Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(2): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

Spread the love

ମୁଖବନ୍ଧ

ସୁଦୂର ପ୍ରାଚୀନ କାଳରୁ ଏକ ବିରାଟ ଦେଶ ‘କୋଶଳ’ ବା ‘କୋଶଳଖଣ୍ଡ’ ନାମରେ ବିଦିତ ହୋଇ ଆସିଅଛି । ଏହା ପ୍ରାୟ ନାଗାଧିରାଜ ହିମାଳୟର ପାଦଦେଶରୁ ଦକ୍ଷିଣରେ ଉତ୍ତର ଗୋଦାବରୀ ପର୍ଯ୍ୟନ୍ତ ତଥା ପୂର୍ବରେ ଉକ୍ରଳର ପଶ୍ଚିମ ସୀମାଠାରୁ ପଶ୍ଚିମରେ ବେନ୍ଗଙ୍ଗା (ବେଣୁ) ବା ବିଦର୍ଭ ଯାଏ ବିସ୍ତୃତ ହୋଇଥିବାର ବର୍ଣ୍ଣନା ମାନ ବିଭିନ୍ନ ସୂତ୍ରରୁ ମିଳିଥାଏ । ଭାରତର ଅତି ପ୍ରାଚୀନ ମହାକାବ୍ୟ ବାଲ୍ମିକୀ ରାମାୟଣରେ ଦୁଇଟି କୋଶଳ ରାଜ୍ୟର ଉଲ୍ଲେଖ ମିଳିଥାଏ । ପ୍ରଥମଟି ଉତ୍ତର କୋଶଳ ଓ ଅନ୍ୟଟି ହେଉଛି-ଦକ୍ଷିଣ-କୋଶଳ । ଭରତ ବର୍ଷର ପ୍ରାଚୀନ ଓ ମଧ୍ୟ ଯୁଗର ପୁରାଣ ତଥା ଅନ୍ୟାନ୍ୟ ପ୍ରାମାଣିକ ଗ୍ରନ୍ଥ ଗୁଡ଼ିକରେ ଦକ୍ଷିଣ-କୋଶଳର ରାଜା, ରାଜ ଧର୍ମ, ଭୂଗୋଳ, ସଂସ୍କୃତି ଓ ଭାଷା ଆଦି ସଂପର୍କରେ ବହୁ ତଥ୍ୟ ଓ ସୂଚନା ମିଳୁଥିଲେ ହେଁ ତଥା ଏହାର ଏକ ମୌଳିକ ମର୍ଯ୍ୟାଦା ଓ ସ୍ୱତନ୍ତ୍ର ସ୍ଥିତି ସତ୍ତା ରହିଥିଲେ ହେଁ, ଆମର ଐତିହାସିକ ଓ ଗବେଷକ ମାନେ ଏହାର ମୌଳିକ ସଂସ୍କୃତି ଓ ଭାଷା ଉପରେ ପ୍ରମାଦଶୂନ୍ୟ ବିବରଣୀ ପ୍ରଦାନ କରିବାରେ ଆଶା ଜନକ ଭାବେ ସଫଳ ହୋଇ ନଥିବାର ଜଣାପଡେ । ଏହାର ମୁଖ୍ୟ କାରଣ ହେଉଛି, ଦକ୍ଷିଣ କୋଶଳର ଲୋକ ସଂସ୍କୃତି ଓ ଭାଷା ଉପରେ ନିରପେକ୍ଷ ଅ୍ମୟନ ନିଷ୍ଠାର ନ୍ୟୁନ ଭାବ । କୋଶଳ ଖଣ୍ଡ ଏତେ ବିଶାଳ ଓ ବିସ୍ତୃତ ଥିଲା ଯେ, ପରବର୍ତ୍ତୀ କାଳରେ ଏହାକୁ ଶାସନର ସୁବିଧା ଦୃଷ୍ଟିରୁ ସପ୍ତଖଣ୍ଡରେ ଭାଗ ଭାଗ କରିବା ନିହାତି ଆବଶ୍ୟକ ହୋଇ ପଡିଥିଲା । ବାୟୁ ପୁରାଣର ୧୨୯ରୁ ୧୩୨ ଶ୍ଳୋକ ମଧ୍ୟରେ ଏହି ସପ୍ତ-କୋଶଳକୁ ନିମ୍ନମତେ ଉଲ୍ଲେଖ କରାଯାଇଛି । ଯଥା୧- ମେକଳ କୋଶଳ ୨- କ୍ରାନ୍ତି କୋଶଳ ୩- ଚେଦି କୋଶଳ ୪- ଦକ୍ଷିଣ କୋଶଳ ୫- କାଶୀ କୋଶଳ ୬- ପୂର୍ବ କୋଶଳ ୭- କଳିଙ୍ଗ କୋଶଳ

ଏପରି ହେଲେ ହେଁ ‘କୋଶଳଖଣ୍ଡ’ ମୁଖ୍ୟତଃ ଉତ୍ତର କୋଶଳ ଓ ଦକ୍ଷିଣ-କୋଶଳ ଭାବେ ହିଁ ବିଦିତ ଥିଲା । ତେଣୁ ବାଲ୍ମିକୀ ରାମାୟଣରେ ଦୁଇଟି ମାତ୍ର କୋଶଳ ସଂପର୍କରେ ଉଲ୍ଲେଖ କରାଯାଇଛି । ଏହି ଉତ୍ତର କୋଶଳ ସରଜୁ ତଟର ଭୌଗୋଳିକ ପରିସୀମା ମଧ୍ୟରେ ବିସ୍ତୃତ ଥିବାବେଳେ ଦକ୍ଷିଣ-କୋଶଳ ବିନ୍ଧ୍ୟାଂଚଳ ପର୍ବତମାଳାର ଦକ୍ଷିଣରେ ବିଶାଳ ଅଂଚଳକୁ ଆବୃତ କରି ବିସ୍ତାରିତ ହୋଇଥିଲା । ଏ ସମଗ୍ର ପ୍ରଦେଶର ଅଧିକାରୀ ହେଲେ ହେଁ ସୂର୍ଯ୍ୟବଂଶୀ ରାଜାମାନେ “ଉତ୍ତର କୋଶଲେଶ୍ୱର” ବୋଲାଉଥିଲେ ଓ ଦକ୍ଷିଣ-କୋଶଳ ସାମାନ୍ୟ ଭାବେ କୋଶଳ ହିଁ ବୋଲାଉଥିଲା । ପରବର୍ତ୍ତୀ ସମୟର ଦକ୍ଷିଣ-କୋଶଳର ରାଜାମାନେ ମଧ୍ୟ “ଦକ୍ଷିଣ କୋଶଳାଧିପତି” ବୋଲାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି । ସେ ଯାହାହେଉ, ବହୁ ସୂତ୍ରରୁ ପ୍ରମାଣିତ ହୋଇପାରିଛି ଯେ- ସମସ୍ତ କୋଶଳ ବିବର୍ତ୍ତନ ଓ ଭାବନାର ମୂଳସୂତ୍ର ବା ‘ମାଇଁ କନ୍ଦା’ ହେଉଛି ଆଦି କୋଶଳ, ଦକ୍ଷିଣ-କୋଶଳ । ଏହା ଏହି ରାଜ୍ୟର ରଜକନ୍ୟା ରାଜା ଦଶରଥଙ୍କ ପାଟରାଣୀ ଶ୍ରୀ ରାମଚନ୍ଦ୍ରଙ୍କର ମାତା “କୌଶଲ୍ୟା” ନାମକରଣରୁ ହିଁ (ଦେଶାନୁସାରୀ ସୂତ୍ରରେ) ସ୍ୱତଃ ଜଣାପଡ଼େ । କୋଶଳର ରାଜକନ୍ୟା କୌଶଲ୍ୟାଙ୍କୁ ବିବାହ କରିବାର ପରବର୍ତ୍ତୀ କାଳରେ ଦଶରଥଙ୍କ ରାଜ୍ୟ ଓ କୋଶଳ ଏକତ୍ର ହୋଇଯିବାରୁ ଏହି ବିଶାଳ ରାଜ୍ୟର ଦୁଇପାଶ୍ୱର୍କୁ ଉତ୍ତର-କୋଶଳ ଓ ଦକ୍ଷିଣ-କୋଶଳ ଭାବରେ ଚିହ୍ନିତ କରାଗଲା । ଏଥିରୁ ଜଣାପଡେ ଯେ ଦକ୍ଷିଣ କୋଶଳ ଅପେକ୍ଷା ଉତ୍ତର-କୋଶଳ ଅର୍ବାଚୀନ ଅଟେ । ପରବର୍ତ୍ତୀ କାଳରେ ରାଜନୈତିକ ଅସ୍ଥିରତା ଯୋଗୁଁ ବିଖଣ୍ଡିତ ହୋଇ ବିଭିନ୍ନ ରାଜବଂଶମାନଙ୍କ ଅଧୀନକୁ ଆସି ଉତ୍ତର କୋଶଳ ‘ଅୱଧ’ ନାମରେ, ମେକଳ କୋଶଳ ବଘେଲ ରାଜପୂତମାନଙ୍କ ଅଧିକାରକୁ ଆସି ‘ବଘେଲଖଣ୍ଡ’ ନାମରେ, ଦକ୍ଷିଣ କୋଶଳର ଦକ୍ଷିଣ ଭାଗ ଛତ୍ତୀଶଗଢ ଓ ପୂର୍ବଭାଗ ସାମାନ୍ୟତଃ “କୋଶଳ” ନାମରେ ରହିଯାଇ ଅନ୍ୟାନ୍ୟ କୋଶଳ ବିଭିନ୍ନ ରାଜ୍ୟରେ ବିଳୀନ ହୋଇ ଯାଇଥିଲେ । ଅନେକ ଐତିହାସିକ କାରଣରୁ ସମଗ୍ର କୋଶଳ ଛିନ୍ନ ବିଛିନ୍ନ ହୋଇ ଅନ୍ୟ ନାମ ମାନ ଗ୍ରହଣ କରିଥିଲେ ହେଁ, ଏହି କୋଶଳ ନିଜ ନାମ କୋଶଳକୁ ଯଥାବତ୍ ରଖିଅଛି । ଏହାକୁ ‘ଅବଶେଷାଦ୍ ବ୍ୟପଦେଶଃ’ କୁହାଯାଇପାରେ । ବହୁ ଯଥାର୍ଥ କାରଣରୁ ଏହାକୁ ମଧ୍ୟ ଆଧୁନିକ ପରିଭାଷାରେ proper Kosal ସ କହିବା ହିଁ ଯୁକ୍ତିଯୁକ୍ତ ହେବ । କୋଶଲୀ ପ୍ରାକୃତ ସହିତ ମୌଳିକ କୋଶଲୀ ସଂସ୍କୃତି ଓ ଭାବର ସ୍ପନ୍ଦନ ଏଠାରେ ହିଁ ଲକ୍ଷଣୀୟ ।

ଆଧୁନିକ ଯୁଗର ଐତିହାସିକ ବିଡମ୍ବନା ବଶତଃ ଛିନ୍ନଛତ୍ର ହୋଇଯାଇଥିଲେ ହେଁ ଭାଷା ଓ ସଂସ୍କୃତି ଦୃଷ୍ଟିରୁ ଏହା ବର୍ତ୍ତମାନର ଓଡ଼ିଶା ରାଜ୍ୟର ପଶ୍ଚିମ ପାଶ୍ୱର୍ସ୍ଥ ଅବିଭକ୍ତ ପାଂଚଟି ଜିଲ୍ଲା-ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ-ଫୁଲବାଣୀ, ଆଠମଲ୍ଲିକ ଅଂଚଳ, କୋରାପୁଟର ଉତ୍ତର ଅଂଚଳ ତଥା ମଧ୍ୟ ପ୍ରଦେଶର ବସ୍ତର ଜିଲ୍ଲାର ଭତରୀ ଅଂଚଳ, ପୂର୍ବପଟର ଦେଭୋଗ, ଫୁଲଝର, ରାୟଗଡ, ସାରଙ୍ଗଗଡ ଠାରୁ ଜସିପୁର ପର୍ଯ୍ୟନ୍ତ ଅଂଚଳ ମାନଙ୍କର ସମଷ୍ଟି ଅଟେ । ଏହି ବ୍ୟାପକ ଅଂଚଳର ଭାଷା ହିଁ ଯଥାର୍ଥରେ କୋଶଲୀ ଭାଷା ଅଟେ ।

ପ୍ରାଚୀନ ସାହିତ୍ୟ ଗୁଡ଼ିକରେ ପ୍ରତିଫଳିତ ଓ ପ୍ରକାଶିତ ତଥ୍ୟ ମାନଙ୍କ ଉପରେ ଭିତ୍ତିକରି କୁହାଯାଇ ପାରେ ଯେ, ଏହି କୋଶଳ ବା ମହାକୋଶଳର ଐତିହ୍ୟ ଖ୍ରୀ.ପୂ. ଓପ୍ତମ ଶତାବ୍ଦୀ ର ବହୁ ପୂର୍ବବର୍ତ୍ତୀ ଅଟେ । ମହାବୈୟାକରଣିକ ପାଣିନୀ ତଦୀୟ ବ୍ୟାକରଣ ରେ କଳିଙ୍ଗ ଓ କୋଶଳ ସମ୍ବନ୍ଧୀ ନିୟମରେ ସୂତ୍ର ପ୍ରଣୟନ କରିଛନ୍ତି ।ଅନେକ ଭାଷ୍ୟକାରଙ୍କ ମତରେ ଏଠାରେ କୋଶଳ ଶବ୍ଦର ପ୍ରୟୋଗ ‘ଦକ୍ଷିଣ-କୋଶଳ’ ନିମିତ୍ତ ହିଁ ଉଦ୍ଦିଷ୍ଟ ଅଟେ । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଲିଖିତ ଦୁଇଟି ବ୍ରାହ୍ମୀ ଲିପିରେ ମଧ୍ୟ କୋଶଳ ଦେଶର ସାଙ୍କେତିକ ଚିହ୍ନମାନ ଦେଖିବାକୁ ମିଳିଥାଏ । ପ୍ରାୟ ଦୁଇ ହଜାର ମାଇଲ ବୃତ୍ତ ମଧ୍ୟରେ ବିସ୍ତୃତ ହୋଇଥିବା ଏହି ଦକ୍ଷିଣ-କୋଶଳର ସାଂସ୍କୃତିକ ପରମ୍ପରା ମୂଳରେ ବହୁ ପ୍ରାଚୀନ ଯୁଗର ଐତିହାସିକ ଉପାଦାନ ପ୍ରଚ୍ଛନ୍ନ ହୋଇ ରହିଛି, ତେଣୁ ଏହାର ମୂଲ୍ୟବୋଧ ସୁଦୂର ପ୍ରସାରୀ । ସମଗ୍ର ବିଶ୍ୱ ଜଗତକୁ ଦକ୍ଷିଣ-କୋଶଳ ଆପଣାର ଧାର୍ମିକ, ସାଂସ୍କୃତିକ, ଆଟବୀକ ଓ ହୀରକ ଅବଦାନ ଦ୍ୱାରା ଅନୁଗୃହୀତ କରିଥିବାର ବହୁ ଐତିହାସିକ ପ୍ରମାଣ ମାନ ମିଳୁଛି । ବୌଦ୍ଧଧର୍ମ ର ଅବକ୍ଷୟ ଓ ଅପଭ୍ରଂଶ କାଳରେ ଯେଉଁ କେତୋଟି ନୂତନ ଧର୍ମ-ଧାରଣାର ଉଦ୍ଭବ ଘଟିଥିଲା, ତାହାର ଜଠର ଭୂମି ଥିଲା ଏହି ଦକ୍ଷିଣ-କୋଶଳ ବା କୋଶଳ । ବଜ୍ରଯାନ, ସହଜଯାନ, କାଳଚକ୍ରଯାନ, ତନ୍ତ୍ରଯାନ ଓ ସମ୍ବରତନ୍ତ୍ର ଆଦିର ଉନ୍ମେଷ ଭୂମି ଭାବରେ ତଥା ଶାକ୍ତ ଧର୍ମଧାରା, ଶୈବ ଧର୍ମଧାରା, ଭୈରବ ଉପାସନାର ଧାରା, ନାଥ ଧର୍ମଧାରା, ବୌଦ୍ଧ ଧର୍ମଧାରା, ମହିମା ଧର୍ମଧାରା ଓ ବୈଷ୍ଣବ ଧର୍ମଧାରା ର ଉର୍ବର ଚାରଣ ଭୂମି ରୂପରେ କୋଶଳର ଐତିହାସିକ ପ୍ରତିଷ୍ଠା ଓ ମହାନତା ବିଶ୍ୱରେ ବିଦିତ । ସଂପ୍ରତି ସଂସାରରେ ଚହଳ ପକାଇ ପଶ୍ଚିମ ଓଡିଶାର ଭୂଗର୍ଭରୁ ବାହାରୁଥିବା ଅଷ୍ଟବିଧ ରତ୍ନମାନ କେବଳ ରତ୍ନ ହିଁ ନୁହନ୍ତି, ଏଗୁଡିକ ହିଁ ବାସ୍ତବରେ ରତ୍ନମୟ ଭୂମି କୋଶଳର ପ୍ରାଚୀନ ଇତିହାସ । ହୁଏନ୍ସାଂ ଆପଣାର ଯାତ୍ରା ବିବରଣୀରେ ଲେଖିଛନ୍ତି ଯେ, ମଧ୍ୟ-ଦେଶ ରୁ ଲୋକେ ହୀରାନେଇ କଳିଙ୍ଗରେ ବିକ୍ରି କରୁଥିଲେ । ଏହି ମଧ୍ୟ-ଦେଶ ମହାନଦୀ ତଟରେ ଥିବା କୋଶଳଦେଶୀୟ ସମ୍ବଳକ ବା ସମ୍ବଲପୁର ଭିନ୍ନ ଆଉ କିଛି ନୁହେ । ପୂର୍ବ ସମୁଦ୍ର ତଟରେ ‘କୋଶଳ’ନାମକ ଏକ ବନ୍ଦର ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସମ୍ଭବତଃ କୋଶଳ ଦେଶର କୋଶଲୀ ନାମକ ଡଙ୍ଗା ସାହାଯ୍ୟରେ ଯେଉଁ ବନ୍ଦର କୁ କେନ୍ଦ୍ରକରି କୋଶଲୀ ହୀରା, ବସ୍ତ୍ର ଓ କଦ୍ରୁ ଆଦିର ବ୍ୟବସାୟ ଚାଲୁଥିଲା, ବିଦେଶରେ ସେହି ବନ୍ଦର କ ୁ କୋଶଳ ବନ୍ଦର ବୋଲି କୁହା ଯାଉଥିଲା । କୋଶଳ ଦେଶର ନଦୀକନ୍ୟା ମହାନଦୀ ଗର୍ଭରେ ମିଳୁଥିବା ମଣି ମାନଙ୍କ ମ୍ମରେ ମହାନ ବଜ୍ରମଣି ବା ହୀରାର ଭାରି ଆଦର ସୁଦୂର ରୋମରେ ମଧ୍ୟ ରହିଥିଲା ବୋଲି ଗୀବ୍ବନ ମତ ପ୍ରଦାନ କରିଛନ୍ତି । କୋଶଳଖଣ୍ଡର ଅନେକ ବଣ, ପର୍ବତ ଓ ଜନପଦଆଦି ଏହି ପ୍ରକାର ବିଭିନ୍ନ ରତ୍ନ ମାନଙ୍କ ନାମ ସହ ଚିହ୍ନିତ ହୋଇଛନ୍ତି । କୋଶଳର ପ୍ରାଚୀନ ଇତିହାସ ସହ ସଂପୃକ୍ତ ମହାରଣ୍ୟ-ମହାକାନ୍ତାର, ମାୟାଗୁହା ଓ ମଘବାବନ(ଇନ୍ଦ୍ରବଣ) ଆଦି ସାଂପ୍ରତିକ କଳାହାଣ୍ଡିର ପ୍ରାଚୀନ ଇତିହାସ ସହ ଜଡିତ । କୋଶଳର ମାଣିକ୍ୟ ମୟ ଭୁମି ହିଁ ଆଜିର କଳାହାଣ୍ଡି ଓ ଇତିହାସ ଯୁଗର କାରୁଣ୍ଡ ତଥା ମହାକାନ୍ତାର । ତନ୍ତ୍ରଭୂମି-ରତ୍ନଭୁମି ଇନ୍ଦ୍ରବଣ ଏହି ଭୂଭାଗର ଅଂଶାବଶେଷ ଥିଲା । ମାୟାଗୁହା ହିଁ ଏବର ମାରାଗୁଡା । ଯୁଗେ ଯୁଗେ ଏହି ବିସ୍ତୃତ ଅଂଚଳ କୋଶଳ ନାମରେ ହିଁ ପରିଚିତ ହୋଇ ଆସୁଥିବାରୁ ପରବର୍ତ୍ତୀ ସମୟର ସୋମବଂଶୀ ରାଜାମାନେ “ସକଳ କୋଶଳାଧୀପତି” ଓ ଚୌହାନ୍ ନରପତିମାନେ ମଧ୍ୟ ‘କୋଶଳେଶ୍ୱର’ ବୋଲାଉ ଥିଲେ । ଏହି ଭାବନାକୁ ଦୃଢ଼ ସମର୍ଥନ ଜଣାଇଥାଏ ଶ୍ରୀ ଗଙ୍ଗାଧର ମିଶ୍ର କୃତ ସଂସ୍କୃତ “କୋଶଳାନନ୍ଦ ମହାକାବ୍ୟ” ଓ ପ୍ରହ୍ଲାଦଦୁବେଙ୍କର (ସାରଙ୍ଗଗଡ଼ର) ଲିଖିତ “ଜୟ ଚନ୍ଦ୍ରିକା” ହିନ୍ଦୀ କାବ୍ୟ । ପ୍ରହ୍ଲାଦଦୁବେ ସମ୍ବଲପୁର ରାଜା ଜୈତ ସାଏ ବା ଜୟନ୍ତ ସିଂହଙ୍କ ରାଜାନୁଗ୍ରହୀ କବି ଥିଲେ । ଏହାଙ୍କ ଲିଖିତ ‘ଜୟ ଚନ୍ଦ୍ରିକା’ ଏକ ଐତିହାସିକ କାବ୍ୟ ଅଟେ । ଏଥିରେ ସେ ପ୍ରସଙ୍ଗ କ୍ରମେ ସମ୍ବଲପୁରର ତତ୍କାଳୀନ ସ୍ଥିତି ଓ କୋଶଳ ରାଜ୍ୟର ବିଷଦବର୍ଣ୍ଣନା କରିଛନ୍ତି । ଏହି ବର୍ଣ୍ଣନାର କିଛି ଅଂଶ ଏହିପରି,” –
କୋଶଲ ମୁଖ୍ୟ ସଂବଲପୁର ଦେଶା
ତହାଁ ବସତ ଚୌହାନ ନରେଶା
ଇସେ ନଗ୍ର ପୁର ସିମାହିଁ
ଜେହି ଛବି ଜମ୍ବୁ ଦୀପ ମୋ ନାହିଁ । ।
ଚିତ୍ରୋତ୍ପଳା ଗଢ ବହେ ବଢ ତୋରା
ଜହଁ ଓପଜେ ମନି କଂଚନ ହିରା
ଶାସ୍ତ୍ର ସଶାସ୍ତ୍ର ପୁରକ ପୁରବାସୀ
ବିଦ୍ୟା ମେ ମନୁ ଲହରେ କାଶୀ । ।

‘Chauhan Rulers of Sonepur’ ର ପୃଷ୍ଠା ୩ ରେ ଗବେଷକ B.C. Mazumdar ମଧ୍ୟ ଏ ଅଂଚଳକୁ କୋଶଳ ନାମାତ୍ମିକାରେ ବର୍ଣ୍ଣନା କରିଛନ୍ତି ଯଥା, “Balarjuna’s successors made the Sambalpur tract their Kingdom and always designated this tract by the name of “ Kosala” though the trunk of Kosala consisting of Chhathisgarh fell in the hands of other rulers. The term ‘Kosala’ occurring in the records of successors of Balarjuna signifies the Sambalpur tract defined above.”

ଦକ୍ଷିଣ-କୋଶଳର ଏହି ପୂର୍ବାଂଶ ହିଁ ସମ୍ଭବତଃ ପୂର୍ବଖଣ୍ଡ ବା ପୂର୍ବ-କୋଶଳ ଭାବରେ ସମୟ ସମୟରେ କଥିତ ହେଉଥିଲା । ଏହି ପୂର୍ବଖଣ୍ଡରେ ବିଶେଷ ଜନାଦୃତ ଲାଭ କରିଥିବା ଏକ ପ୍ରାଚୀନ ପ୍ରାମାଣିକ ଗ୍ରନ୍ଥ ‘କପିଳସଂହିତା’ରେ ମଧ୍ୟ ଏ ଅଂଚଳ ବା ପ୍ରଦେଶକୁ କୋଶଳ ନାମରେ ହିଁ ନିର୍ଦ୍ଧିଷ୍ଟ ଭାବେ ପରିଚିହ୍ନିତ କରାଯାଇଛି । ଉତ୍କଳର ପୁରୀ, କୋଣାର୍କ ଓ ଭୂବନେଶ୍ୱର ଆଦି ପାବନ ସ୍ଥଳ ତ୍ରୟୀ ପରି ଏଥିରେ କୋଶଳର ପାବନ ତ୍ରୟୀ ସଂପର୍କରେ ନିମ୍ନମତେ ବର୍ଣ୍ଣନା ରହିଛି :
ପୁଣ୍ୟା ସ୍ୱର୍ଣ୍ଣପୁରୀ ପ୍ରୋକ୍ତା, ପୁଣ୍ୟା ଚିତ୍ରୋତ୍ପଳା ନଦୀ କୋଶଳେଷୁ ତ୍ରୟଃ ପୁଣ୍ୟା, ପୁଣ୍ୟୋ ମାର୍ଜାର କେଶରୀ ।ା

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କୋସଳ ବୋଇଲେ ଏହି ଭମିକୁ ହିଁ ଗ୍ରନ୍ଥକାରମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ । ବାବୁ ରେବାରାମ କାୟସ୍ଥ ଙ୍କର “ବିକ୍ରମ ବିଳାସ” କାବ୍ୟରେ ଏହାର ସ୍ପଷ୍ଟ ଦୃଷ୍ଟାନ୍ତ ରହିଛି । ଯଥା –
ପାବନ ଦଚ୍ଛିନ୍ନ କୋଶଲ ଦେଶା
ଜହଁ ହରି ଓତୁ କେଶରୀ ବେଷା ।ା
ଆଧୁନିକ ଯୁଗ ଯାଏଁ ଏ ଅଂଚଳର ସମସ୍ତ ଚିନ୍ତାଶୀଳ ଐତିହାସିକ ଯଥା- ଶ୍ରୀ ରାମଚନ୍ଦ୍ର ମଲ୍ଲିକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଆଦି ଏ ରାଜ୍ୟର ଇତିହାସକୁ କୋଶଳ ଇତିହାସ ନାମରେ ହିଁ ନାମିତ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ସ୍ୱର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେବ କୋଶଳ ଭାବନାର ଜଣେ ପଥିକୃତ୍ ପ୍ରବକ୍ତା ଥିଲେ । କୋଶଲୀ ମୌଳିକତା ଓ ଭାବନା ତେଣୁ ବହୁ ପ୍ରାଚୀନ ଯୁଗରୁ ଅଦ୍ୟାବଧି ରହିଆସିଛି । ବିଶେଷ ଭାବରେ ଏହି ଅଂଚଳରେ ହିଁ ଭାବତ୍ମକ ଦୃଷ୍ଟିକୋଣରୁ ଆବଦ୍ଧ ରହିଥିବା କୋଶଲୀ ଡ଼ଙ୍ଗା, କୋଶଲା ଗଉର, କୋଶଲା ମାଳୀ, କୋଶଲା ଭାଜି, କୋଶଲା-ଖାଦ୍ୟ ଶସ୍ୟ, କୋଶଳେଶ୍ୱର ମହାଦେବ, କୋଶଲେଶ୍ୱରୀ ଦେବୀ, କୋଶଲୀ ବାହ୍ମନ, ଓ ସଂପ୍ରତି ସବିଶେଷ ଗବେଷଣା ଦ୍ୱାରା ନିର୍ଣ୍ଣିତ କୋଶଲୀ ରୀତିର ମନ୍ଦିର ସ୍ଥାପତ୍ୟର ନାମକରଣରୁ ହିଁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ- ଏ ଅଂଚଳର ବ୍ୟାପକ କ୍ଷେତ୍ରରେ ଜନଗଣଙ୍କ ଦ୍ୱାରା ବ୍ୟବହୃତ ଭିନ୍ନ ଧରଣର ଭାଷା ମଧ୍ୟ ‘କୋଶଲୀ ଭାଷା’ ହିଁ ଅଟେ । ଏ ଅଂଚଳ ବା ଦେଶର ଭାଷାର ସଂକ୍ଷିପ୍ତ ପରିଚୟ ହିଁ “କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ ।” କୋଶଲୀ ଭାଷାର ସ୍ୱତନ୍ତ୍ର ଅସ୍ତିତ୍ୱ ନିଶ୍ଚିତ ରୂପେ ଜାଜ୍ଜ୍ୱଲ୍ୟମାନ ।

କୋଶଲୀ ଭାଷାର ପ୍ରତିଟି ଶବ୍ଦ ପ୍ରାଣମୟ ଓ ଗଭୀର ଅର୍ଥ ବୋଧକ । ଏ ପ୍ରଦେଶର ସମସ୍ତ ଗିରି କାନନ, ଘାଟି-ଉଘାଟି, ଉପତ୍ୟକା, ଡାଁଡ, ଭଟ୍ଟା, ନଦୀ, ନାଳ, ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗ, ବୃକ୍ଷଲତା, ଚେରମୂଳ, ପୁରପଲ୍ଲୀ, ଗ୍ରାମ, ନଗର, ଜନପଦ, ପଶୁପକ୍ଷୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଠୁ ଆରମ୍ଭ କରି ବ୍ୟକ୍ତିର ନାମକରଣ ତଥା ମାଳୀ ବାଡି଼, କୁମ୍ଭାର ଶାଳ, ଲୁହୁରା ଶାଳ ଓ ହାଟ ବଜାର ଆଦିରେ ବ୍ୟବହୃତ ହଜାର ହଜାର କୋଶଲୀ ଶବ୍ଦ ସିଧା ସଳଖ ସଂସ୍କୃତରୁ ହିଁ ଆସିଛି । ପ୍ରତିଟି ଶବ୍ଦ ମଧ୍ୟରେ ଥିବା ସାଂସ୍କୃତିକ ଓ ପାରିବେଶିକ ଅଭିବ୍ୟଂଜନାର ଶାଶ୍ୱତ ମୈøଳିକତା ହିଁ ଏହାର ସ୍ୱତନ୍ତ୍ର ଅସ୍ତିତ୍ୱକୁ ପ୍ରମାଣିତ କରିଥାଏ । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନରେ ‘ଖମନ’ ଶବ୍ଦଟିର ଆଲୋଚନାକୁ ଆବଶ୍ୟକ ମନେ କରେଁ :
କୋଶଳ ଖଣ୍ଡ ମୁଖ୍ୟତଃ ଏକ ରତ୍ନମୟ ପ୍ରଦେଶ । ତେଣୁ ପ୍ରାଚୀନ ସାହିତ୍ୟାଦି ରେ ଏ ଭୂମିକୁ “ବଜ୍ରଗର୍ଭା ମହାରଣ୍ୟଂ” ବୋଲି ଚିହ୍ନିତ କରାଯାଇଛି । ଏହା ଏହାର କାନ୍ତାରକ, ଆରଣ୍ୟକ, ଝାଡଖଣ୍ଡ (ଝାର୍ଖଣ୍ଡ), ଆଦି ପ୍ରାଚୀନ ଅର୍ବାଚୀନ ନାମରୁ-ସ୍ପଷ୍ଟ ହୋଇଥାଏ । କୋଶଲୀ ଭାଷାରେ ସାଧାରଣ ବନ ପାଇଁ ମଧ୍ୟ ଖମ୍ନା ବା ‘ଖମନ୍’ ଶବ୍ଦର ବ୍ୟବହାର ହୋଇଥାଏ । ଯଥା :
(କ) ‘ଖମନର୍ କାଡ଼ ଘିଚା ଘାଟିରେ ସର୍ଗିଢ଼େଁଟି’
(ଖ) ‘ବଜର୍ଗଡ଼ ଖମ୍ନା,
ଢ଼େଁଡ଼ାମୁଡ଼ା ନାଗ୍-ଧମ୍ନା’ (ଲୋକଗୀତ)
ଏହାର ବ୍ୟୁତ୍ପନ୍ନ ସଂସ୍କୃତ ‘ଖବନ’ ଶବ୍ଦରୁ ହୋଇଛି । ଖ=ଆକାଶ ବା ନଭ । ଖବନ=ଆକାଶ ସ୍ପର୍ଶୀ ବା ନଭଶ୍ଚୁମ୍ବୀ ବନ । ପ୍ରାକୃତ ନିୟମରେ ବ>ମ । ତେଣୁ କରି ହେଲା ଖମନ । ଗହନ ଘନ ବନ ରେ ହିଁ ଆଲୋକ ଓ ବାୟୁ ନିମିତ୍ତାର୍ଥେ ବୃକ୍ଷ ଗୁଡି଼କ ଉଚ୍ଚ ହେଉଥିବାରୁ ତାହା ‘ଖମନ’ ହୋଇପାରେ । କୋଶଲୀ ଭାଷାରେ ସାଧାରଣ ବନ ପାଇଁ ମଧ୍ୟ ‘ଖମନ’ ଶବ୍ଦ ପ୍ରଯୁକ୍ତ ହେଉଥିବାରୁ ପୁର୍ବେ ଏ ସମଗ୍ର ପ୍ରଦେଶରେ ଖମନ ହିଁ ସାଧାରଣ ପ୍ରାୟ ଥିଲା । ତେଣୁ ଏହା ଯଥାର୍ଥରେ “ଘନ ବନ ସମାଚ୍ଛନ୍ନ ମହାରଣ୍ୟଂ” ଭୁମି ହିଁ ଥିଲା । ଏହି ମହାରଣ୍ୟ ପରିବେଶର ଆତ୍ମୀୟତା ଓ ପୃଷ୍ଠଭୁମିରୁ ହିଁ ସିଧା ସଳଖ ସଂସ୍କୃତ ଭାଷାରୁ ନିମ୍ନ କେତୋଟି କୋଶଲୀ ଶବ୍ଦର ସୃଷ୍ଟି ।
କଁଟୁ କୁଆଲି : ଅରଣ୍ୟ ଜାତ କୋଳି ବିଶେଷ । କଟକ କୋଳିଃ > କଁଟୁ କୁଆଲି କଟକ (ସଂ) ପାର୍ବତ୍ୟାଂଚଳ, ଅରଣ୍ୟାଂଚଳ ।
ଖଟକା : ପର୍ବତର ମଧ୍ୟଭାଗ । ଲୋକାକ୍ତି ଅଛି “ଡଙ୍ଗରର୍ ଖଟ୍କା ଆରୁ ଟଁଟିର୍ ଘଟ୍କା କଟକ > ଖଟ୍କା”
କୁଟ୍ରା : ଏକ ପ୍ରକାର କ୍ଷୁଦ୍ର ମୃଗ ବିଶେଷ । କୁଟ୍ଟାର>କୁଟ୍ରା, କୁର୍ରା । କୁଟ୍ଟାର (ସଂ) ପର୍ବତ, ଅରଣ୍ୟ (ରାଜ ନିର୍ଘଣ୍ଟ) କୁଟରାର ପ୍ରୟୋଗ ତେଣୁ ପାର୍ବତ୍ୟଜନ୍ତୁ ବିଶେଷ ଅର୍ଥରେ ହୁଏ ।
କୁଲେର: ଏକ ପ୍ରକାର ଅରଣ୍ୟ ଜାତ ଶାକ, ବୃକ୍ଷ ବିଶେଷ । ଭାଷାରେ ‘କୁଲେର୍’ ଶାଗ । ଏହା କେବଳ ଅରଣ୍ୟ ବା ପର୍ବତରୁ ହିଁ ସଂଗ୍ରହ କରାଯାଏ । ଶବ୍ଦରତ୍ନାବଳୀରେ ପର୍ବତର ପ୍ରତିଶବ୍ଦ ଭାବରେ ‘କୁଲୀର’ ଶବ୍ଦର ଉଲ୍ଲେଖ ରହିଛି । ବନ୍ୟଜାତ ବା ପର୍ବତ ଜାତ ଶାଗ ଭାବରେ – କୁଲୀର > କୁଲେର୍, ଶାଗ୍ ।
ଉସକୁଟୁ: ବଣରୁ ସଂଗ୍ରହ ଚେରିମୁଳି ଔଷଧ ଅର୍ଥରେ । ଆଶେକୁଟୀ > ଉଶକୁଟ ୁ> ଉସକୁଟୁ । ଆଶେକୁଟୀ = ପର୍ବତଃ (ସଂ) ।ା ଇତି, ଶବ୍ଦ କଳ୍ପଦ୍ରୁମ ।ା ଇତ୍ୟାଦି ।
କୋଶଲୀ ଭାଷା କୌଣସି ଭାଷାର ଉପଭାଷା ନୁହେଁ । ଏ ଭାଷାର ସମପ୍ତ ଶବ୍ଦ ମୂଳ ସଂସ୍କୃତରୁ ପ୍ରାକୃତ ମାଧ୍ୟମରେ ବିକଶିତ ହୋଇଛି । ପାଠକମାନଙ୍କ ଆଗ୍ରହକୁ ସମ୍ମାନ ଦେଇ ନିମ୍ନରେ ଅଳ୍ପ କିଛି କୋଶଲୀ ଶବ୍ଦର ବ୍ୟୁତ୍ପତ୍ତି କ୍ରମ କୁ ସଂସ୍କୃତ>ପ୍ରାକୃତ>କୋଶଲୀ କ୍ରମରେ ଦର୍ଶାଇ ଦିଆ ଯାଇଛି ।

ଶବ୍ଦ ବ୍ୟୁତ୍ପତ୍ତି :- ସଂ > ପ୍ରା: > କୋ ଆତସୀ>ଅଳସୀ> ଅଲସି ।ା
ଆତ୍ମା>ଅତ୍ତା>ଆତା ।ା
ଆମ୍ର>ଅମ୍ବଂ>ଆମ ।ା
ଅର୍ଦ୍ଧମ୍>ଅଦ୍ଧଂ>ଅଧା ।ା
ଅଷ୍ଟାଦଶ>ଅଟ୍ଠରହ>ଅଠ୍ର ।ା
ଅସ୍ଥି>ଅଟ୍ଠୀ>ଆଁଠି ।ା
ଆର୍ଦ୍ରମ>ଅଲ୍ଲଂ, ଅଦ୍ଦଂ>ଓଲ୍,ଉଦା ।ା
ଅସ୍ପର୍ଶଃ>ଆଫଂସୋ>ଆଫସି, ଅଫସାରି, ଅଫସରି>ଅପସରି ।
ଆବର୍ତମାନଃ> ଆବତ୍ତମାଣୋ> ଉବ୍ତା ।ା
ଅଶ୍ଳିଷ୍ଟମ୍>ଆଲିଟ୍ଠଂ ଅଲ୍ଠା ।ା
ଅଙ୍ଗାରଃ>ଇଙ୍ଗାଲୋ>ଉଙ୍ଗ୍ଲି ।ା
ଏତାବତ୍> ଇତ୍ତିଅଂ> ଇତ୍କ ।ା
ଉଚ୍ଚୈସ୍> ଉଚ୍ଚଅଂ> ଉଁଚ୍ ।ା
ଉତ୍କରଃ> ଉକ୍କରୋ> ଉକାର ।ା
ଉଦୁମ୍ବରଃ> ଉଡ଼ମ୍ବରୋ> ଡୁମେର ।ା
ଉଲୁଖଳମ୍> ଓକ୍ଖଳଂ ଉଖଲା ।ା
ଉପରି> ଉବ୍ରି> ଉବରି ଉବ୍ରା ।ା
ବୃଷଭଃ> ଉସ୍ହୋ> ଉସ୍ ।ା
ଆର୍ଦ୍ରୟତି> ଉଲ୍ଲେଇ> ଉଇଲ୍ ।ା
ଇକ୍ଷୁଃ> ଉଚ୍ଛୁ> ଛୁଇଁ ।ା
ଈଦୃଶଃ> ଏରିସୋ> ଅରି ।ା
ଔଷଧମ୍> ଓସହଂ> ଓସୋ, ଉସୋ ।ା
କଣବୀରଃ>କଣବୀରୋ>କନେର୍ ।ା
କଦଳମ୍, କଦଳୀ, >କଅଲଂ, କେଲଂ, କେଲୀ, କରଲୀ> କେଲା, କଦେଲ, କଦ୍ଲି ।ା
କର୍ଣ୍ଣିକାରଃ> କଣ୍ଣିଆରୋ> କଁର୍ରା,କନେର୍ ।ା
କାମୁକଃ> କାଉଂଓ୍ୟø> କଉ ।ା
କ୍ରିୟା> କରିଆ> କିରିଆ ।ା
ସ୍କନ୍ଦଃ> ଖନ୍ଦୋ> ଖନ୍ଦ୍, ଖନ୍ଦ୍ଲା ।ା
କ୍ଷମା> ଖମା> ଖେମା ।ା
ସ୍ତମ୍ଭ> ଖଂଭୋ>ଖମ୍, ଖମା ।ା
କ୍ଷିପ୍ତମ୍> ଖିତଂ> ଖେତା ।
ସ୍ଥାଣୁଃ> ଖାଣୁ> ଖାଡା ।ା
ଖଚିତ> ଖସିଓ> ଖୁସା, ଖୁସ୍ନି, ଖୁଚା ।ା
ଖଣ୍ଡିତମ୍> ଖୁଡି଼ଓ, ଖଣ୍ଡିଓ> ଖୁଡି଼ଆ, ଖଁଡିଆ ।ା
କାସିତମ୍> ଖାସିଅଂ> ଖାଁସି ।ା
କୀଳକଃ> ଖୀଲଓ> ଖିଲା ।ା
କୁଜ୍ୱଃ> ଖୁଜ୍ଜୋ> ଖୁଜା, ଖେମ୍ଜା ।ା
ଗର୍ତଃ> ଗଡ୍ଡ଼ୋ> ଗାଡ଼ ।ା
ଗର୍ଦଭଃ> ଗଦ୍ଧହୋ> ଗଧ, ଗଧା ।ା
ଗୃହପତିଃ> ଗହବଇ> ଗଇଁ ।ା
ଚତୁର୍ଗଣଃ> ଚଉଗୁଣୋ> ଚଉଗୁନା ।ା
ଚତୁର୍ଥଃ> ଚଉଟ୍ଠୋ> ଚଉଠ୍ ।ା
ଚତୁର୍ଥୀ> ଚଉଟ୍ଠୀ> ଚଉଠି, ।ା
ଚତ୍ୱରମ୍> ଚଚ୍ଚରଂ> ଚଁଚରା ।ା
ଚିକୁରଃ> ଚିହୁରଂ> ଚଁହରା ।ା
ତୁଚ୍ଛମ୍> ଚୁଚ୍ଛଂ> ଛୁଚା ।ା
କ୍ଷଣଃ> ଛଣୋ> ଛନ୍ ।ା
କ୍ଷିପ୍ତମ୍> ଛୁତଂ> ଛଡ ।ା
କ୍ଷୁଧା> ଛୁହା>ଛେଏଁ, ଛେଏଁ, (ଦେବତା ଆବିଷ୍ଟ କାକରେ) ।ା
ଛାଗଃ (ଗୀ) > ଛାଲୋ (ଲୀ) > ଛେଲ, ଛିଲିଆ ।ା
ଛାୟା> ଛାହା> ଚାହେନ୍, ଛାଏନ୍ ।ା
ଷଷ୍ଠୀ> ଛଟ୍ଠୀ>ଛଟି, ଛୁଟି (ଛୁଟିମାତା) ।ା
ଶିରା> ଛିରା ,ଛିର୍ ।ା
ସ୍ପୃହା> ଛିହା> ଚିହା ।ା
ଜଟିଳଃ> ଜଟିଲେ. ଜଟିଆ, ଜଟ, ଜଟକା, ଜିଟ୍କା=ଜି> ଝି =ଝିଟ୍କା, ଝଟକା ।ା
ଜିହ୍ୱା> ଜିବ୍ଭ୍ୟା> ଜିବ୍ ।ା
ଜୀର୍ଣ୍ଣମ୍> ଜୁଣ୍ଣଂ, ଜିର୍ଣ୍ଣଂ> ଜୁନା, ଜିରା, ଜିର୍ନା ।ା
ଜୀବିତମ୍> ଜୀଅଂ> ଜିଅଁ ।ା
ଧ୍ୱଜଃ> ଝଓ> ଝଜା ।ା
ଧ୍ୱନିଃ> ଝୁଣି> ଝୁନି, ଝୁନ୍ଝୁନି, ଝ୍ନ୍ଝନ୍ ।ା
ଦାହଃ> ଡାହୋ> ଡାହା ।ା
ଦଗ୍ଧମ୍> ଡଢ଼୍ଡଂ, ଡଢ଼ୋ> ଢ଼ୁଡା, ପୁଡାଢ଼ୁଡା ।ା
ନିଷଣ୍ଣଃ> ଣିସ୍ଣଣୋ> ନିସାନ୍ ।ା
ତପ୍ତମ୍> ତବିଅଂ> ତବ୍ତି, ତାବା, ତପଲା ।ା
ତିତ୍ତିରି> ତିତ୍ତିରୋ>ତିତେର୍ ।ା
ସ୍ତମ୍ଭଃ>ଥଂଭୋ>ଥେବା,ଥେବ,ଥେବ୍ ।ା
ସ୍ଥୂଳମ>୍ଥୁଲ୍ଲୋ>ଥୋଲୋ ।ା
ଦଣ୍ଡଃ >ଦଂଡୋ>ଡଣା ।ା
ଦତ୍ତମ୍>ଦିଣ୍ଣଂ>ଦେନି ।ା
ଦଶ>ଦହ>ଦହ ।ା
ଦାହଃ>ଦାଘୋ>ଦାଗ୍ ।ା
ଦୋଳା >ଦୋଲା>ଦୁଲା ।ା
ଧାତ୍ରୀ>ଧାଈ>ଧାଇ ।ା
ନିର୍ଝରଃ>ନିଜ୍ଝରୋ>ନିଝ୍ରା ।ା
ପର୍ଯ୍ୟନ୍ତଃ>ପଜ୍ଜନ୍ତୋ>ପତେ ।ା
ପାଷାଣଃ>ପାସାଣୋ>ପିସେନ୍ ।ା
ପୁତରଃ>ପୋରୋ>ପୋର୍ ।ା
ପୃଥକ୍> ପିଧଂ>ପେଧା ।ା
ପ୍ରବାସୀ>ପାବାସୁ> ଫାବାସ,ଫାବା ।ା
ଭସ୍ମ>ଭବ୍ଷଂ>ଭୁବୁର୍ ।ା
ବିହ୍ୱଳଃ >ଭିବ୍ଭଲୋ>ଭେବଲା ।ା
ମର୍ଦ୍ଧିତମ୍>ମଡ୍ଡିଅଂ>ମଡିଆ,ମାଡିଆ ।ା
ମସୃଣ>ମସଣଂ>ମସନା ।ା
ମାର୍ଜାରଃ>ମଂଜରୋ>ମାଂଜୋ ।ା
ମିରା >ମେରା>ମରାଲ୍ ।ା
ମୃତ୍ତିକା>ମଟ୍ଟିଆ>ମାଏଟ୍ ।ା
ମୃତ୍ୟୁ>ମିର୍ଚ୍ଚୁ>ମିର୍ଚ୍ଚୁକ୍(ଡୁମା) ।ା
ଶ୍ମଶାନମ୍>ମସାଣଂ>ମସାନ୍ ।ା
ରକ୍ତମ>ରତ୍ତଂ>ରତା ।ା
ରତ୍ନମ୍>ରଅଣଂ>ରଏନ୍,ରନି ।ା
ରାଜକୀୟମ୍>ରାଇକକଂ>ରାଏକା ।ା
ବୃକ୍ଷଃ>ରୁକ୍ଖୋ>ରୁଖା ।ା
ଋକ୍ଷଃ>ରିକ୍ଖୋ>ରିଖା,ରଖଡ୍ ।ା
ରୁଗଣ >ଲୁକ୍କୋଣ>ଲୁକ୍କୋ>ଲିକ୍ଲିକା ।ା
ଯଷ୍ଟିଃ>ଲଟ୍ଠୀ>ଲାଏଟ୍, ଲାଠି ।ା
ବଳୀବର୍ଦଃ>ବଇଲ୍ଲୋ>ବୁଇଲ୍ ।ା
ମନ୍ମଥଃ>ବମ୍ମହୋ >ବମିଆ, ବମେଇ ।ା
ବାଷ୍ପ>ବାପ୍ପୋ>ଫାପ୍ ।ା
ବୃଶ୍ଚିକଃ>ବିଚ୍ଛୁଓ>ବିଛୁ ।ା
ବୃହତ୍ତରମ୍>ବଡ୍ଡୟରମ>ବଢେଲ୍ ।ା
ବେଣୁ>ବେଲୁ>ବେଲା ।ା
ଶୃଙ୍ଖଳମ୍>ସଂକଲଂ>ସିକ୍ଲା ।ା
ଶ୍ଲେଷ୍ମା>ସେଲିହ୍ମା>ସେଲ୍ମା,ଲସମ୍ ।ା
ହରୀତକୀ>ହଡ୍ଡଇ>ହଡ୍ଡା ।ା
ହରିଦ୍ରାଃ>ହଲଦ୍ଦୀ>ହଲ୍ଦୀ ।ା
ହୃଦୟମ୍>ହିଅଅଂ>ଭିଅଁ ।ା
କାର୍ଯ୍ୟମ୍>କଯ୍ଯେ>କାଜେ ।ା
ରାକ୍ଷସଃ>ଲସ୍କଶେ>ଲସ୍କର ।ା
ଅହମ୍>ହକେ>ହକ୍ ।ା
ଗୃଧ୍ରଃ>ଗିଦେ୍ଧା>ଗିଦ,ଗିଦନ୍ ।ା
ପ୍ରସାତିକା>ପସ୍ସହୀ>ପସେର୍ ।ା ଇତ୍ୟାଦି… ।

ଏହି ପୁସ୍ତକରେ ବର୍ଷିୟାନ, ଗବେଷକ ଶ୍ରୀ ଜୋଷୀ ଅନେକ ଦିଗରୁ ଆଲୋଚନା କରି କୋଶଲୀ ଭାଷାର ସ୍ୱତନ୍ତ୍ର ମର୍ଯ୍ୟାଦାର ପ୍ରଶ୍ନ ଉତ୍ଥାପନ ପୂର୍ବକ ଯଥାର୍ଥ ଭାବରେ ଏହାର ସ୍ୱତନ୍ତ୍ରତା କୁ ହିଁ ଦାବୀ କରିବା-ସାମ୍ବିଧାନିକ ଓ ଯୁକ୍ତିଯୁକ୍ତ ହୋଇଛି । ଏ ଅଂଚଳର ସ୍ୱ ମାତୃଭାଷା ପ୍ରେମୀ ମାନେ ଏହା ଆଦର କଲେ, ଓ କୋଶଲୀ ବିଦ୍ୱେଷୀ ମାନେ ଏହା ପଠନାନ୍ତର ସଦଭାବପରାୟଣ ହେଲେ ଏ ପ୍ରକାଶନ ର ଉଦ୍ଦେଶ୍ୟ ସଫଳ ହେବ । କୋଶଲୀ ଓ ଓଡି଼ଆ, ଏ ଦୁଇଟି ଭାଷାରେ ଏହି ପୁସ୍ତକର ପାଣ୍ଡୁଲିପି ଆମର ହସ୍ତଗତ ହୋଇଥିଲା । କୋଶଲୀ ଭାଷାରେ ଏହାର ପ୍ରକାଶନ ଆମର ଏକାନ୍ତ କର୍ତ୍ତବ୍ୟ ହୋଇଥଲେ ହେଁ ଆମ ସ୍ୱରକୁ ସମଗ୍ର ଓଡି଼ଶାରେ ଗୁଞ୍ଜରିତ କରାଇବା ଉଦ୍ଦେଶ୍ୟ କୁ ଆଖି ଆଗରେ ରଖି ଆମେ ପ୍ରଥମ ପଦକ୍ଷେପରେ ଏହି ଓଡି଼ଆ ସଂସ୍କରଣଟିକୁ ପ୍ରକାଶ କଲୁ । ପରବର୍ତ୍ତୀ ସମୟରେ ଏହାର କୋଶଲୀ ସଂସ୍କରଣ ପକାଶ କରିବାର ଯତ୍ନ କରାଯିବ ଓ ଆହୁରି ଅନେକ କୋଶଲୀ-ଚେତନା ଓ ଗବେଷଣା ମୂଳକ ପୁସ୍ତକର ପ୍ରକାଶନ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ । ଏଭାଷାର ଗବେଷଣା କ୍ଷେତ୍ରରେ ଏପୁସ୍ତକର ଲେଖକ କବିରାଜ ପ୍ରୟାଗଦତ୍ତ ଜୋଷୀଙ୍କର ସାଧନା ଆହୁରି ଦୀର୍ଘଜୀବୀ ହେଉ, ଏହାହିଁ କୋଶଲାୟନର କୁଶଳ ଓ ମଙ୍ଗଳ କାମନା
।। ଜଏ କୋଶଲ ।ା

Previous ArticleNext Article