Art & Culture, Development, Education, Government & Politics, Home

ମାତୃଭାଷାରେ ଶିକ୍ଷା ଦିଆଯାଉନି ଅର୍ଥାତ ଶିକ୍ଷା ହିଁ ଦିଆଯାଉନି

Spread the love

ଶିକ୍ଷାଦାନର ମାଧ୍ୟମ ଅର୍ଥ ଯେଉଁ ଭାଷାମାଧ୍ୟମରେ ଶ୍ରେଣୀକକ୍ଷ ମଧ୍ୟରେ ଛାତ୍ରଛାତ୍ରୀଂକୁ କୌଣସି ବିଷୟରେ ସୂଚନା ଦିଆହୁଏ । ଯଦି ଶିଶୁ ଶ୍ରେଣୀକକ୍ଷ ମଧ୍ୟକୁ ପଶିବା ପୂର୍ବରୁ ସେ ମାଧ୍ୟମ ବା ଶିକ୍ଷାଦାନର ଭାଷା ସହିତପରିଚିତ ନୁହେଁ ତାହେଲେ ତା ପାଇଁ ସେ ମାଧ୍ୟମ ବା ଭାଷା ଏକ ବିଦେଶୀ ଭାଷା । ପରିଣାମ ସ୍ୱରୁପ, ଶିଶୁକୁ ଶ୍ରେଣୀ ମଧ୍ୟରେ ଯାହା ସୂଚନା ବା ପାଠ୍ୟକ୍ରମ ଦିଆହୁଏ ସେ ତାକୁ ବୁଝିବାରେ କଷ୍ଟପାଏ, ପ୍ରାୟ ବୁଝିପାରେନା । ଗୋଟିଏ ଶିଶୁକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ଶିକ୍ଷାଦାନ, ଶିଶକୁୁ ପହଁରା ନ ଶିଖେଇ ମଝି ପୋଖରୀରେ ଛାଡିଦେବା ସହ ସମାନ । ସେଥିପାଇଁ ଶିଶୁକୁ ତା ମାତୃଭାଷାରେ ଶିକ୍ଷାଦାନ ଅତ୍ୟନ୍ତ ଆବଶ୍ୟକ । ମାତୃଭାଷା କହିଲେ ଯେଇଁ ଭାଷା ଶିଶୁ, ଘରେ ନିଜ ମାଁ ବାପା, ପରିବାର ବା ଆଖପାଖ ପରିବେଶରୁ ଶିଖିଥାଏ । ମାତୃଭାଷା ସହିତ ଜନ୍ମରୁ ପରିଚିତ ହୋଇଥିବାରୁ ସେ ଭାଷାର ଶବ୍ଦାବଳୀ ବୁଝିବାରେ କଷ୍ଟହୁଏନା । ୟୁନେସ୍କୋ (UNESCO 2008a) ର ଗବେଷଣା ଅନୂଯାୟୀ ଶିଶୁର ପ୍ରଥମ ଭାଷା ବା ମାତୃଭାଷା ହିଁ ପ୍ରାଥମିକ ସ୍ଥରରେ ଶିକ୍ଷାଦାନ ପାଇଁ ସର୍ବୋକ୍ରୃଷ୍ଟ ଓ ଶେଷ ଭାଷା । ପୃଥିବୀର ସବୁ ବିକଶିତ ଦେଶ ମଧ୍ୟ ପ୍ରାଥମିକ ସ୍ଥରରେ ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିଛନ୍ତି । ଶିକ୍ଷା ବିକାଶର ଚାବିକାଠି । ତେଣୁ ଭାରତ ସରକାର ରାଇଟ ଟୁ ଏଜୁକେସନ ଏକ୍ଟ (Right to Education Act (RTE)) କୁ ୪ ଅଗଷ୍ଟ ୨୦୦୯ ରେ ଅନୁମୋଦନ କରି ବିଶ୍ୱର ୧୩୫ତମ ରାଷ୍ଟ୍ର ବନିଗଲା । ତାର ଧାରା ୨୧ ଅନୁସାରେ ୬ ରୁ ୧୪ ବର୍ଷର ଶିଶୁଂକ ପାଇଁ ଶିକ୍ଷା ହେଲା ଏକ ମୌଳିକ ଅଧିକାର ।
ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଅଧିକାରକୁ ଅନେକ ଆର୍ନ୍ତଜାତୀୟ ସଂସ୍ଥା ମାନ୍ୟତା ଦେଇଛନ୍ତି । ବ୍ୟକ୍ତିର ଅଧିକାର ଜାତୀୟ ବା ଜାତିଗତ, ଧାର୍ମିକ ବା ଭାଷାଗତ ଅଲ୍ପସଂଖ୍ୟକ (୧୯୯୨) ଘୋଷଣା ଆଇନ ଅନୁସାରେ ରାଜ୍ୟମାନକୁ ସଠିକ ବ୍ୟବସ୍ଥା କରିବାକୁ ପଡିବ ଯଦ୍ୱାରା କି, ଯେତେବେଳେ ସମ୍ଭବ, ଅଲ୍ପସଂଖ୍ୟକ ଗୋଷ୍ଠୀର ଲୋକ ଭରପୁର ସୁଜୋଗ ପାଇବେ ନିଜ ମାତୃଭାଷା ପଢିବା ପାଇଁ ବା ନିଜ ମାତୃଭାଷା ମାଧ୍ୟମରେ ପଢିବା ପାଇଁ ।
ହେଲେ “ରାଇଟ୍ ଟୁ ଏଜୁକେସନ୍ ଫର୍ ଅଲ୍” ଆଇନ ଜଘନ୍ୟ ଭାବେ ଓଡିଶାରେ ଉଲଂଘନ କରାହେଉଛି । ବର୍ତମାନ ପଶ୍ଚିମ ଓଡିଶାର ବିଦ୍ୟାଳୟମାନଂକୁ ଓଡିଆ ମାଧ୍ୟମରେ ଶିକ୍ଷା ଦିଆ ହେଉଛି ହେଲେ ପଶ୍ଚିମ ଓଡିଶାର ଶିଶୁମାନଂକ ମାତୃଭାଷା ଓଡିଆ ନୁହେଁ । ପଶ୍ଚିମ ଓଡିଶାର ମାତୃଭାଷା କୋସଲି । କୋସଲି ମାଧ୍ୟମରେ ଶିକ୍ଷା ଦିଆହଉନି, ଅର୍ଥାତ ପଶ୍ଚିମ ଓଡିଶାରେ ଶିକ୍ଷା ହିଁ ଦିଆହଉନି । ପଶ୍ଚିମ ଓଡିଶାର ଶିଶୁ ତାଂକ ମୌଳିକ ଅଧିକାରରୁ ବଂଚିତ । ଏବଂ ଏ ଅଂଚଳରୁ ବିକାଶକୁ ଅପହରଣ କରିନେଇଛନ୍ତି ରାଜ୍ୟ ସରକାର ।
ଗୋଟିଏ ଅଂଚଳର ଶିକ୍ଷାହାର ଗୋଟିଏ ସମାଜ ବା ଅଂଚଳର ବିକାଶର ମାପକାଠି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ଶିଖ୍ୟାହାର ୭୪.୦୪% ଓ ଓଡିଶାର ଶିକ୍ଷାହାର ୭୩.୫% । ଜାତୀୟ ଶିକ୍ଷାହାର ଠାରୁ ସାମାନ୍ୟ କମ । ମାତ୍ର ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଏକ ବିରାଟ ଫାଟ ଅଛି ଶିକ୍ଷାହାର ର । ପୂର୍ବ ଓଡିଶାର ଜିଲ୍ଲାମାନଂକ ଶିକ୍ଷାହାର ଓଡିଶାର ହାରାହାରି ଶିକ୍ଷାହାର ଠାରୁ ଅଧିକ ମାତ୍ର ପଶ୍ଚିମ ଓଡିଶାର ଶିକ୍ଷାହାର ତୁଳନାରେ ଅନେକ କମ । ପଶ୍ଚିମ ଓଡିଶାର ଶିକ୍ଷାହାର ୪୨% ରୁ ୭୦.୬୫% ମଧ୍ୟରେ ରହିଥିବା ବେଳେ ପୂର୍ବ ଓଡିଶାର ଶିକ୍ଷାହାର ୭୦.୫୬% ରୁ ୭୯.୫୯% । ଏ ତାରତମ୍ୟର ଅନେକ ପାରିପାଶ୍ୱିର୍କ କାରଣ ଥିଲେ ମଧ୍ୟ ମୂଖ୍ୟ ହେଉଛି ପୂର୍ବ ଓଡିଶାର ଶିଶୁମାନେ ତାଂକ ମାତୃଭାଷା ଓଡିଆରେ ଶିକ୍ଷା ପାଉଥିବା ବେଳେ ପଶ୍ଚିମ ଓଡିଶାର ଶିଶୁମାନେ ତାଂକ ମାତୃଭାଷା କୋସଲିରେ ଶିକ୍ଷା ପାଉନାହାନ୍ତି ।
ଓଡିଶାର ୪.୨ କୋଟି (୨୦୧୧ ଜନଗଣନା ଅନସାରେ) ମଧ୍ୟରୁ ପଶ୍ଚିମ ଓଡିଶାର ପ୍ରାୟ ୨କୋଟି ଲୋକ ପ୍ରତ୍ୟହ ବ୍ୟବହାର କରନ୍ତି । ପଶ୍ଚିମ ଓଡିଶାର ସାଧାରଣ ଜନଜୀବନରେ ଓଡିଆ ବ୍ୟବହାର ହୁଏନି । ମାତ୍ର ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟକ୍ରମ ଓଡିଆରେ ହୋଇଥିବାରୁ ଏ ଅଂଚଳରେ ନାନା ସମସ୍ୟା ଦେଖାଦେଇଛି । ଶିଶୁମାନେ ଅଧାରୁ ପାଠ ଛାଡି ଚାଲିଯାଉଛନ୍ତି ତେଣୁ ଏ ଅଂଚଳର ଡ୍ରପ-ଆଉଟ ରେଟ ମାତ୍ରାଧିକ । ଓଡିଆ ମାଧ୍ୟମ ଦୂର୍ବୋଧ୍ୟ ହୋଇଥିବାରୁ ଶିକ୍ଷାହାର ବହୁତ କମ ଓ ମାଟ୍ରିକ ଓ +୨ର ଫଳାଫଲ ମଧ୍ୟ ଏ ଅଂଚଳର ଛାତ୍ରଛାତ୍ରୀଂକ ଭଲ ରହେନି । ଉଦାହରଣ ଭାବେ ଗତ ୨୦୧୪-୧୫ବର୍ଷ ବରଗଡ ଜିଲ୍ଲାର ମାଟ୍ରିକ ଫଳାଫଳକୁ ନିଆଯାଇପାରେ ।
୩୦/୭/୨୦୧୨ରେ ସେ ସମୟର ମୂଖ୍ୟ ଶାସନ ସଚିବ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀ (OPEPA)କୁ ନିର୍ଦ୍ଦେଶ ଦେଲେ ମାତୃଭାଷାକୁ ଆଧାରକରି ରାଜ୍ୟର ଦଶଟି ଭାଷା; ମୁଣ୍ଡା, ସାନ୍ଥାଲି, କିସାନ, ଓରାନ, କୁଇ, କୋୟା, ବୋଣ୍ଡା, ଜୁଆଂଗ, ସଉରା; ରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିବାକୁ ମାତ୍ର ସେ ତାଳିକାରେ କୋସଲି ନ ଥିଲା ।
ପୁଣି, ଓପେପା ୨୫/୫/୨୦୧୪ରେ ସମ୍ବାଦ ଖବରକାଗଜରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ଭାଷା(ବିଂଝାଲ –ବରଗଡ), (ସାନ୍ଥାଲି, ହୋ– ବାଲେଶ୍ୱର), (କୁଇ–ଗଜପତି), (ଦିବାଇ–ମାଲକାନଗିରି), (ଭୁଂଜିଆ-ନୁଆପଡା), (ପାହାଡି ଭୁଂଜିଆ, ଖଡିଆ– ସୁନ୍ଦରଗଡ)ମାନଂକ ପାଇଁ ମୋଟ ୨୯୫ ଜଣ ଶିକ୍ଷା ସହାୟକ/ସହାୟିକା ପଦ ପାଇଁ ଆବେଦନ କରିବାକୁ ଏକ ବିଗ୍ୟଁପ୍ତି ପ୍ରକାଶ କଲା ମାତ୍ର ସେ ତାଳିକାରେ ମଧ୍ୟ କୋସଲି ନଥିଲା ।
ପଶ୍ଚିମ ଓଡିଶାର ଶିଶୁମାନଂକ ଠାରୁ ତାଂକ ମୌଳିକ ଅଧିକାର ଲୁଟି ନେଇ ତାଂକୁ ସବୁଦିନ ପାଇଁ ଅଶିକ୍ଷିତ ରଖି ଶୋଷଣ କରିବାର ଚକ୍ରାନ୍ତ ରାଜ୍ୟ ସରକାର କରୁନାହାନ୍ତି ତ ? ମନରେ ସଂଶୟ ଜାତ ହୁଏ ପଶ୍ଚିମ ଓଡିଶାକୁ ପିଢି ଦରପିଢି ଅଶିକ୍ଷିତ ରଖି ଏ ଅଂଚଳକୁ ଚିରଅବହେଳିତ ଓ ଅଂଚଳଠୁ ବିକାଶକୁ ଅପହଂଚ ରଖିବାର ଷଡଯଂତ୍ର ଭୂବନେଶ୍ୱର କରୁନି ତ ? ରାଜ୍ୟ ସରକାରଂକ ଏ ମନୋଭାବ ବେଦ ପଢୁଥିବା ବେଳେ ଶୂଦ୍ରମୁନି ଶଂଭୁକୁ ରାମଚନ୍ଦ୍ର ହତ୍ୟା କରିବା ଓ କାଳେ ଏକଲବ୍ୟ ରାଜକୁମାରମାନଂକୁ ଚୁନୌତି ଦେବ ଭାବି ଗୁରୁ ଦ୍ରୋଣଂକ ବୃଦ୍ଧାଂଗୁଳି ମାଗିନେବା ପରି ପ୍ରତୀତ ହୁଏ ।

ସାକେତ ଶ୍ରୀଭୂଷଣ ସାହୁ

Previous Article