀଆଁ, ଗୁଜରାତୀ, ମହାରାଷ୍ଟ୍ରୀ କି ଇଂଗ୍ଲିଶ-ଫ୍ରେଂଚ ଆଦି । ଏ ରୀତି ପ୍ରାଚୀନ ଅର୍ବାଚୀନ ସବୁ କାଳରେ ପ୍ରଚଳିତ । ବୃଦ୍ଧ ବାଗ୍ଭଟ୍ଟ ମଧ୍ୟ ‘ଅପଭ୍ରଂଶସ୍ତୁ ଯଚ୍ଛୁଦ୍ଧଂ ତତ୍ତଦ୍ଦେଶେଷୁ ଭାଷିତମ୍’ ଓ ଭାମହ ମଧ୍ୟ ପ୍ରାକୃତ ପ୍ରକାଶର ସୂତ୍ର ୪-୩୩ ବ୍ୟାଖ୍ୟାରେ ‘ତେନ ସର୍ବ ଏବ ଦେଶ ସଙ୍କେତ ବୃତ୍ତ୍ୟା ଭାଷା ଶବ୍ଦା ପରିଗୃହୀତାଃ’ କହିଛନ୍ତି । ଅତଏବ- ପ୍ରାଚୀନ କାଳରେ ଦେଶ ନାମାନୁସାରେ ଏ ଭାଷା ‘କୋଶଲୀ’ ନାମରେ ପରିଚିତ ଥିଲା, ଏଥିରେ ସନ୍ଦେହ ନାହିଁ ।
ମଧ୍ୟ ଯୁଗରେ ଆରଣ୍ୟକ ବା କାନ୍ତାରକ ର ଦେଶୀୟ ପ୍ରକୃତ ନାମ-ଝାରଖଣ୍ଡ ଅନୁସାରେ ‘ଝରିଆ’ କହୁଥିବା ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ପୂ:ଚ:ଭା କୋଷରେ ଲେଖିଥିଲେ ହେଁ ତାର କୌଣସି ପ୍ରମାଣ ଦେଇ ନାହାନ୍ତି । ଲରିଆ ସହ ସମଶ୍ରୁତିକ ଏ ଶବ୍ଦ ପ୍ରଚଳିତ ରହିଥିବା ଅବିଶ୍ୱାସ୍ୟ ନୁହେଁ,- ଯେହେତୁ ଏ ପ୍ରଦେଶରେ ଆରଣ୍ୟକ ବ୍ରାହ୍ମଣ ଓ କରଣମାନେ ଦେଶୀ ନାମରେ ଝାଡ଼ୁଆ ବୋଲାନ୍ତି ଓ ଝରିଆ ନାମରେ ଗୋଟିଏ ଗଉଡ଼ ଶ୍ରେଣୀ ଅଛନ୍ତି । ଚୌହାନମାନେ ମଧ୍ୟ ‘ଝାଡ଼ଖଣ୍ଡ କେ ନରପତି’ ଦ୍ୱାରା ବିରୁଦିତ ହେଉଥିବା ଜଣାଯାଏ । ଏପରି ହେଲେ ହେଁ ଦେଶର ପରିବର୍ତ୍ତିତ ନାମ ଅନୁସାରେ ‘ଛତୀଶଗଢ଼ୀ’ ଶବ୍ଦ ବ୍ୟାକରଣର ଆଦେଶ ପରି ଲରିଆ ନାମକୁ ସ୍ଥାନଚ୍ୟୁତ କରି ସାରିଲାଣି ଓ ଝରିଆ ନାମ ଆଉ କାହାରି ସ୍ମୃତିରେ ନାହିଁ । ତଥାପି, ପଶ୍ଚିମ କୋଣରେ କିଛି ଅବଶେଷ ରହି ଯାଇଛି ।
ଏ କୋଶଳ ପ୍ରଦେଶର ଭାଷାର ବର୍ତ୍ତମାନ କାଳିକ ରୂପ ଦେଖିଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ସ୍ୱତଃ ସିଦ୍ଧ । ପ୍ରାଚୀନ କାଳରେ ତ ନିଶ୍ଚିତ ଭାବେ ଉପକୂଳ ଅଂଚଳଠାରୁ ଏ ଅଂଚଳ ଲୋକେ ଭିନ୍ନ ଭାଷା କହୁଥିଲେ ଏହା ଅବିସମ୍ବାଦିତ । ଡ: କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ ୧୯୮୧ରେ ପ୍ରକାଶିତ History of Orissa, ଚବଶର ୨୮୪ ରେ ବର୍ତ୍ତମାନ ଭାବ ପ୍ରବାହରେ ଏ ଭାଷାକୁ ନାମିତ କରି ନ ପାରି ଲେଖିଛନ୍ତି । :
“The people of Kosala tract originally spoke a language which was akin to Bhojpuri Prakrit, while the language of the Coastal strip had family affinity with Magadhi” ଏହାସତ୍ତେ୍ୱ ଇତିହାସର କୌଣସି ବିଡ଼ମ୍ବିତ ଯୁଗ ସନ୍ଧିରେ କୋଶଳବାସୀ ଉପକୁଳିଆ ବା ଓଡ଼ିଆ ଭାଷାକୁ ନିଜ ସଂସ୍କୃତି ଓ ସାହିତ୍ୟର ମାଧ୍ୟମ ରୂପେ ଗ୍ରହଣ କରିନେଲେ । ଏହା ହୁଏତ ଦେଶୀୟ ଭାଷାମାନଙ୍କରେ ଲିଖିତ ସାହିତ୍ୟ ସୃଷ୍ଟି ଦେବା ସମୟ ବା ୧୩ଶ କି ୧୪ଶ ଶତାବ୍ଦୀ କାଳ ହୋଇପାରେ । ଏଥିରେ କୋଶଳବାସୀ ଏତେ ଆତ୍ମହରା ହୋଇ ପଡ଼ିଲେ ଯେ କ୍ରମେ ନିଜ ଭାଷାକୁ ଓ ନିଜକୁ ମଧ୍ୟ ଓଡି଼ଆ ବୋଲି ପ୍ରଖ୍ୟାପନ କଲେ । ତଦବଧି ‘କୋଶଲୀ’ ନିଜ ସର୍ବଶକ୍ତି ଖଟାଇ ଓଡି଼ଆ ଭାଷାରେ ହି ସର୍ବବିଧ ସାଧନା କରି ଆସୁଅଛି ।
ଦ୍ୱିତୀୟ ବିଡ଼ମ୍ବନା ଘଟିଲା ବର୍ତ୍ତମାନ ଯୁଗରେ, ଯେତେବେଳେ ଦେଶୀୟ ଶକ୍ତି ସମ୍ମୁଖରେ ସୁରସାର ସୁଖତୁଲ୍ୟ ଦ୍ୱିଗୁଣ ଦ୍ୱିଗୁଣ ବିସ୍ତାରିତ ହେଉଥିବା ଇଂରେଜ ଶକ୍ତିର କବଳରେ ଦେଶୀୟ ସତ୍ତାମାନ ଗୋଟି ଗୋଟି କରି ବିଲୀନ ହୋଇ ଶ୍ରୀମଦ୍ ଭାଗବତ ଗୀତା ଏଗାର ଅଧ୍ୟାୟର ଶ୍ଲୋକ ୨୫ ରୁ ୩୦ର ଦୃଶ୍ୟ ଉପସ୍ଥାପିତ କରୁଥିଲେ । ସେହି ସମୟରେ ବଳରାମ ଦେବଙ୍କ ସମ୍ବର୍ଦ୍ଧିତ ସମ୍ବଲପୁର ରାଜ୍ୟ ମଧ୍ୟ ଇଂରେଜର ଲୌହ ମୁଷ୍ଟିରେ ପଡି଼ଲା ଓ ବୀର ସୁରେନ୍ଦ୍ର ସାଏଙ୍କ ସମସ୍ତ ଆତ୍ମ ବଳିଦାନୀ ପ୍ରଚେଷ୍ଟା ସମୁଦ୍ର ଉଛୁଲେଇବାକୁ ଚିଙ୍ଗୁଡି଼ ଡି଼ଆଁ ଡେଇଁ ତୁଲ୍ୟ ନିଷ୍ଫଳ ହେଲା ।
ସେ ସମୟରେ ଉପକୂଳ ବାସୀଙ୍କ ସଂପର୍କ ସମ୍ବଲପୁର ସହ ନୂତନ ଭାବେ ହେଲା । ସେଠାକାର ଭାଷା ସାମୂହିକ ଭାବେ ଓଡ଼ିଆ ବୋଲାଉଥିଲେ ସୁଦ୍ଧା ତାର ସର୍ବବିଧ ବୈଲକ୍ଷଣ୍ୟ ଦେଖି ସାଧାରଣ ଭାବେ ତାକୁ ‘ସମ୍ବଲପୁରୀ’ ନାମରେ ଡାକିଲେ । ଦେଶୀୟ ରାଜାମାନେ ଇଂରେଜ ଦ୍ୱାରା ସୁରକ୍ଷିତ କୋଷକାର କୀଟ ତୁଲ୍ୟ ନିଜ ନିଜ ରାଜ୍ୟରେ ଆବଦ୍ଧ ସ୍ୱପ୍ନ ସୁଖରେ ନିମଜ୍ଜିତ ଥିଲେ । ତେଣୁ-ଏ ନାମର ଚିନ୍ତା କିଏ କରନ୍ତା ? ଇଂରେଜର କୁଟନୀତି ଯୋଗୁଁ ଏମାନେ ‘ନସଂହତାସ୍ତସ୍ୟ ନ ଭିନ୍ନ ବୃତ୍ତୟଃ ପ୍ରିୟାଣି ବାଞ୍ଚ୍ଥିତ ସୁଭି ସମୀହିତୁମଂ’ ଅବସ୍ଥାରେ ଥିଲେ । କ୍ରମେ ଗମନା ଗମନର ସୁବିଧା ଯୋଗୁଁ ଓ ନିର୍ଭୟତା ଯୋଗୁଁ ବିଭିନ୍ନ ଅଂଚଳ ପରସ୍ପର ନିକଟ ହେଲେ ଓ ସମଗ୍ର କୋଶଳର ଭାଷା ଏକ ହେବାରୁ ଏ ‘ସମ୍ବଲପୁରୀ’ ନାମ ମଧ୍ୟ ‘ଜଳେତୈଳମ୍’ ପରି ପ୍ରାସାରିତ ହୋଇଗଲା ।
‘ଗତାନୁ ଗତିକୋ ଲୋକଃ କୋଲୋକଃ ପାରମାର୍ôଥକଃ’ ହେଲେ ମଧ୍ୟ ବିଭିନ୍ନ ଅଂଚଳରେ ଲୋକେ ନିଜକୁ, ନିଜଭାଷାକୁ ନିଜ ଅଂଚଳ ସହ ସଂଯୁକ୍ତ କରି ବଲାଙ୍ଗିରିଆ, କଳାହାଣ୍ଡିଆ, ଖରଡି଼ଆ (ଖଡି଼ଆଳିଆ) କହନ୍ତି ସିନା, ନିଜକୁ କିମ୍ବା ନିଜ ଭାଷାକୁ ‘ସମ୍ବଲପୁରୀ’ କହନ୍ତି ନାହିଁ । ବାସ୍ତବରେ ବର୍ତ୍ତମାନ ଆକାଶବାଣୀ ଦ୍ୱାରା ସମ୍ବଲପୁରୀ ନାମରେ ପ୍ରଚାରିତ ମୁଖ୍ୟତଃ ଶୃଙ୍ଗାରପରକ ଆପାତ-ରମଣୀୟ ଲୋକ ଗୀତମାନଙ୍କ ଯୋଗୁଁ ହିଁ ‘ସମ୍ବଲପୁରୀ’ ନାମର ବିଶେଷ ପ୍ରଚାର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତୃତୀୟ ଓ ଚରମ ବିଡ଼ମ୍ବନା ଘଟିଲା ଏ ଶତାବ୍ଦୀର ପ୍ରାରମ୍ଭରେ, ଭାରତୀୟ ଭାଷା ସର୍ବେକ୍ଷଣ କାଳରେ । ଗ୍ରୀଅରସନ ବିଭିନ୍ନ ଅଂଚଳରୁ ଯେଉଁ ଭାଷା ନମୂନା ମାନ ସଂଗ୍ରହ କଲେ, ସେଥିରେ କୋଶଲର ବିଭିନ୍ନ ଅଂଚଳ ଯେଉଁ ନମୁନା ମାନ ପଠାଇଲେ ତାହା ପରସ୍ପର ନିରପେକ୍ଷ ହେଲେ ହେଁ ସବୁଯାକ ମାନିକୀ ଓଡି଼ଆ ଭାଷାରେ “ହେ ପିତା” ତୁମ୍ଭ ପାଖରେ ଆମ୍ଭର ଯେଉଁ ଭାଗ ଅଛି ତାହା ଆମ୍ଭଙ୍କୁ ଦିଅ’ ଆଦି ଥିଲା । ଏହା ଆତ୍ମ ବିସ୍ମୃତିର ଚରମ ପରିଣତି-ଦୀନ ମନୋଭାବର ସର୍ବନିମ୍ନ ସୋପନ ଅଟେ । ଆଜି ପ୍ରାୟ ଏକ ଶତାବ୍ଦୀ ପରେ ମଧ୍ୟ କଳାହାଣ୍ଡିର ଶ୍ରୀ ପ୍ରତାପ କେଶରୀ ଦେଓ କି ସମ୍ବଲପୁର ର ଶ୍ରୀ ଶ୍ରଦ୍ଧାକର ସୂପକାର ଏ ଭାଷା କହନ୍ତି କି ?
ଏ ନୂତନ ଜାଗରଣ କାଳରେ ଏ ସମସ୍ତ ବିଡ଼ମ୍ବନାରୁ ମୁକ୍ତ ହୋଇ ନିଜତାର ଉପଲବ୍ଧି କରିବାକୁ ହେଲେ ସାର୍ବଦେଶିକ ପଦ୍ଧତିରେ ଦେଶବୋଧକ ‘କୋଶଲୀ’ ଏହି ପ୍ରାଚୀନ ନାମର ହିଁ ପୁନଃ ଜୀବନ୍ୟାସ କରିବାକୁ ହେବ । ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶୀଙ୍କର ଅନେକ ଆଲୋଚନା ଏ ଦିଗରେ ବଳିଷ୍ଠ ଯୁକ୍ତି ପ୍ରଦାନ କରିପାରିଛି । ତାହା ସବୁ ପଠନୀୟ ।
ଅଳ୍ପ ଦିନର ରୁଢ଼ୀ ଓ ନିତାନ୍ତ ସଂକୀର୍ଣ୍ଣ ପରିସୀମିତତା ବୋଧକ ହେଲେହେଁ ସମ୍ବଲପୁରୀ ନାମ କେତେକଙ୍କ ହଠଧର୍ମିତା-ଦୁରାଗ୍ରହରେ ପରିଣତ ହୋଇଯାଇଛି । ସେମାନେ ଏହା ହୃଦୟଙ୍ଗମ କରିପାରି ନାହାନ୍ତି ଯେ, ଗଭୀର ଅବଚେତନରେ ପ୍ରୋଥିତ ହୀନମନ୍ୟତା ନିଜର ଶୂନ୍ୟତା ପୂରଣ ବା ରକ୍ଷା ଆବରଣ ରୂପେ ଚେତନ ମନରେ ଅହଂକୁଏ ମିଥ୍ୟା ଅଭିମାନ ଓ ଦୂରାଗ୍ରହର ପ୍ରେରଣା ଦେଉଛି ।
ଏ ସବୁକୁ ସୁସ୍ଥ ମନରେ ବିଚାର କଲେ ପଶ୍ଚିମ ଓଡି଼ଶାର ଭାଷାର ନାମ ସର୍ବାଂଚଳିକ ସର୍ବଗ୍ରାହ୍ୟ ହେତୁ ‘କୋଶଲୀ’ ହିଁ ସ୍ୱାଭାବିକ ଓ ଯୁକ୍ତି ସଙ୍ଗତ ଅଟେ । ଏ ବିନୀତ ବ୍ୟକ୍ତି ଏହି ନାମରେ ହିଁ ଏ ଭାଷାର ଚର୍ଚ୍ଚା କରି ଆସୁଅଛି ଓ କରୁଥିବ ।

Previous ArticleNext Article