Art & Culture, Home

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୭) ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

Spread the love

ହିନ୍ଦୀର ଭୂତ
ଓଡିଆ ଭାଷାର ଗବେଷକ ମାନେ ମୂଳରୁ ହିଁ କୋଶଲୀ ଭାଷାକୁ ଭ୍ରମ ବଶତଃ ଓଡ଼ିଆ ଭାଷାର ଉପଭାଷା ଭାବି ଏଥିରେ ଉଚ୍ଚାରଣ ଗତ, ବାକ୍ୟ-ଶବ୍ଦ ଗତ ବା ଶବ୍ଦ ସମ୍ଭାର ଗତ ବୈଶିଷ୍ଟ୍ୟ ମାନଙ୍କର ବାସ୍ତବ ମୂଳ ଧରି ନପାରି ସବୁକୁ ହିନ୍ଦୀର ପ୍ରଭାବ କହି ଓ ମୁଖ୍ୟତଃ ଏ ପ୍ରଦେଶର ଅଧିକାଂଶକୁ ମଧ୍ୟପ୍ରଦେଶରେ ରହିବାର ପ୍ରଭାବ କହି ଅଳ୍ପକେ ଦାୟିତ୍ୱରୁ ଖସିଯାନ୍ତି । ବାସ୍ତବରେ ସେତେବେଳର କିମ୍ବା ବର୍ତ୍ତମାନର ମଧ୍ୟପ୍ରଦେଶ ମଧ୍ୟ ପୁରା ପୁରି ହିନ୍ଦୀ ଭାଷା ନୁହେଁ । କୋଶଲୀ ଭାଷା ଉପରେ ଏହାର ପ୍ରଭାବ ନ୍ୟୂନତମ, ଏହା ସନ୍ ୧୯୩୬ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ଥିବା ଓ ବର୍ତ୍ତମାନ ସୁଦ୍ଧା ଥିବା ବନ୍ଧୁଙ୍କ ସହ ଅଳ୍ପ କ୍ଷଣର ଆଳାପରେ ମଧ୍ୟ ବୁଝାଯାଇପାରେ । ଏ ଭାଷା ଏତେ ଦୁର୍ବଳ ନୁହେଁ ଯେ, ଅଳ୍ପକେ ଟଳମଳି ଯିବ ଓ ସ୍ୱୀୟତା ହରାଇ ବସିବ । ଏପରି ହୋଇଥିଲେ, ବହୁ ଶତାବ୍ଦୀର ଆତ୍ମସମର୍ପଣରେ ହୁଏତ କୋଶଲୀ ସମଗ୍ର ଭାବେ ନିଜ ଭାଷାକୁ ଓଡିଆ କରି ପକାଇଥାନ୍ତା ଅଥବା ଓଡିଆ ଏହାକୁ ଉଦରସ୍ଥ କରି ହଜମ କରି ଦେଇ ପାରିଥାନ୍ତା ଓ ବର୍ତ୍ତମାନ ଭାଷା-ଉପଭାଷାର ପ୍ରଶ୍ନ ହିଁ ରହନ୍ତା ନାହିଁ ।

ହିନ୍ଦୀର ପ୍ରଭାବ ଯେ ନାହିଁ, ଏହା କୁହା ଯାଉନାହିଁ । ତେବେ, ତାହା ପ୍ରାଚୀନ ଅପେକ୍ଷା ଆଧୁନିକ ହିଁ ବେଶୀ ହେଉଛି । ସ୍ଥିର ଶାସନ, ଗମନାଗମନର ସୁବିଧା ଓ ନିରାପତ୍ତା ଯୋଗୁଁ ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ଶାଖାର ହିନ୍ଦୀ ଭାଷୀଙ୍କ ବ୍ୟାପକ ପ୍ରସାର, ବଡ ବଡ ଶିଳ୍ପୋଦ୍ୟୋଗ ସ୍ଥାପନ ତଥା ହିନ୍ଦୀକୁ ରାଷ୍ଟ୍ରଭାଷା କରି ହିନ୍ଦୀ ଶିକ୍ଷାର ବ୍ୟାପକ ପ୍ରଚାର ବ୍ୟବସ୍ଥା ଏହାକୁ ଆହୁରି ତ୍ୱରାନ୍ୱିତ କରୁଛି ।

ଭାଷା କି ଉପଭାଷା ଯାହା କିଛି ବି ହେଉ, ଛତୀଶଗଢ଼ୀକୁ ହିନ୍ଦୀ ବୋଲି ଧରିନେଇ ବିଚାର କଲେ ସଂଲଗ୍ନ ପଡୋଶୀ ହୋଇଥିବାରୁ ତାର ଯଥେଷ୍ଟ ପ୍ରଭାବ ପଡିବା ସ୍ୱାଭାବିକ ହିଁ ଅଟେ । ଏହା ଏକ ପାକ୍ଷିକ ନ ହୋଇ ଦ୍ୱିପାକ୍ଷିକ ଅଟେ । କୋଶଲୀ ଭାଷା ନିଜେ ପ୍ରଭାବିତ ହେବା ଅପେକ୍ଷା ଛତୀଶଗଢ଼ୀକୁ ଏପରି ପ୍ରଭାବିତ କରିଛି ଯେ ବର୍ତ୍ତମାନ ପୂର୍ବ ଛତୀଶଗଢ଼ ର ଲରିଆ ଭାଷାକୁ ଓଡି଼ଆ (ଅଜ୍ଞାନ ଓ ରୂଢ଼ରେ ଓଡି଼ଆ, ବାସ୍ତବରେ ଏହା ପଶ୍ଚିମ ଓଡି଼ଶାର କୋଶଲୀ ଭାଷା) ମିଶ୍ରିତ ଛତୀଶଗଢ଼ୀ ବୋଲି ଧରା ଯାଉଛି ।

ଛତୀଶଗଢ଼ୀକୁ କୋଶଲୀ ସହ ଏକା ଗୋଷ୍ଠୀର ଓ ଅବ୍ୟବହିତ ପଡ଼ୋଶୀ ବୋଲି ବୁଝିଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ବରଂ ଏହାହେଲେ ସ୍ୱଗୋଷ୍ଠିକ ବଘେଲୀ ଓ ଦ୍ରାବିଡ଼-ଆଷ୍ଟ୍ରୀୟ ଭାଷାମାନଙ୍କ ବ୍ୟବଧାନ ସତ୍ତେ୍ୱ, ପାଶ୍ୱର୍ସ୍ଥ ଓଡି଼ଆ ଅପେକ୍ଷା ଅୱଧୀ ଭାଷାର ବହୁତର ସତ୍ତାର ମଧ୍ୟ ସମାଧାନ ହେଇଯିବ । କୋଶଲୀଭାଷାରେ ନିତ୍ୟ ବ୍ୟବହାର୍ଯ୍ୟ ଶତାଧିକ ଶବ୍ଦ କେବଳ ‘ରାମ-ଚରିତ-ମାନସ’ରେ ପ୍ରତ୍ୟକ୍ଷ ଦୃଷ୍ଟି ଗୋଚର ହୁଏ । ଅନ୍ୟାନ୍ୟ କାବ୍ୟ ଓ କଥିତ ଭାଷା ତ ପୁଣି-ଅଛି । ଏହା ପରେ ଆଲୋଚ୍ୟ ହେଲେ ହେଁ, ପାଠକମାନଙ୍କ କୌତୁହଳ ଉଦ୍ରେକ ପାଇଁ ଅତି ଗ୍ରାମୀଣ ଶବ୍ଦ ଟିଏ ‘କଲେ-କଲେ’ର ବିବରଣୀ ତଳେ ଦିଆ ଯାଉଛି ।

କଲ – ମଧୁରା ସ୍ଫୁଟଧ୍ୱନିଃ ବା ଅବ୍ୟକ୍ତ ମଧୁରଧ୍ୱନିଃ-ପ୍ରସିଦ୍ଧା, କଲୟତି ମାନ୍ଦ୍ୟଂ କରୋତି ଇତି – ମେଦିନୀ କୋଷଃ । କଲ କଲଃ – କଲାଦପିକଲଃ (ଅତି ସୂକ୍ଷ୍ମଃ) ଯୁଗପତ ସମୁତଥିତ ବହୁଶବ୍ଦାନାମେକୀଭୁତୟୋଃ ତଥାତ୍ତ୍ୱମ, ଯଥା ଗୀତ ଗୋବିନ୍ଦ ୧-୩୮-
‘କ୍ରୀଡ଼ତ୍ କୋକିଲ କାକଲୀ କଲ କଲୈ ରୁଦ୍ଗୀର୍ଣ୍ଣ କର୍ଣ୍ଣ ଜ୍ୱରାଃ’ ( ଇତି:ଶବ୍ଦ କଳ୍ପଦ୍ରୁମଃ) ଅସ୍ଫୁଟତା, ଲାଲିତ୍ୟ, ମାଧୁର୍ଯ୍ୟ ଓ ମାନ୍ଦ୍ୟ, ଏଶବ୍ଦର ଅନ୍ତର୍ନିହିତ ଅର୍ଥ, କ୍ରିୟା ବିଶେଷଣ ଭାବେ ସୂଚିତ ଶବ୍ଦଟି ପ୍ରଯୁ୍କ୍ତ ।

କଲେ କଲେ – (ଅୱଧୀ) – Slowly (Evolution of Awadhi Language, Dr B.R. Saksena, page 307)
କଲେ କଲେ – (ଛତୀଶଗଢ଼ୀ) – ଚୁପଚାପ (ଅତିଧୀରେ, ଅଜାଣତରେ ବା କଲେ ଗୁପ ଡ: କାନ୍ତି କୁମାର-ଉପର କଥିତ ପୃଷ୍ଠା ୧୩୭-୧୪୭
କଲେ କଲେ – (କୋଶଲୀ) – ଅତିଧୀରେ, ଶବ୍ଦ ନ କରି, କେହି ଦେଖୁ ଥିଲେ ନ ଦେଖେଇଲା ପରି ବା କେହି ଜାଣୁଥିଲେ ନ ଜଣେଇଲା ପରି – ଯଥା: କଲେ କଲେ ଆସୁଛେ, କଲେ ଚୁପ କଲେ କଲେ କବାର କରୁଛେ, କଲେ କଲେ କହୁଛେ, କଲେ ଚୁପ ବସିଛେ ଆଦି..

ଆରି ତଲେ ତଲେ ରେ, ଆରି ତଲେ ତଲେ
ପଧାନ ଘର ନୁଆ ଭୁଆସେନ୍ ଚାଲେ କଲେ କଲେ (ପ୍ରାଚୀନ ଲୋକ ଗୀତ)

Previous Article